ଅନୁଗୋଳ – ଜେଲରେ ଶୋଇବା ପଡିଲା ମହଙ୍ଗା ପଡିଛି ଡ୍ଯୁଟି ସମୟରେ ଶୋଇ ରହିଥିବା ଫଟୋ ଭାଇରାଲ ପରେ ଦୁଇ ୱାର୍ଡର ନିଲମ୍ବିତ ହୋଇଛନ୍ତି । ଅନୁଗୋଳ ଜିଲ୍ଲା ତାଳଚେର ଜେଲ୍ର ଦୁଇ ଜେଲ୍ ୱାର୍ଡର୍ ଶୋଇବାର ଫଟୋ ଭାଇରାଲ୍ ହୋଇଛି । ଏହା ଜେଲ୍ ସୁରକ୍ଷା ବ୍ୟବସ୍ଥା ନେଇ ସନ୍ଦେହ ସୃଷ୍ଟି କରିଛି । ଏହା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଥିବା ଜେଲ୍ ଭିତରୁ ଫଟୋ ବାହାରକୁ କେମିତି ଆସିଲା ତାକୁ ନେଇ ବି ଉଠିଛି ପ୍ରଶ୍ନ । ତାଳଚେର ସହର ରେ ଥିବା ଉପଖଣ୍ଡ କାରାଗାରରେ ସୁରକ୍ଷାକର୍ମୀ ଶୋଇବା ନେଇ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖାଯାଉଛି ଯେ ଜେଲ୍ ଭିତରେ ଜଣେ ୱାର୍ଡର ଚୌକିରେ ଶୋଇପଡ଼ିଛନ୍ତି । ସେ ଆଉ ଗୋଟିଏ ଚୌକିରେ ଗୋଡ଼ ରଖି ନିଘୋଡ଼ ନିଦରେ ଶୋଇଛନ୍ତି । ୱାର୍ଡ ଭିତରେ କଏଦୀମାନେ ଥିଲାବେଳେ ସେ ବାରଣ୍ଡାରେ ବିନା ଚିନ୍ତାରେ ଶୋଇବା ପରି ଜଣାପଡୁଛି । ଆଉ ଜଣେ ୱାର୍ଡର୍ ଫାଟକ ନିକଟରେ ଶୋଇଛନ୍ତି । ଫାଟକ ପାଖରେ ରହିଥିବା ଟେବୁଲ୍ ଉପରେ ଜେଲ୍ର ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ରହିଥିଲାବେଳେ ଟେବୁଲ୍ ତଳେ ସେ ଆରାମରେ ଶୋଇଛନ୍ତି । ସେ ୟୁନିଫର୍ମ ଖୋଲି ଖାଲି ଦେହରେ ସେ ତଳେ ଗଡୁଛନ୍ତି । ଜେଲ୍ ଭିତରେ ଏହି ଫଟୋ ଉଠାଯାଇଛି , ପରେ ଏହା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ଚାରି କାନ୍ଥ ଭିତରକୁ ମୋବାଇଲ ଫୋନ୍ ବାରଣ ଥିଲାବେଳେ ଏମାନଙ୍କ ଫଟୋ କେମିତି ଉଠିଲା ତାହା ବି କର୍ତ୍ତୃପକ୍ଷଙ୍କୁ ସନ୍ଦେହ ଘେରକୁ ଟାଣିଛି। ଫଟୋ ଉଠିଥିବା ମୋବାଇଲ ଫୋନ୍ କଏଦୀ ବ୍ୟବହାର କରୁଥିଲେ ନା ଏହା କୌଣସି କର୍ମଚାରୀଙ୍କ ତାହା ସ୍ପଷ୍ଟ ହୋଇନି। ଏହି ଜେଲ୍ରେ ଏବେ ୧୨୫ କଏଦୀ ରହିଛନ୍ତି। ଏମାନଙ୍କ ସୁରକ୍ଷା ଦାୟିତ୍ଵରେ ଥିବା ଦୁଇଜଣ ୱାର୍ଡର ଶୋଇପଡ଼ିବା ଫଟୋ ଭାଇରାଲ ହେବା ପରେ ଜେଲ୍ର ଢିଲା ସୁରକ୍ଷା ବ୍ୟବସ୍ଥା ପଦାରେ ପଡ଼ିଛି । ଅନ୍ତେବାସୀମାନେ ବୁଲାବୁଲି କରୁଥିଲାବେଳେ ୱାର୍ଡର୍ ଶୋଇପଡ଼ିବା ଘଟଣା ସୁରକ୍ଷାଜନିତ ଗୁରୁତର ତ୍ରୁଟି ବୋଲି କୁହାଯାଉଛି । ଏପରିକି ଏମିତି ଢିଲା ସୁରକ୍ଷା ପାଇଁ ବଡ଼ ଧରଣର ଅଘଟଣର ଆଶଙ୍କା ମଧ୍ୟ ରହିଛି । ଏହି ଘଟଣା ଗଣ ମାଧ୍ଯମରେ ଆସିବା ପରେ ଉଭୟ ୱାର୍ଡରଙ୍କୁ ଅନିର୍ଦିଷ୍ଟ ସମୟ ପାଇଁ ନିଲମ୍ବନ । ୱାର୍ଡର ଦ୍ୱୟ ହେଲେ ସୁନୀଲ ମଲ୍ଲିକ ଓ ତ୍ରିଲୋଚନ ଭୋଇ। ସିନିୟର ସୁପରିଟେଣ୍ଡେଣ୍ଟ ପ୍ରଦୀପ୍ତ ବେହେରା ନିଲମ୍ବନ କରିଥିବା ଜଣା ପଡିଛି ।
What’s your Reaction?
+1
+1
+1
+1
+1
2
+1
+1