ମେଗା ପାନୀୟ ଜଳ ପ୍ରକଳ୍ପ – ଆରମ୍ଭରୁ କେଁ

ମେଗା ପାନୀୟ ଜଳ ପ୍ରକଳ୍ପ – ଆରମ୍ଭରୁ କେଁ

ଅନୁଗୋଳ – ଅନୁଗୋଳ ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ା ପଞ୍ଚାୟତର ବେହେରା ସାହିରେ ନିର୍ମାଣ ହେବ ମେଗା ପାନୀୟ ଜଳ ପ୍ରକଳ୍ପ । ମହାନଦୀରୁ ପାଣି ଉଠିବ , ଉପକ୍ରୁତ ହେବେ ଅନୁଗୋଳ ବ୍ଲକବାସୀ । ପ୍ରାୟ ଦୁଇ ବର୍ଷ ହେଲା ଅନୁଗୋଳବାସୀଙ୍କୁ ଏଭଳି ଆଶା ଦେଇ ଚାଲିଛନ୍ତି ରାଜ୍ୟ ସରକାର । କେବଳ ଆଶା ଦେଇନାହାନ୍ତି , ଗତ ଡିସେମ୍ବର ୨୭ ତାରିଖରେ ଏନେଇ କ୍ୟାବିନେଟ୍ ବୈଠକରେ ମୋହର ବାଜିଛି । ଏହି ପ୍ରକଳ୍ପ ପାଇଁ ୩୫୮ କୋଟି ଟଙ୍କା ମଞ୍ଜୁର କରିବା ସହ କାମ ପାଇଁ ଟେଣ୍ଡର ବି ଶେଷ ହୋଇଥିଲା । ମାତ୍ର ଠିକାସଂସ୍ଥା କାମ ଆରମ୍ଭ କରିବା ବେଳକୁ ସାତକୋଶିଆ ଅଭୟାରଣ୍ୟ ଭିତରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ଶକ୍ତ ଝଟ୍‌କା ଲାଗିଛି । ଅଭୟାରଣ୍ୟ ଭିତରେ ପ୍ରକଳ୍ପ ନିର୍ମାଣର କଟକଣା ରହିଥିବା ବେଳେ ପ୍ରକଳ୍ପ ନିର୍ମାଣ ପାଇଁ ପରିବେଶ ମଞ୍ଜୁରୀ ଦେଇନି ବନବିଭାଗ । ଫଳରେ ଟିକରପଡ଼ାରେ ଏହି ପ୍ରକଳ୍ପ ନିର୍ମାଣ ଆଶା ମଉଳିବାକୁ ବସିଥିବା ପ୍ରକଳ୍ପ ନେଇ ଏକ ପ୍ରକାର ଅନିଶ୍ଚିତତା ଦେଖାଦେଇଛି । କେବଳ ଟିକରପଡ଼ା ନୁହଁ , ଅନୁଗୋଳକୁ ମହାନଦୀରୁ ପାଣି ଆଣିବାକୁ ହେଲେ ସାତକୋଶିଆ ଅଭୟାରଣ୍ୟ ଦେଇ ହିଁ ଆସିବାକୁ ପଡ଼ିବ । ଏଭଳି ସ୍ଥିତିରେ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଚିଂତାରେ ପଡ଼ିଛି । ଅଭୟାରଣ୍ୟରେ ପ୍ରକଳ୍ପ ନିର୍ମାଣ ନେଇ ପରିବେଶ ମଞ୍ଜୁରୀ ନଥିବା ବେଳେ ମହାନଦୀରୁ ପାଣି ଉଠିବା ବିଭାଗୀୟ ସୂତ୍ରରୁ ନିର୍ମାଣ ନେଇ ରାସ୍ତା ଫିଟିବ ବୋଲି କୁହାଯାଉଛି । ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଆଭ୍ୟନ୍ତରୀଣ ଅଞ୍ଚଳ । ବେହେରା ସାହିରେ ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେଲେ ବଡ଼ ବଡ଼ ପାଇପ୍ ବିନ୍ଧଯିବ । ଏଥିପାଇଁ ସ୍ଵତନ୍ତ୍ର ରାସ୍ତା ମଧ୍ୟ ରହିବ । ଶହ ଶହ ଗଛ ବଳିପଡ଼ିବ । ଏପଟେ ନ୍ୟାସନାଲ୍ ବୋର୍ଡ୍ ଫର୍ ୱାଇଲ୍ଡ ଲାଇଫ୍‌ର ବିନା ଅନୁମତିରେ ଅଭୟାରଣ୍ୟ ଭିତରେ ପାଇପ୍ ବିଛାଇବା ପାଇଁ କଟକଣା ରହିଛି । ମାତ୍ର ବିନା ପରିବେଶ ମଞ୍ଜୁରୀରେ ରାଜ୍ୟ ସରକାର କିଭଳି ବେହେରା ସାହିରେ ନିର୍ମାଣ ପାଇଁ ଟେଣ୍ଡର କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭାଗୀୟ ସୂଚନା ମୁତାବକ , ସାତକୋଶିଆର କୋର୍‌ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ପରିବେଶ ମଞ୍ଜୁରୀ ନାହିଁ । ମଞ୍ଜୁରୀ ପ୍ରଦାନ ନେଇ ଆଶଙ୍କା ଥିଲେ ହେଁ ଟେଣ୍ଡର ଡକାଯାଇ ଠିକାସଂସ୍ଥାକୁ ନିର୍ମାଣ ଦାୟିତ୍ବ ଦିଆଯାଇଥିଲା । ମାତ୍ର କାମ ଆରମ୍ଭ ବେଳକୁ ପରିବେଶ ମଞ୍ଜୁରୀ ସମସ୍ୟା ନେଇ କାମ ବନ୍ଦ ହୋଇଛି । ଏ ସଂକ୍ରାନ୍ତରେ ଆରଡବ୍ଲୁଏସ୍ଏସ୍ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ , ଯେହେତୁ ବ୍ୟାଘ୍ର ପ୍ରକଳ୍ପ ରହିଛି , ଟିକରପଡ଼ା ବେହେରା ସାହିରେ ପ୍ରକଳ୍ପ ନିର୍ମାଣ ହେଲେ ପାଇପ୍ ବିଛାଇବା ପାଇଁ ବନ ବିଭାଗ ଅନୁମତି ଦେବାକୁ ରୋକଠୋକ୍ ମନା କରିଛି । ଫଳରେ ପ୍ରକଳ୍ପ ନିର୍ମାଣରେ ବାଧା ସୃଷ୍ଟି ହୋଇଛି । ଆସନ୍ତା ମେ ’ ପ୍ରଥମ ସପ୍ତାହରେ ଏହାକୁ ନେଇ ବନ ବିଭାଗ ଓ ଆରଡବ୍ଲ୍ୟୁଏସ୍ଏସ୍ ମଧ୍ୟରେ ଆଉ ଏକ ଉଚ୍ଚସ୍ତରୀୟ ବୈଠକ ବସିବ । ଏହି ବୈଠକରେ କୌଣସି ନିର୍ଯ୍ୟାସ ନବାହାରିଲେ ବିକଳ୍ପ ସ୍ଥାନ ନିରୂପଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

What’s your Reaction?
+1
2
+1
0
+1
0
+1
0
+1
3
+1
0
+1
0

Leave a Reply