ପୁଲିସକୁ ଆକ୍ରମଣ କଲେ ଉତ୍ତ୍ଯକ୍ତ ଲୋକେ-ଜାତୀୟ ରାଜପଥରେ ପୁଣି ମୁଣ୍ଡ ଗଡିବାକୁ ନେଇ ଉତ୍ତେଜନା

ପୁଲିସକୁ ଆକ୍ରମଣ କଲେ ଉତ୍ତ୍ଯକ୍ତ ଲୋକେ-ଜାତୀୟ ରାଜପଥରେ ପୁଣି ମୁଣ୍ଡ ଗଡିବାକୁ ନେଇ ଉତ୍ତେଜନା

ଅନୁଗୁଳ – ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ପୁଣି ଆଜି ଏକ ଜୀବନ ଯାଇଛି । ଯାହକୁ ନେଇ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିବା ବେଳେ ଉତ୍ତ୍ଯକ୍ତ ଲୋକଙ୍କ ଆକ୍ରୋଶର ଶିକାର ପୁଲିସ ହୋଇଛି । ସୁଚନା ଅନୁସାରେ ଅନୁଗୁଳ ସହର ଏଫ ସି ଆଇ ଗୋଦାମ ନିକଟରେ ଟ୍ରକ ଚାପାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟବସାୟୀ ଜଣଙ୍କ ଢେଙ୍କାନାଳ ଜିଲ୍ଲାର ଦୁଷ୍ମନ୍ତ କୁମାର ପଣ୍ଡା । ସେ ଏହି ଏଫ ସି ଆଇ ଗୋଦାମ ନିକଟରେ ସ୍ପେୟର ପାର୍ଟସ ଦୋକାନ କରିଥିବା ବେଳେ ଆଜି ଅପରାହ୍ନରେ ସେ ସ୍ପେୟାର ପାର୍ଟସ ନେଇ ବସ ଷ୍ଟାଣ୍ଡକୁ ଯାଉଥିଲେ । ସେହି ସମୟରେ ସହର ପଟରୁ ଆସୁଥିବା ଏକ ପାଉଁଶ ବୋଝେଇ ହାଇବା ତାଙ୍କୁ ଧକ୍କା ଦେବା ସହ କିଛି ଦୁର ଘୋଷାଡି ନେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେବା ସହ ରାଜପଥ ଅବରୋଧ କରାଯାଇଛି । ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଂଚି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା । ହେଲେ ଉତ୍ତ୍ଯକ୍ତ ଲୋକ କ୍ଷତିପୁରଣ ଦାବି ସହ ଜାତୀୟ ରାଜପଥର ଦୁରାବସ୍ଥା ଦୁର ନ ହେବା ଯାଏ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚେତବନୀ ଦେଇଥିଲେ । ଏହାକୁ ନେଇ ପୁଲିସ ଓ ଜନତାଙ୍କ ମଧ୍ଯରେ ଉଚ୍ଚବାଚ୍ଚ ହୋଇଥିଲା । ଏପରିକି ପରିସ୍ଥିତି ଏପରି ହୋଇଥିଲା ଯେ ଲୋକ ପୁଲିସକୁ ଧସ୍ତାଧସ୍ତି କରିଥିଲେ । ଅନୁଗୁଳ ଥାନା ଅଧିକାରୀ ଧିରେଶ ଦାସ  ଏଥିରେ ବାଧା ଦେବାରୁ ଲୋକ ତାଙ୍କୁ ଓ ଅନ୍ଯ ପୁଲିସ ଅଧିକାରୀଙ୍କୁ ହଠାତ ଆକ୍ରମଣ କରି ଦେଇଥିଲେ । ଲୋକଙ୍କ ଆକ୍ରୋଶର ଶିକାର ହୋଇ ଥାନା ଅଧିକାରି ଦୌଡି ଯାଇ ଏକ ରେଷ୍ଟୁରାଣ୍ଟ ଭିତରକୁ ପଶି ଯାଇଥିଲେ । ସ୍ଥାନୀୟ ସରପଂଚ ଓ ଅନ୍ଯ କିଛି ଲୋକ ହସ୍ତକ୍ଷେପ କରି ଉତ୍ତ୍ଯକ୍ତ ଲୋକଙ୍କୁ ଏଥିରୁ ନିବୃତ କରିଥିଲେ । ଏହା ପରେ ଲୋକ ଜାତୀୟ ରାଜପଥ ଉପରେ ବସିରହିଛନ୍ତି । ଅନୁଗୁଳ ଏସ୍ ଡି ପି ଓ ରମାକାନ୍ତ ମାହଳିକ , ତହସିଲଦାର ଆଦି ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଖବର ଲେଖା ଯିବା ସୁଧା ଆଲୋଚନା ଚାଲିଥିବା ବେଳେ କୌଣସି ସୁଫଳ ମିଳି ପାରି ନାହିଁ ।

What’s your Reaction?
+1
1
+1
0
+1
0
+1
0
+1
4
+1
2
+1
3

Leave a Reply