ପାଇପଲାଇନରୁ ତେଲ ଚୋରି ବେଳେ ୪ ଅଭିଯୁକ୍ତ ଗିରଫ – ଉତ୍ତରପ୍ରଦେଶରୁ ଲମ୍ବିଛି ଚେର

ପାଇପଲାଇନରୁ ତେଲ ଚୋରି ବେଳେ ୪ ଅଭିଯୁକ୍ତ ଗିରଫ – ଉତ୍ତରପ୍ରଦେଶରୁ ଲମ୍ବିଛି ଚେର

ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳ ଦେଇ ପାରାଦୀପ-ରାଇପୁର-ରାଞ୍ଚି ଯାଇଥିବା IOCLର ପାଇପାଲାଇନରୁ ଡିଜେଲ ଚୋରି କରୁଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି ବଅଁରପାଳ ପୁଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଉତ୍ତରପ୍ରଦେଶ ରାଜ୍ୟ ଅରୁସା ଅଞ୍ଚଳର ପ୍ରଦୀପ କୁମାର ସିଂ , କଠାହି ଅଞ୍ଚଳର ପ୍ରତୀକ କୁମାର ଚୌବେ , ଆଲିନଗର ଅଞ୍ଚଳର ସନ୍ଦିପ ସିଂ , କୋଟାସ ଅଞ୍ଚଳର ପ୍ରେମ ନାରାୟଣ ଚୌହାନ । ସୂଚନା ଅନୁସାରେ IOCLର ସୁରକ୍ଷାକର୍ମୀ ମାନେ ସୋମବାର ପାଇପଲାଇନ ଯାଇଥିବା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ବଅଁରପାଳ ଥାନା ଅଞ୍ଚଳର ଏକ ସ୍ଥାନରେ ପାଇପଲାଇନ କଟାଯାଇଥିବା ଏବଂ ଡିଜେଲ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ନିକଟରେ ଥିବା ଏକ ଡିଜେଲ ଟ୍ୟାଙ୍କର୍ ମଧ୍ୟ ଘଟଣାସ୍ଥଳରୁ ପଳାଇ ଯାଇଥିଲା । ଖବର ପାଇ ବଅଁରପାଳ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଅନୁସନ୍ଧାନ ବେଳେ ତିନି ଅଭିଯୁକ୍ତଙ୍କୁ ଯଥାକ୍ରମେ ପ୍ରେମ ନାରାୟଣ ଚୌହାନ , ପ୍ରଦୀପ କୁମାର ସିଂ ଓ  ପ୍ରତୀକ କୁମାର ଚୌବେଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ସନ୍ଦୀପ ସିଂ କଣ୍ଟାବଣିଆ ଥାନା ଅଧୀନରେ ଥିବା ଅମନା ଗ୍ରାମକୁ ପଳାଇବାରେ ସଫଳ ହୋଇଥିଲା ।  ତେବେ ଅନୁଗୁଳ ପୁଲିସ ତାକୁ ଟ୍ରାକିଂ କରି ଧରିବାକୁ ଯାଇଥିବା ବେଳେ ଅମନା ଗ୍ରାମବାସୀ ପୁଲିସକୁ ବାଧା ଦେଇଥିଲେ । ଶତାଧିକ ଲୋକ ଏକାଠି ଠୁଳ ହେବା ସହ ଉପରୋକ୍ତ ଅଭିଯୁକ୍ତ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ପୋଲିସ ତାଙ୍କୁ ଲୋକଙ୍କ କବଳରୁ ରକ୍ଷା କରିବାକୁ ଚେଷ୍ଟା କରିଥିଲା ।  ଏହାଦ୍ୱାରା ଉତ୍ତେଜନା ଦେଖାଦେଇଥିଲା । ପରେ ବ୍ୟାପକ ପୁଲିସ ଦଳ ଘଟଣା ସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତ ସନ୍ଦୀପ ସିଂଙ୍କୁ ଧରିବାରେ ପୁଲିସ ସଫଳ ହୋଇଥିଲା । ତେବେ ଏହି ତେଲ ଚୋରି କରିବାକୁ ଆସିଥିବା ଅଭିଯୁକ୍ତଙ୍କ ଠାରୁ ଏକ କାର , ଦୁଇଟି ଛୁରି ସମେତ ଅନ୍ୟ କିଛି ସାମଗ୍ରୀ ଜବତ କରା ଯାଇଛି । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୂଳିଶ ସୂଚନା ଦେଇଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply