ବାହାଘର ଉତ୍ସବରେ ଗୁଳି ଫୁଟାଇ ୨ ଗିରଫ – ପିସ୍ତଲ , ଗୁଳି ଜବତ

ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀଛକ ପାଖ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଅଚିହ୍ନା ଯୁବକ ଏକ ଫରଚୁନର କାରରେ ଆସି ଏକ ବାହାଘର ଉତ୍ସବ ନିକଟରେ ତିନି ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଦୃତ ଗତିରେ ପଳାଇ ଯାଇଥିଲେ । ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଏମାନଙ୍କୁ ପିଛା କରି ଧରିବାରେ ସକ୍ଷମ ହୋଇଛି । ଏମାନେ ହେଲେ ବିହାର ରାଜ୍ୟ ମୁନିଆ ଜିଲ୍ଲା ସାରର୍ସି ଗ୍ରାମର କୈଳାସ ସିଂହ , ଅନ୍ୟ ଜଣଙ୍କ ହେଲେ ଉତ୍ତର ପ୍ରଦେଶ ରାଜ୍ୟ ବାଲିଆ ଜିଲ୍ଲାର ମୁଜାଇ ଗ୍ରାମର ଅରୁଣ କୁମାର । ସୂଚନା ଅନୁସାରେ କୈଳାସ ସିଂହ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ନୟାପଲି ଅଞ୍ଚଳରେ ରହୁଥିବା ବେଳେ ଅରୁଣ କୁମାର ଢେଙ୍କାନାଳ ଜିଲ୍ଲା ବଳରାମ ପ୍ରସାଦ ସ୍ଥିତ ଡୁଲାପୁର ଛକ ନିକଟରେ ରହୁଛନ୍ତି । ଗତ କାଲି ଉକ୍ତ ଅଞ୍ଚଳର ବିଶିଷ୍ଟ ଶିଳ୍ପପତି ଗଙ୍ଗାଧର ସାମଲଙ୍କ ଝିଅଙ୍କର ବିବାହ ଉତ୍ସବ ଚାଲିଥିଲା । ସେହି ସମୟରେ ଏହି ଦୁଇ ଅଜଣା ଯୁବକ ଉକ୍ତ କାରରେ ଆସି ତିନି ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ ଏବଂ ଦ୍ରୁତ ଗତିରେ ପଳାଇ ଯାଇଥିଲେ । ବଅଁରପାଳ ଥାନା ପୁଲିସ ଖବର ପାଇ ସଦଳେ ବଳେ ଘଟଣା ସ୍ଥଳରେ ପହଞ୍ଚିବା ସହ ଏମାନଙ୍କୁ ପିଛା କରିଥିଲେ । ଏମାନେ ଢେଙ୍କାନାଳ ଆଡକୁ ପଳାଇ ଯାଇଥିବା ବେଳେ ବଅଁରପାଳ ପୁଲିସ ଖବର ପାଇ ଢେଙ୍କାନାଳ ପୁଲିସଙ୍କ ସହାୟତାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ  । ଆଜି ଢେଙ୍କାନାଳ ସଦର ଥାନା ତମାଣ୍ଡ ଗ୍ରାମରେ ଥିବା ଏକ ଫାର୍ମ ହାଉସରୁ ଉଭୟଙ୍କୁ ଗିରଫ କରା ଯାଇଥିଲା । ପୁଲିସ ଏମାନଙ୍କ ଠାରୁ ଗୋଟିଏ ପିସ୍ତଲ ସହ ପାଞ୍ଚ ରାଉଣ୍ଡ ଗୁଳି , ଏକ ଫାଙ୍କା ମାଗାଜିନ, ଚାରୋଟି ଫାଙ୍କା ଖୋଳ , ଏକ ଫରଚୁନର୍ କାର , ସାଢେ ସାତ ଲିଟର ବିଦେଶୀ ମଦ , ତିନିଟି ମୋବାଇଲ ଫୋନ ଜବତ କରି କୋର୍ଟ ଚାଲାଣ କରିଛି ।

           

Advertisement

Leave a Reply

Your email address will not be published. Required fields are marked *