ଆଞ୍ଚଳିକ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ – ସମାଧାନ ଦାବିରେ ଅନଶନ Angul OnlineFebruary 22, 2021February 22, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ସମାଧାନ ପାଇଁ ୧୧ଦଫା ଦାବିରେ “ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି” ପକ୍ଷରୁ ଆଜି ପୂର୍ବାହ୍ନ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଗଣ ଅନଶନ ଆରମ୍ଭ ହୋଇଥିଲା । ଅପରାହ୍ନ ୧ଘଟିକା ସମୟରେ ଜିଲ୍ଲା ପ୍ରଶାସନର ଅନୁରୋଧକ୍ରମେ ଏକ ୧୧ ଜଣିଆ ପ୍ରତିନିଧି ମଣ୍ଡଳୀଙ୍କୁ ନେଇ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଅତିରିକ୍ତ ଚିକିତ୍ସାଧିକାରୀ ପ୍ରମୁଖଙ୍କ ଉପସ୍ଥିତିରେ କମିଟି ପକ୍ଷରୁ ଉପସ୍ଥାପିତ ଦାବିଗୁଡିକ ସମ୍ପର୍କରେ ବିଶଦ ଭାବେ ଆଲୋଚନା ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ନେଫ୍ରୋଲୋଜି, ୟୁରଲୋଜି, ଗ୍ୟାଷ୍ଟ୍ରୋଲୋଜି ବିଶେଷଜ୍ଞ ଡାକ୍ତର ଆସିବାରେ କଟକଣା ପ୍ରତ୍ୟାହାର କରାଯାଇ ମାସକୁ ଦିନେ ବଦଳରେ ଦୁଇ ଦିନ ଆସିବା ପାଇଁ ସ୍ଥିର ହୋଇଛି । ଏଥିସହିତ ରୋଗୀ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ନ୍ୟୁରୋଲୋଜି ଡାକ୍ତର ଦିନକୁ ଓଳିଏ ବଦଳରେ ଦୁଇ ଓଳି ରୋଗୀସେବା ଯୋଗାଇଦେବା , ନୂତନଭାବେ ଏଣ୍ଡୋକ୍ରାୟୋଲୋଜି ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ଏଣ୍ଡୋସ୍ପୋପି ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରକାଶ କରିଥିଲେ । କମିଟିର ବାରମ୍ବାର ଦାବି ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲିଖିତଭାବେ ଅବଗତ କରାଯାଇଛି ଏବଂ ଇତି ମଧ୍ୟରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ତିନି ଥର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଥିଲେ । ତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନାରେ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ରାଜ୍ୟ ସରକାରଙ୍କୁ ପୁନର୍ବାର ଲିଖିତ ଭାବେ ଜଣାଇବା ପାଇଁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ୨୪୨ ଡାକ୍ତର ପଦବୀ ଥିବାବେଳେ ମାତ୍ର ୯୯ ଜଣ ଡାକ୍ତର ରୋଗୀ ସେବାରେ ଥିବାରୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସମସ୍ୟା ରହିଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଥିଲେ । ନୂତନ ଡାକ୍ତର ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ଅବଗତ କରାଯିବା ସହିତ ଖାଲି ପଡିଥିବା ନର୍ସ ଏବଂ କର୍ମଚାରୀ ପଦବୀ ଖୁବ୍ ଶୀଘ୍ର ପୂରଣ ହେବବୋଲି ସେ ପ୍ରକାଶ କରିଥିଲେ । ଚର୍ମରୋଗ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ୍ ସାମଲଙ୍କୁ ବ୍ଲଡ୍ ବ୍ୟାଙ୍କ ଦାୟିତ୍ୱରୁ ମୁକ୍ତ କରାଯାଇଛି ଏବଂ ନୂତନଭାବେ ଜଣେ ବ୍ଲଡ ଟ୍ରାନ୍ସଫ୍ୟୁଜନ୍ ବିଶେଷଜ୍ଞ ଡାକ୍ତର ବ୍ଲଡ ବ୍ୟାଙ୍କରେ ନିଯୁକ୍ତି ଦିଆଯାଇଛି ବୋଲି ସେ କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟ୍ରମା କେୟାର ସେଣ୍ଟର ଛଅ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବାସହିତ ଦୁର୍ଘଟଣା ପ୍ରବଣ ବଇଣ୍ଡା ଓ ବଅଁରପାଳ ଠାରେ ଦୁଇଟି ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହି ଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବର୍ଣ୍ଣ ୟୁନିଟ୍କୁ ଅତ୍ୟାଧୁନିକ ପଦ୍ଧତିରେ ବିକଶିତ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ପୋଲଟ୍ରି ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଛି । ପୋଲଟ୍ରି ଫାର୍ମର ୪ଏକର ୬୪ଡେସିମିଲି ଜାଗା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହସ୍ତାନ୍ତର କରାଯାଇଛି । ଅବିଶିଷ୍ଟ ଜାଗା ଖୁବ୍ ଶୀଘ୍ର ହସ୍ତାନ୍ତର ପାଇଁ ପ୍ରକ୍ରିୟା ଗ୍ରହଣ କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିନିଧି ମଣ୍ଡଳୀକୁ ଜଣାଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିସରରେ ଉନ୍ନତ ଡ୍ରେନେଜ୍ ବ୍ୟବସ୍ଥା ପାଇଁ ମ୍ୟୁନିସିପାଲିଟିକୁ ୮୮ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଥିଲେ । ଜିଲ୍ଲାର ସମସ୍ତ ଉପଖଣ୍ଡ ସ୍ତରରେ ଡାକ୍ତରଖାନାକୁ ଅଲଟ୍ରା ସାଉଣ୍ଡ ମେସିନ୍ ଯୋଗାଇଦିଆଯାଇଛି ମାତ୍ର ବିଶେଷଜ୍ଞ ଡାକ୍ତର ଅଭାବରୁ ଏହା କାର୍ଯ୍ୟକ୍ଷମ ହୋଇନାହିଁ । ବିଶେଷଜ୍ଞ ଡାକ୍ତର ନିଯୁକ୍ତି କିମ୍ବା ସ୍ଥାନୀୟ ଡାକ୍ତରଙ୍କୁ ତାଲିମ୍ ଦେଇ ଅଲ୍ଟ୍ରାସାଉଣ୍ଡ ମେସିନ୍ କାର୍ଯ୍ୟକ୍ଷମ ହେବା ପାଇଁ କମିଟି ପକ୍ଷରୁ ଦାବି କରାଯାଇଥିଲା, ଏ ସଂକ୍ରାନ୍ତରେ ପଦକ୍ଷେପ ନେବାପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ନର୍ସିଂ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ବିଧିବଦ୍ଧଭାବେ ପ୍ରସ୍ତାବ ଦେବାପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ଏଥିସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ୟାନସର୍ ରୋଗୀମାନଙ୍କୁ ସପ୍ତାହକୁ ଦୁଇ ଦିନ ବଦଳରେ ପ୍ରତ୍ୟେକ ଦିନ କେମୋ ଥେରାପି ଯୋଗାଇଦେବା, ମାଗଣା ଔଷଧ ଯୋଗାଇଦେବା ପାଇଁ କମିଟି ପକ୍ଷରୁ ଦାବି କରାଯାଇଥିଲା । କ୍ୟାନସର୍ ରୋଗୀମାନଙ୍କୁ ମାଗଣା ଔଷଧ ଯୋଗାଇ ଦିଆ ଯାଉଛି, ଔଷଧ ନ ମିଳିଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇଲେ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ । Advertisement
ଶହୀଦ ଯବାନଙ୍କ ଉଦ୍ଦେଶ୍ୟର ସ୍ମୃତିଚାରଣ ଅନୁଗୁଳ – ଅମଲାପଡାସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନ ପରିସରରେ ବୁଧବାର ତାମିଲନାଡୁ କୁନ୍ନୁର ନିକଟରେ ଘଟିଥିବା ବାୟୁସେନା ବିମାନ ଦୁର୍ଘଟଣାରେ ନିହତ ଶହୀଦଙ୍କ ସ୍ମୃତିରେ ଏକ ଶୋକସଭା…
୨୦ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ମେଳା ଅନୁଗୁଳ – ଅନୁଗୁଳ ବିଜୁ ମୈଦାନଠାରେ ଅନୁଗୁଳ ମେଳା ଅନୁଷ୍ଠିତ ହୋଇଯାଇଅଛି । ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା…
ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା – ଜଣେ ମୃତ ତାଳଚେର -(AO)- ଅନୁଗୁଳ ଜିଲ୍ଲା ତାଳଚେର-ବଅଁରପାଳ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ୫୩ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ନରେ ମହମ୍ମଦ…