ଜନ୍ମମାଟି ପାଇଁ କ’ଣ କରିଛ ବୋଲି ଧର୍ମେନ୍ଦ୍ରଙ୍କୁ ଜବାବ ମାଗିଲେ ମହେଶ ସାହୁ

ଜନ୍ମମାଟି ପାଇଁ କ’ଣ କରିଛ ବୋଲି ଧର୍ମେନ୍ଦ୍ରଙ୍କୁ ଜବାବ ମାଗିଲେ ମହେଶ ସାହୁ

ଭୁବନେଶ୍ୱର – ଅନୁଗୋଳରେ ଗରିବ ବିକାଶ ଯୋଜନା ସମାବେଶରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସରକାର ଉପରେ ବର୍ଷିଥିବା ବେଳେ ଢେଙ୍କାନାଳ ଓ ଅନୁଗୋଳର ବିକାଶକୁ ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକାଧିକ ପ୍ରଶ୍ନ ପଚାରିଛି ବିଜେଡି । ନଅ ବର୍ଷର କେନ୍ଦ୍ରମନ୍ତ୍ରୀତ୍ୱ କାଳରେ ଏହି ଦୁଇ ଜିଲ୍ଲା ପାଇଁ କ’ଣ ସବୁ କରିଛ ବୋଲି ସିଧାସଳଖ ପଚାରିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ଆଜି ବିଜେଡିର ଏଭଳି ପ୍ରଶ୍ନ ପରେ ୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ବିଜେଡି-ବିଜେପି ମୁହାମୁହିଁ ହୋଇଛନ୍ତି ।  ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ଶ୍ରୀ ସାହୁ କହିଛନ୍ତି,  ‘କେନ୍ଦ୍ରମନ୍ତ୍ରୀ  ଭାବେ ଧର୍ମେନ୍ଦ୍ର ୯ ବର୍ଷ ଧରି କାର୍ଯ୍ୟ କରୁଛନ୍ତି । ହେଲେ ଜିଲ୍ଲା ପାଇଁ କ’ଣ କରିଛନ୍ତି ? ମନ୍ତ୍ରୀ ହେବା ଦ୍ୱାରା ଢେଙ୍କାନାଳ-ଅନୁଗୋଳ ଜିଲ୍ଲା କିପରି ଉପକୃତ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି । ସେହିଭଳି କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ଢେଙ୍କାନାଳ ଏବଂ ଅନୁଗୋଳ ଦେଇ ସାଧାରଣ ଜନତା, ରୋଗୀ, ଅଫିସ୍ ଯାଉଥିବା ଲୋକେ, ସ୍କୁଲ ଏବଂ କଲେଜ ଯାଉଥିବା ଛାତ୍ରଛାତ୍ରୀ ମାନେ ଯନ୍ତ୍ରଣା ଭୋଗୁଛନ୍ତି । ଏହାର ଉନ୍ନତି ପାଇଁ ଆପଣ ୯ ବର୍ଷରେ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ମହେଶ ସାହୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ,  ମନ୍ତ୍ରୀ ହୋଇଥିବା ନଅ ବର୍ଷ ମଧ୍ୟରେ ଢେଙ୍କାନାଳ-ଅନୁଗୁଳ ଲୋକଙ୍କ ପାଇଁ ରେଳବାଇରେ କୌଣସି ବିକାଶ ହୋଇନାହିଁ । ଏହି ଦୁଇ ଦୁଇ ଜିଲ୍ଲାରୁ ରେଳବାଇ ସର୍ବାଧିକ ରାଜସ୍ୱ ସଂଗ୍ରହ କରୁଛି । ତାଳଚେର-ବିମଳାଗଡ ରେଳପଥର ଅଗ୍ରଗତି ହୋଇପାରିଲା ନାହିଁ । ତାଳଚେର ରେଳଷ୍ଟେସନ ଏବେ ବି ଗୁଡସ୍‍ ଷ୍ଟେସନ ହୋଇ ରହିଛି । ସେହିପରି ଶିକ୍ଷା ମନ୍ତ୍ରୀ ଥିବାବେଳେ ଢେଙ୍କାନାଳ-ଅନୁଗୋଳ ଅଞ୍ଚଳରେ କେତେ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟ ଖୋଲିଛନ୍ତି ?  ପେଟ୍ରୋଲିୟମ ମନ୍ତ୍ରୀ ଥିବାବେଳେ  ଢେଙ୍କାନାଳକୁ କେତୋଟି ପିଏସୟୁ ଆଣିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷେ ଏମସିଏଲ ଏବଂ ନାଲ୍‍କା ପାଇଁ ଜମି ହରାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଚାକିରି ମିଳିନାହିଁ ବୋଲି ସେ ଅଭିଯୋଗ ଆଣିଥିଲେ । ସେହିପରି ଢେଙ୍କାନାଳ ଜିଲ୍ଲାରେ ମେଡିକାଲ କଲେଜଟିଏ ସ୍ୱପ୍ନହୋଇ ରହିଗଲା ବୋଲି ସେ କହିଛନ୍ତି । ନିଜ ଜନ୍ମସ୍ଥାନର ଉନ୍ନତି ନ କରି କେନ୍ଦ୍ର ମନ୍ତ୍ରୀ  ଯେତେବେଳେ ନିର୍ବାଚନ ଆସେ, ସେତେବେଳେ  ଏଠାକୁ ରାଜନୀତି କରିବାକୁ ଆସନ୍ତି ବୋଲି ସାଂସଦ ଶ୍ରୀ ସାହୁ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି ଉପସ୍ଥିତ ଥିଲେ ।

ଏପଟେ ପାଲଲହଡା ବିଧାୟକ ମୁକେଶ ପାଳ ମଧ୍ଯ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନବାଣ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ତେଇଶି ବର୍ଷ ଧରି ଶାସନ କରୁଥିବା ରାଜ୍ୟର ନବୀନ ସରକାରଙ୍କୁ କଟାକ୍ଷ କରିଥିବା ବେଳେ ଖଣି ଖାଦାନରେ ଭରପୁର ଅନୁଗୋଳ ଜିଲ୍ଲାର ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ଦ୍ଵୀପତଳ ଅନ୍ଧାର ପରି ଅପନ୍ତରିଆ ହୋଇ ରହିଛି ବୋଲି କହିବା ସହିତ ରାଜ୍ୟ ସରକାର ଦୁର୍ନୀତିରେ ମାହିର ବୋଲି କହିଥିଲେ ଏବଂ ରାଜ୍ୟ ସରକାର ଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଏହି ପ୍ରଶ୍ନର କଡ଼ା ଜବାବ ପାଲଲହଡ଼ା ବିଧାୟକ ଶ୍ରୀଯୁକ୍ତ ମୁକେଶ ପାଲ । ଆଜି ପାଲଲହଡା ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦେଇଛନ୍ତି । ସ୍ଥାନୀୟ ରାଜପଥ ଡାକବଙ୍ଗଳା ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀଯୁକ୍ତ ପାଲ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଥମେ ନିଜେ ଆସି ପାଲଲହଡ଼ା ଅଞ୍ଚଳକୁ ବୋଲି ଦେଖିବାକୁ ଆହ୍ବାନ ଦେଇଥିଲେ । ୨୦୦୦ ରୁ ୨୦୦୪ ସେ ନିଜେ ବିଧାୟକ ଏବଂ ୨୦୦୪ ରୁ ୨୦୦୯ ସାଂସଦ ରହିବା ସହ ୨୦୧୪ ରୁ ଆଜି ଯାଏ କେନ୍ଦ୍ର ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହିଆସିଛନ୍ତି । ହେଲେ ଆଜି ଯାଏ ପାଲଲହଡ଼ା ପାଇଁ ଯେଉଁଠାରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ସେହି ଅଞ୍ଚଳ ପାଈଁ ସେ କଣ କରିଛନ୍ତି ପ୍ରଥମେ ତାର ହିସାବ ଦିଅନ୍ତୁ । ନିଜ ଗାଁ କୁ ସବୁଦିନିଆ ରାସ୍ତା ଖଣ୍ଡେ କରିପାରୁନଥିବା କେନ୍ଦ୍ର ମନ୍ତ୍ରୀଙ୍କ ଗାଁକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଜି ରାସ୍ତା ନିର୍ମାଣ ହୋଇପାରିଛି । ଜଳସେଚନ ପାଇଁ ତାଙ୍କ ଅମଳରୁ ନାଲିଫିତା ତଳେ ଥିବା ଚକଧର ଜଳସେଚନ ପ୍ରକଳ୍ପ ମୂଖ୍ୟମନ୍ତ୍ରୀଙ୍କ ପଞ୍ଚବାର୍ଷିକି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଖୁବ ଶୀଘ୍ର ଏହା ର ସଫଳ ରୂପାୟନ ହେବ । ସେହିପରି ଶିକ୍ଷାର ଉନ୍ନତି ପାଇଁ ଅଞ୍ଚଳର ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ 5ଟି ରୂପାନ୍ତରଣ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଇ ନିର୍ମାଣ କାର୍ଯ୍ୟ ଜାରିରହିଛି । ଗମନାଗମନ, ଶିକ୍ଷା ପାନୀୟଜଳ ଆଦି କାର୍ଯ୍ୟ ପାଇଁ ରାଜ୍ୟସରକାର ପ୍ରାଥମିକତା ଦେଇ ଆସିଛନ୍ତି । ପାଲଲହଡ଼ା ଅଞ୍ଚଳର ପ୍ରତ୍ୟେକଟି ସମସ୍ୟାକୁ ମୂଖ୍ୟମନ୍ତ୍ରୀ ଗୁରୁତ୍ୱର ସହିତ ବିଚାର କରି ତାହାର ସମାଧାନ କରିଆସୁଛନ୍ତି । ମାତ୍ର କେନ୍ଦ୍ରମନ୍ତ୍ରୀ ନିଜ ଅଞ୍ଚଳବାସୀଙ୍କୁ ଦିନରେ ଲଣ୍ଠନ ଦେଖେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କରୁଛନ୍ତି ଯାହାକି ଭିତ୍ତିହୀନ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଦିନେ ବି ଦେଖା ଦେଉନଥିବା ମହାଶୟ ଦୀର୍ଘ ସାଢେ଼ଚାରି ବର୍ଷ ପରେ ପାଲଲହଡ଼ାକୁ ଆସି ଖାଲି ଧୁଆଁବାଣ ମାରୁଛନ୍ତି । ଦୀର୍ଘ ଚାରି ବର୍ଷ ଧରି ତାଙ୍କର କାର୍ଯ୍ୟକର୍ତ୍ତା ମାନେ କହି ବୁଲୁଥିବା କେନ୍ଦ୍ରୀୟ ବିଦ୍ୟାଳୟ ଗଲା କୁଆଡେ, ଜଦି ପାଲଲହଡ଼ା ପାଇଁ ଏତେ ଦରଦ ତାହାହେଲେ ସେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଅନୁମୋଦନ ଦିଅନ୍ତୁ ଆମେ ରାଜ୍ୟସରକାରଙ୍କୁ କହି ତାଙ୍କୁ ଜମି ଯୋଗେଇଦେବୁ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀଯୁକ୍ତ ପାଲ ପ୍ରକାଶ କରିଥିଲେ।

What’s your Reaction?
+1
2
+1
0
+1
0
+1
0
+1
3
+1
0
+1
0

Leave a Reply