ମୁଖ୍ୟ ଖବର ୨୦୨୬ ପୂର୍ବରୁ ଚାଲିପାରିବନି ତାଳଚେର ମେଡିକାଲ କଲେଜ !! Angul OnlineOctober 2, 2023October 2, 2023 ଅନୁଗୁଳ – ତାଳଚେର ମେଡିକାଲ କଲେଜ ୨୦୨୬-୨୭ରେ କାର୍ଯ୍ୟକ୍ଷମ ହେବ । ବିଧାନସଭାରେ ରାଜ୍ୟ ସରକାର ଏକଥା କହିଛନ୍ତି । ଅକ୍ଟୋବରରୁ ଏହି ମେଡିକାଲ କଲେଜରେ ରୋଗୀସେବା ଆରମ୍ଭ ହେବ ବୋଲି ଅପେକ୍ଷା କରିଥିଲା ବେଳେ ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିବୃତି ଲୋକଙ୍କ ଦ୍ବନ୍ଦକୁ ବଢ଼ାଇ ଦେଇଛି । ସେପଟେ କାମ ଅଧାପନ୍ତରିଆ ଥିବାରୁ ମେଡିକାଲ କଲେଜରେ ଅକ୍ଟୋବରରୁ ରୋଗୀସେବା ଆରମ୍ଭ ଆଶା ମଉଳିଯାଇଛି । ବାରମ୍ବାର ତାରିଖ ବଦଳିବା ପରେ ଆସନ୍ତା ଅକ୍ଟୋବର ୨ରୁ ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲ୍ ଚାଲିବ ବୋଲି ସ୍ଥିର ହୋଇଥିଲା । ମେଡିକାଲ କଲେଜର କୋଠା ନିର୍ମାଣ ପ୍ରାୟ ୫ ବର୍ଷ ହେଲା ଶେଷ ହୋଇ ଉଦ୍ଘାଟନ ବି ହୋଇସାରିଲାଣି । ମେଡିକାଲ ପରିଚାଳନା ପାଇଁ ଏମ୍ସିଏଲ୍ ଟଙ୍କା ଦେବ ଓ ରାଜ୍ୟ ସରକାର ଏହାକୁ ଚଳାଇବେ ବୋଲି ସ୍ଥିର ହୋଇଥିଲା । କିଛି ଦିନ ତଳେ ସରକାର ଏହି ମେଡିକାଲ କଲେଜକୁ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରିବା ସହ ଅକ୍ଟୋବର ୨ରୁ ରୋଗୀସେବା ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ । ଏହାକୁ ନେଇ ଅନୁଗୁଳ ସମେତ ଆଖାପାଖ ଜିଲ୍ଲାର ଲୋକଙ୍କ ମନରେ ନୂତନ ଆଶା ସଂଚାର ହୋଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ଏହି ମେଡିକାଲ କଲେଜ ଚଳାଇବା ନେଇ ପ୍ରକ୍ରିୟା ଆରମ୍ଭ ହୋଇନି । ମେଡିକାଲ କଲେଜ ପାଇଁ କର୍ମଚାରୀ ନିଯୁକ୍ତି ହୋଇ ନଥିଲାବେଳେ ରୋଗୀସେବା ପାଇଁ ଆବଶ୍ୟକ ଉପକରଣ ପହଞ୍ଚିପାରିନି । ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ୧୦୦ଟି ଆସନ ବିଶିଷ୍ଟ ଏମ୍ବିବିଏସ୍ ପାଠ୍ୟକ୍ରମ ପାଇଁ ପାଠପଢ଼ା ହେବା ସହ ନେହେରୁ ଶତାବ୍ଦୀ ଡାକ୍ତରଖାନାକୁ ମିଶାଇ ୫ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଡାକ୍ତରଖାନା କାର୍ଯ୍ୟ କରିବ ବୋଲି କହାଯାଇଥିଲା । କିନ୍ତୁ ଡାକ୍ତରଖାନା ପାଇଁ ଭିତ୍ତିଭୂମି ସଜଡ଼ା ଚାଲିଛି । ସ୍ଥିତି ଏମିତି ଯେ, ମାସକ ଭିତରେ ଏହା ସରିବା ପରି ଲାଗୁନି । ଏମିତି ପରିସ୍ଥିତିରେ ମେଡିକାଲ କଲେଜ ଚାଲିବା ସନ୍ଦେହ ବଢ଼ିବାରେ ଲାଗିଛି । ମେଡିକାଲ କଲେଜ ନେଇ ଲୋକଙ୍କ ସନ୍ଦେହ ବଢ଼ୁଥିଲାବେଳେ ରାଜ୍ୟ ସରକାରଙ୍କ ମନ୍ତବ୍ୟ ଏହାକୁ ଅଧିକ ଜଟିଳ କରିଛି । ବିଧାନସଭାରେ ବିଧାୟକ ମକରନ୍ଦ ମୁଦୁଲିଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ତାଳଚେର ମେଡିକାଲ କଲେଜ ୨୦୨୬-୨୭ରୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଯାଜପୁର ମେଡିକାଲ କଲେଜ ୨୦୨୪-୨୫ ଓ ଫୁଲବାଣୀ ମେଡିକାଲ କଲେଜ ୨୦୨୫-୨୬ରୁ ଆରମ୍ଭ ହେବ । ଅର୍ଥାତ ପାଖାପାଖି ୩ ବର୍ଷ ପରେ ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ଜଣାପଡ଼ିବା ପରେ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିଛି । Advertisement
ଦୁର୍ଘଟଣାରେ ଜଣେ ମୃତ – ଘଟଣା ସ୍ଥଳରେ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଛେଳିଆପଡା ଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି ।…
ମୋବାଇଲ ଚୋର ଧରିବାକୁ ଯିବା ବେଳେ ପୁଲିସକୁ କାମୁଡି ଦେଲା – ୨ ଗିରଫ ପାଲଲହଡ଼ା – ଏକ ଚୋରା ମୋବାଇଲ କିଣିଥିବା ଜଣେ ଯୁବକକୁ ଧରିବାକୁ ଯାଇ ପୁଲିସକୁ ହଟହଟା ହେବା ସହ ଉକ୍ତ ଯୁବକଙ୍କ ଆକ୍ରମଣରେ ଲହୁଲୁହାଣ ହେବାକୁ ପଡିଛି…
ଚାଷୀଙ୍କୁ ସହାୟକ ହେବ ଡ୍ରୋନ୍ – କରିବ ଔଷଧ ସିଞ୍ଚନ ଛେଣ୍ଡିପଦା – ଚାଷୀଙ୍କୁ ସହାୟକ ହେବ ଡ୍ରୋନ୍ । ଡ୍ରୋନ୍ ସହାୟତାରେ ଚାଷୀ ଫସଲରେ କୀଟନାଶକ ସିଞ୍ଚନ କରି ନିଜର ସମୟ ବଞ୍ଚାଇବା ସହ ଏହା ଚାଷୀର…