ଆଠମଲ୍ଲିକ ବିଜେଡିକୁ ବିଦ୍ରୋହ ଭୟ – ଦିଲେଶ୍ଵରଙ୍କ ଭରସାରେ ବିଜେପି

ଆଠମଲ୍ଲିକ ବିଜେଡିକୁ ବିଦ୍ରୋହ ଭୟ – ଦିଲେଶ୍ଵରଙ୍କ ଭରସାରେ ବିଜେପି

ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ରାଜନୀତି ଏବେ ଜଟିଳ ପରିସ୍ଥିତିରେ । ନୀର୍ବାଚନ ମଣ୍ଡଳୀରେ ବିଜେଡି ଫାଳ ଫାଳ ହୋଇ ରହିଥିବା ବେଳେ ବର୍ତ୍ତମାନ ଦଳରେ ଅନେକ ଆଶାୟୀ ଅଛନ୍ତି । ଯାହାକି ଦଳ ପାଇଁ ସମସ୍ୟା ସୃଷ୍ଟି କରିବ । ମୁଖ୍ୟତଃ  ପୂର୍ବତନ ପୂର୍ତ୍ତ ବିଭାଗ ସଚିବ ବିଜେଡି ନେତା ତଥା ସମ୍ବଲପୁର ଲୋକସଭା ସଂସଦୀୟ କ୍ଷେତ୍ରର ପୂର୍ବତନ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ଆଖି ଏବେ ଆଠମଲ୍ଲିକ ବିଧାନସଭା ସିଟ୍ ଉପରେ । ଏଥିପାଇଁ ବିଜେଡି ରାଜନୀତିରେ ହଲ୍‌ଚଲ୍ ଆରମ୍ଭ ହୋଇଛି । ୨୦୧୯ ସାଧାରଣ ନୀର୍ବାଚନ ପୂର୍ବରୁ ନଳିନୀଙ୍କ ମାର୍ଗଦର୍ଶନରେ ସରକାରୀ ପଦବି ଛାଡ଼ି ଓଏଏସ୍ ଅଧିକାରୀ ରମେଶ ଚନ୍ଦ୍ର ସାଏ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ । ଆଉ ବିଧାୟକ ଭାବେ ବିପୁଳ ଭୋଟ୍‌ରେ ବାଜିମାତ୍ ମଧ୍ୟ କରିଥିଲେ । ତେବେ ନିର୍ବାଚନର ବର୍ଷ ଦୁଇଟା ଯାଇଛି କି ନା ଉଭୟଙ୍କ ମଧ୍ଯରେ ମନୋମାଳିନ୍ଯ ସୃଷ୍ଟି ହୋଇଥିଲା । ଗତ ପଞ୍ଚାୟତ ନିର୍ବାଚନରେ ମନାନ୍ତର ତୀବ୍ର ହେବା ସହ ଦୁଇ ନେତାଙ୍କୁ କେନ୍ଦ୍ର କରି ବିଜେଡି ଫାଟ ଅଧିକ ସୃଷ୍ଟି ହୋଇଥିଲା । ନଳିନୀ , ରମେଶଙ୍କୁ ନେଇ ଆଠମଲ୍ଲିକରେ ବିଜେଡିରେ ଦ୍ବନ୍ଦ ସୃଷ୍ଟି ହୋଇଥିବା ବେଳେ ପ୍ରାକ୍ତନ ବିଜେଡି ମନ୍ତ୍ରୀ ତଥା ଏବେର ବିଜେପି ନେତା ସଂଜୀବ ସାହୁଙ୍କ ନେତୃତ୍ୱରେ ବିଜେପି ନିଜର ସ୍ଥିତି ଅଣ୍ଡାଳୁଛି । ୨୦୧୯ ସାଧାରଣ ନିର୍ବାଚନ ପରେ ତଥା ୨୦୨୨ ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଆଠମଲ୍ଲିକ ବିଜେଡିରେ ବଡ଼ ଧରଣର ପରିବର୍ତନ ହୋଇଛି , ଯାହା ସଂଗଠନକୁ ଜୋର୍‌ଦାର ପ୍ରଭାବିତ କରିଛି । ୨୦୧୯ ନିର୍ବାଚନରେ ନବାଗତ ରମେଶ ସାଏ ଆଠମଲ୍ଲିକ ଭଳି ଅଣସଂରକ୍ଷିତ ସିଟ୍‌ରେ ବିଜେଡି ଟିକେଟ୍ ହାତେଇବା ରାଜନୈତିକ ମହଲରେ ଚର୍ଚ୍ଚାର ପରିଧିକୁ ଆସିଥିଲା । ୨୦୧୯ରେ ବିଜେଡି ପ୍ରାର୍ଥୀ ରମେଶ ସାଏ ସର୍ବାଧିକ ୫୩.୫୭ % ( ୮୬୨୫୪ ) , ବିଜେପି ପ୍ରାର୍ଥୀ ଭାଗିରଥୀ ପ୍ରଧାନ ୨୪.୨୬ % ( ୩୯୦୭୦ ) ଓ କଂଗ୍ରେସ ପ୍ରାର୍ଥୀ ବିଜୟାନନ୍ଦ ଚାଉଳିଆ ୧୯.୨୧ % ( ୩୦୯୨୫ ) ଭୋଟ୍ ପାଇଥିଲେ । ରାଜ୍ୟର ଜଣେ ପାୱାରଫୁଲ୍ ବ୍ୟୁରୋକ୍ରାଟ୍ ଭାବେ ଜଣାଶୁଣା ରାଜ୍ୟ ପୂର୍ତ୍ତ ବିଭାଗର ପାୱାରଫୁଲ୍ ସଚିବ ନଳିନୀ ପ୍ରଧାନଙ୍କ ଅନୁଗତ ରମେଶ ୭ ବର୍ଷର ଓଏଏସ୍ ଚାକିରି ଛାଡ଼ି ରାଜନୈତିକ ମୈଦାନକୁ ଓହ୍ଲାଇଥିଲେ । ହେଲେ ପ୍ରଶାସନିକ ଗୋଟି ଚାଳନାରେ ଧୁରନ୍ଧର ନଳିନୀ ସମ୍ବଲପୁର ଲୋକସଭା ଆସନରୁ ବିଜେଡି ଟିକେଟ୍‌ରେ ପ୍ରତିଦ୍ବନ୍ଦିତା କରି ହାରି ଯାଇଥିଲେ । ଏହା ପରବର୍ତ୍ତୀ ଦୁଇ ବର୍ଷ ଠିକ୍‌ଠାକ ଚାଲିବା ପରେ ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦୁଇ ବିଜେଡି ନେତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଲା । ଲୋକସଭା ଆସନରୁ ମୁହଁ ଫେରାଇ ନଳିନୀ ବିଧାନସଭା ଉପରେ ଆଖି ପକାଇଲେଣି । ସେବେଠାରୁ ବିଜେଡି ଆଠମଲ୍ଲିକ ବିଜେଡି ଆଉ ଏକ ହୋଇନାହିଁ । ଦୁଇ ମଙ୍ଗୁଆଳ  ନିଜ ନିଜ କର୍ମୀଙ୍କୁ ଧରି କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ଏପରିକି ଆଠମଲ୍ଲିକ ବ୍ଲକ୍ ଓ କିଶୋରନଗର ବ୍ଲକ୍ ଅଧ୍ୟକ୍ଷ ହେଉକି କି ଏନ୍ଏସି ଅଧ୍ୟକ୍ଷ ନିର୍ବାଚନ ବେଳେ  ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଛକାପଞ୍ଝା ରାଜନୀତିରେ ବିଜେଡି ନେତା , କର୍ମୀ ବି ଭାଗ ଭାଗ ହୋଇଯାଇଛନ୍ତି । ବିଜେଡି ଟିକେଟ୍ ଅଙ୍କ ଏହି ଦୁଇ ଜଣଙ୍କ ମଧ୍ୟରେ ସୀମିତ ବୋଲି ଚର୍ଚ୍ଚା ହେଉଥିବା ବେଳେ ଯୁବନେତା ଅର୍ଜୁନ ସାହୁ , ବିଜେଡି ଯୁବ ରାଜ୍ୟ ଯୁଗ୍ମସଂପାଦକ ପ୍ରକାଶ ଡାଙ୍ଗ ବି ଟିକେଟ୍ ଆଶାରେ ଥିବା ଜଣାପଡ଼ିଛି । ତେବେ ଆଠମଲ୍ଲିକ ବିଜେଡିର ଏହି ବିଲେଇ କଳିରେ ବିଜେପି ଫାଇଦା ମାରିପାରେ ବୋଲି ଚର୍ଚ୍ଚା ହେଉଛି । ୨୦୧୯ରେ ବିଜେଡି ଟିକେଟରୁ ବଞ୍ଚିତ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେ ‘ ପଦ୍ମ ‘ ଧରିଛନ୍ତି । ଆଠମଲ୍ଲିକର ବିଜେପି ନେତା ଭାଗିରଥୀ ପ୍ରଧାନଙ୍କ ଉପରୁ ଦଳୀୟ ନେତୃତ୍ୱ ଭରସା ତୁଟାଇ ସଂଜୀବଙ୍କ ମୁଣ୍ଡରେ ନିର୍ବାଚନମଣ୍ଡଳୀ ଦାୟିତ୍ୱ ନ୍ୟସ୍ତ କରିଛି । ହେଲେ ସଂଜୀବଙ୍କ ନେତୃତ୍ବରେ ବିଜେପି ସ୍ଥିତି ଦିନକୁ ଦିନ ବିଗିଡ଼ି ଚାଲିଥିବାରୁ ଜିଲ୍ଲା ନେତାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ପୁରୁଣା ଦଳୀୟ ନେତା , କର୍ମୀଙ୍କୁ ଅଣଦେଖା କରି ନିର୍ଦ୍ଦିଷ୍ଟ ହାତଗଣତି ନେତାଙ୍କୁ ନେଇ ସଂଜୀବ ସଂଗଠନ ତିଆରି କରିବାକୁ ଚେଷ୍ଟା କରୁଛନ୍ତି  । ଗତ ପଞ୍ଚାୟତ ନିର୍ବାଚନରେ ଏହାର ପ୍ରଭାବରେ ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ବିଜେପି ସେଭଳି କୌଣସି ସଫଳତା ପାଇ ପାରି ନଥିଲା । ଜିଲ୍ଲା ସଭାପତି ଦିଲେଶ୍ବର ପ୍ରଧାନ ଆଠମଲ୍ଲିକ ଗସ୍ତ କରି ବିଜେପି ସଂଗଠନକୁ ସଜାଡ଼ି ଆସିଥିବା ବେଳେ ସଂଜୀବଙ୍କ ନେତୃତ୍ବରେ ସଂଗଠନ ବିଗିଡ଼ି ଚାଲିଛି ବୋଲି ଖୋଦ ଦଳୀୟ କର୍ମୀ ଆଲୋଚନା କରୁଛନ୍ତି । ଜିଲ୍ଲା ସଭାପତି ଦିଲେଶ୍ବର ଅନୁଗୁଳ ବ୍ଲକ୍ ତଥା ଆଠମଲ୍ଲିକ ବିଧାନସଭା କ୍ଷେତ୍ରର ବାସିନ୍ଦା । ଆଠମଲ୍ଲିକ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଅନଗୁଳ ବ୍ଲକର ୯ଟି ପଞ୍ଚାୟତରେ ଜିଲ୍ଲା ସଭାପତିଙ୍କ ସଂଗଠନ ରହିଛି । ତେଣୁ ତାଙ୍କୁ ସଂଜୀବଙ୍କ ବିକଳ୍ପ ଭାବରେ ବିବେଚନା କରାଯାଉଥିବା ସୂଚନା ମିଳିଛି ।  ସେପଟେ ରାଜ୍ୟ , ଜିଲ୍ଲା ସ୍ଥିତି ଭଳି ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ବି କଂଗ୍ରେସ ସ୍ଥିତି ଏକଦମ୍ ଅସଜଡ଼ା । ଦୀର୍ଘ ଦିନ ଧରି ଶାସନଠାରୁ ଦୂରେଇ ରହିବା ପରେ କର୍ମୀ ବି ନେତାଙ୍କ ହାତ ଛାଡ଼ି ଅନ୍ୟ ଦଳକୁ ମୁହାଁଇଛନ୍ତି । ପକେଟ୍‌ରୁ ଖର୍ଚ୍ଚ କରି ସଂଗଠନ କରିବା କଂଗ୍ରେସ ନେତାଙ୍କ ପାଇଁ କାଠିକର ହୋଇପଡ଼ିଛି । ଗତ ନିର୍ବାଚନରେ କଂଗ୍ରେସ ନେତା ବିଜୟାନନ୍ଦ ଚାଉଳିଆ ପ୍ରତିଦ୍ବନ୍ଦିତା କରି ୩୦ ହଜାରରୁ ଅଧିକ ଭୋଟ୍ ପାଇଥିବା ବେଳେ ତାଙ୍କୁ ବାଦ୍ ଦେଲେ ସେଭଳି କୌଣସି ଆଖିଦୃଶିଆ ନେତା କଂଗ୍ରେସରେ ନାହିଁ ।

 

What’s your Reaction?
+1
3
+1
0
+1
2
+1
0
+1
5
+1
0
+1
0

Leave a Reply