ସରୁନି ତାଳଚେର ସାର କାରଖାନା କାମ – ଦୁଇଦୁଇ ଥର କଣ୍ଟ ବଢ଼ାଇଲେଣି ସରକାର

ସରୁନି ତାଳଚେର ସାର କାରଖାନା କାମ – ଦୁଇଦୁଇ ଥର କଣ୍ଟ ବଢ଼ାଇଲେଣି ସରକାର

ତାଳଚେର – ତାଳଚେର ସାର କାରଖାନାର ଶିଳାନ୍ୟାସକୁ ୫ ବର୍ଷ ପୂରିଲା , ହେଲେ ବି କାମ ସରୁ ନାହିଁ କି ଆସନ୍ତା ଏକ ବର୍ଷ ଭିତରେ କାର୍ଯ୍ୟକ୍ଷମ ହେବା ଭଳିଆ ଆଶା ଦେଖା ଯାଉ ନାହିଁ । ସେପଟେ କାର୍ଯ୍ୟକ୍ଷମ ହେବା ନେଇ ସରକାର ଦୁଇ ଦୁଇ ଥର କଣ୍ଟ ବଢ଼ାଇ ସାରିଲେଣି । ଫଳରେ ୟୁରିଆ ଉତ୍ପାଦନ ପାଇଁ ଯେଉଁ ୩୬ ମାସର କଣ୍ଟ ରଖାଯାଇଥିଲା, ସେଥିରେ ଢେର ବିଳମ୍ବ ହୋଇସାରିଲାଣି । ଅନୁଗୁଳ ଜିଲ୍ଲା ତାଳଚେରରେ ଫର୍ଟିଲାଇଜର କର୍ପୋରେସନ ଅଫ୍ ଇଣ୍ଡିଆ(ଏଫ୍‌ସିଆଇ) ଦ୍ବାରା ପରିଚାଳିତ ସାର କାରଖାନା ଅଚଳ ହୋଇଯିବା ପରେ ଏହାର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ । ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ (ଟିଏଫ୍‌ଏଲ)କୁ ଏହି ସାର କାରଖାନା ଦାୟିତ୍ବ ଦିଆଯାଇଥିଲା । ଗେଲ୍ ଇଣ୍ଡିଆ ଲିମିଟେଡ୍‌, କୋଲ୍ ଇଣ୍ଡିଆ ଲିମିଟେଡ୍‌, ରାଷ୍ଟ୍ରୀୟ କେମିକାଲ୍ସ ଆଣ୍ଡ୍ ଫର୍ଟିଲାଇଜର୍ସ ଲିମିଟେଡ୍‌ ଓ ଫର୍ଟିଲାଇଜର୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍‌ ପରି ୪ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ମିଶାଇ ଏହି ଯୌଥ ଉଦ୍ୟୋଗ କରାଯାଇଥିଲା । ନୂଆ କରି ନିର୍ମାଣ ହେଉଥିବା ଏହି ତାଳଚେର ସାର କାରଖାନାରେ କୋଇଲା ବାଷ୍ପୀକରଣ (କୋଲ୍ ଗ୍ୟାସିଫିକେସନ) ପ୍ରଯୁକ୍ତିର ଉପଯୋଗ କରାଯିବ । ଅନୁଗୁଳ ଜିଲ୍ଲାରେ ପ୍ରଚୁର ପରିମାଣରେ କୋଇଲା ଉପଲବ୍ଧ ହେଉଥିବାରୁ କୋଇଲାକୁ ଗ୍ୟାସ୍‌ରେ ରୂପାନ୍ତରିତ କରାଯିବ ଏବଂ ସେହି ଗ୍ୟାସ୍‌ରୁ ୟୁରିଆ ସାର ଉତ୍ପାଦନ କରାଯିବ । କାରଖାନାର ବାର୍ଷିକ ୟୁରିଆ ଉତ୍ପାଦନ କ୍ଷମତା ୧୨.୭ ଲକ୍ଷ ଟନ । ଏହି ପ୍ରକଳ୍ପ ନିର୍ମାଣ ପାଇଁ ୧୩,୨୭୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହି କାରଖାନା ପ୍ରତିଷ୍ଠା ହେଲେ ଭାରତ ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିବ ବୋଲି କୁହାଯାଉଛି । ପ୍ରାୟ ୧୦ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏଥିପାଇଁ ୨୦୧୮ ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭ ଦେଇ ୩୬ ମାସ ଭିତରେ ଏଠାରୁ ଉତ୍ପାଦନ ଆରମ୍ଭ ହେବ ବୋଲି କହିଥିଲେ । କୋଭିଡ୍‌ ଓ ଚାଇନା ସହ ଖରାପ ସଂପର୍କ ପାଇଁ ପ୍ଲାଣ୍ଟର ବିଭିନ୍ନ ଯନ୍ତ୍ରାଂଶ ଆସିବାରେ ସମସ୍ୟା ହେଲା । ତେଣୁ କଣ୍ଟ ବଢ଼ାଯାଇଥିଲା । ପରେ ୨୦୨୩ ସେପ୍ଟେମ୍ବର ସୁଦ୍ଧା ଏହି ନୂଆ ପ୍ଲାଣ୍ଟରୁ ସାର ଉତ୍ପାଦନ ଆରମ୍ଭ କରିବାକୁ କୁହାଯାଇଥିଲା । ଏହା ସମ୍ଭବ ହୋଇନି । ପରବର୍ତ୍ତୀ ସମୟରେ ୨୦୨୪ ସେପ୍ଟେମ୍ବରକୁ ଲକ୍ଷ୍ୟ ରଖାଯାଇଛି । କାମ ଏବେ ଜୋରସୋରରେ ଚାଲିଛି । ବରିଷ୍ଠ ଅଧିକାରୀମାନେ ଆସି ମଝିରେ ମଝିରେ ସ୍ଥିତି ସମୀକ୍ଷା କରୁଛନ୍ତି । ତେବେ କାମ କେବେ ସରିବ ଓ ପ୍ଲାଣ୍ଟରୁ ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ହେବ ତାକୁ ଲୋକମାନେ ଅପେକ୍ଷା କରି ରହିଛନ୍ତି ।

 

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply