ଅନୁଗୁଳ – ହେଲୋ …. ‘ମୁଁ ସିଏମ ଅଫିସରୁ କହୁଥିଲି, ଦୁଇ ଲକ୍ଷ ଟଙ୍କା ନଦେଲେ ମାଲକାନଗିରି ପଠାଇଦେବି’। ଜଣେ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏଭଳି ଢଙ୍ଗରେ ଧମକ ଦେଇ ୨ ଲକ୍ଷ ଟଙ୍କା ଲୁଟି ନେଇଛି ଧୂର୍ତ୍ତ । ଦୁଇ ଲକ୍ଷ ନେବାପରେ ମଧ୍ୟ ଡରାଇ ଧମକାଇ ଆହୁରି ୫ ଲକ୍ଷ ଟଙ୍କା ମାଗୁଛି । ଦାଦା ବଟିର ଶିକାର ହୋଇଥିବା ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ କୁମାର ହରିପାଲ ଏୟାରଫିଲ୍ଡ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ଅନୁସାରେ , ପ୍ରତାପ କୁମାର ହରିପାଲ ଅନୁଗୁଳ ରାସ୍ତା ଓ କୋଠାବାଡ଼ି ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଭାବେ କାମ କରୁଛନ୍ତି। ପ୍ରାୟ ଏକମାସ ପୂର୍ବେ ଜାନକୀବଲ୍ଲଭ ମହାପାତ୍ର ନାମକ ଜଣେ ବ୍ୟକ୍ତି ତାଙ୍କୁ କଲ୍ କରିଥିଲା । ନିଜକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେବା ସହିତ ମାଲକାନଗିରି ବଦଳି କରିଦେବ ବୋଲି ଧମକ ଦେଇଥିଲା । ବଦଳି ରୋକିବାକୁ ହେଲେ ଦୁଇ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ ଆସିଥିବାରୁ ପ୍ରତାପ ଭୟରେ ଆଉ କୈାଣସି ଉପାୟ ନପାଇ ତା’ କଥାରେ ରାଜି ହୋଇ ଯାଇଥିଲେ । ଜାନକୀ କହିବା ମୁତାବକ ପ୍ରତାପ ତା’ର ଭିମଟାଙ୍ଗୀ ସ୍ଥିତ ଘରକୁ ଆସି ୨ ଲକ୍ଷ ଟଙ୍କା ଦେଇଥିଲେ । ହେଲେ ଏହାପରେ ମଧ୍ୟ ଜାନକୀର ଆତଙ୍କ ଥମି ନଥିଲା । ସେ ପୁଣିଥରେ ଫୋନ୍ କରି ଆହୁରି ୫ ଲକ୍ଷ ଟଙ୍କା ମାଗିଥିଲା । ପ୍ରତାପ ଅରାଜି ହେବାରୁ ଜାନକୀ ଗାଳିଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ଶେଷରେ ପ୍ରତାପ କୈାଣସି ଉପାୟ ନପାଇ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ମଧ୍ୟ ତାଙ୍କ ଅଭିଯୋଗ ଆଧାରରେ କେସ୍ ନଂ – ୨୦୧/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।