୨୦୨୪ ନିର୍ବାଚନ ପୂର୍ବରୁ ଅଣ୍ଟା ଭିଡିଲା ଆମ୍ ଆଦ୍‌ମୀ ପାର୍ଟି

୨୦୨୪ ନିର୍ବାଚନ ପୂର୍ବରୁ ଅଣ୍ଟା ଭିଡିଲା ଆମ୍ ଆଦ୍‌ମୀ ପାର୍ଟି

ଅନୁଗୁଳ – ସାଧାରଣ ନିର୍ବାଚନ – ୨୦୨୪ରେ ଆମ୍ ଆଦ୍‌ମୀ ପାର୍ଟି ( ଆପ୍ ) ଓଡ଼ିଶାର ସମସ୍ତ ନିର୍ବାଚନୀ ମଣ୍ଡଳୀରେ ପ୍ରାର୍ଥୀ ଦେବ ଓ ନିର୍ବାଚନରେ କଂଗ୍ରେସ ଏବଂ ବିଜେପି , ବିଜେଡି ବିରୋଧରେ ଲଢ଼ିବ । କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବ ନାହିଁ । ଓଡ଼ିଶାରେ ଆପ୍ ଦିଲ୍ଲୀ ମଡେଲ ଢାଞ୍ଚାରେ ନିର୍ବାଚନ ଲଢ଼ିବା ସହ ପଞ୍ଜାବ ଓ ଗୁଜୁରାଟ ପରେ ଓଡ଼ିଶାରେ ମଧ୍ୟ ସରକାର ଗଢ଼ି ଲୋକଙ୍କୁ ସେମାନଙ୍କ ମୌଳିକ ଅଧିକାର , ଶିକ୍ଷା , ସ୍ୱାସ୍ଥ୍ୟସେବା ପ୍ରଭୃତି ମାଗଣାରେ ଯୋଗାଇବାକୁ ନିଶ୍ଚିତ ବୋଲି ଆପ୍ ମୁଖ୍ୟ ରାଜ୍ୟପ୍ରବକ୍ତା ରଙ୍ଗାଚରଣ ପ୍ରଧାନ ଏଠାରେ ଆୟୋଜିତ ଜିଲା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଆପ୍‌ର ‘ ମେକ୍ ଇଣ୍ଡିଆ ନମ୍ବର ୧ ’ ପ୍ରଭାବଶାଳୀ ସ୍ଲୋଗାନକୁ ଦଳ ସମଗ୍ର ଦେଶ ଓ ବିଶେଷତଃ ଓଡ଼ିଶାରେ ଆଧାର କରି ବୁଥ୍ ବ୍ଳକ , ଜିଲା ଓ ରାଜ୍ୟ ତମାମ୍ କର୍ମକର୍ତ୍ତା ଓ ଦଳୀୟକର୍ମୀଙ୍କ ମାଧ୍ୟମରେ କାର୍ଯ୍ୟ କରିବ ବୋଲି ସେ କହିବା ସହ ଦଳ ଜିଣିଲେ ରାଜ୍ୟରେ ୨୦୦ ୟୁନିଟ ବିଦ୍ୟୁତ ଶକ୍ତି ସମସ୍ତ ନାଗରିକଙ୍କୁ ନିଶୁଳ୍କ ପ୍ରଦାନ କରାଯିବ ବୋଲି ସେ ଦଳ ପକ୍ଷରୁ ପ୍ରତିଶ୍ରୁତି ଦେଇଛନ୍ତି । ରବିବାର ପୂର୍ବାହ୍ନରେ ଅନୁଗୁଳ ମଦନମୋହନପଡ଼ା ପୌର ଟାଉନହଲ ପରିସରରେ ଆପ୍ ପକ୍ଷରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ରାଜ୍ୟ ଓ ଜିଲାର ସମଗ୍ର ଅଞ୍ଚଳରୁ ଯୋଗଦେଇଥିବା ଆପ୍ ନେତାମାନେ ଦଳର ସାଙ୍ଗଠନିକ ବିକାଶ ପାଇଁ ତତ୍ପରତା ପ୍ରକାଶ କରିଥିଲେ । ଏକ ରାଜନୈତିକ ଦଳର ୨୫ ବର୍ଷ ଓଡ଼ିଶା ଶାସନକାଳରେ ଶିକ୍ଷା , ସ୍ଵାସ୍ଥ୍ୟ ଗମନାଗମନ , ଗରିବୀ ଓ କ୍ଷୁଧା ଦୂର କରିବା ରସାତଳକୁ ଯାଇଛି ଏବଂ ଏହା ମଧ୍ୟ ଦେଶର ଚିତ୍ର ବୋଲି ପ୍ରକାଶ କରି ଅନୁଗୁଳ ଜିଲାକୁ ଦୃଷ୍ଟାନ୍ତ ଭାବେ ଗ୍ରହଣ କରିବା ପାଇଁ ଶ୍ରୀ ପ୍ରଧାନ କହିଛନ୍ତି । ପାନୀୟଜଳ ଓ କୁପୋଷଣ ଦେଶର ପ୍ରଧାନ ସମସ୍ୟା ଭାବେ ଭତ୍ତା ହୋଇଥିବାବେଳେ ଧନୀକ ଶ୍ରେଣୀକୁ ସରକାର ୧୦ ଲକ୍ଷ କୋଟି ଟଙ୍କା ୫ବର୍ଷରେ ଋଣ ଛାଡ଼ କରିଥିବା ସୂଚନା ଦେଇଛନ୍ତି ଆପ୍ ନେତା ଶ୍ରୀ ପ୍ରଧାନ । ସେହିପରି କୃଷକଙ୍କ ଆୟ ଓଡ଼ିଶାରେ ନିମ୍ନସ୍ତରରେ ରହିଛି ଏବଂ ବୋଲି ସେ ଅଭିଯୋଗ କରିଛନ୍ତି । ଆନ୍ଧ୍ରରେ ୧୧ ହଜାର ଟନ୍ କଫି ଉତ୍ପାଦନ ହେଉଥିବାବେଳେ ଓଡ଼ିଶାରେ ଏହା ମାତ୍ର ୬ ଶହ ଟନ୍‌ରେ ସୀମିତ ରହିଛି ବୋଲି ଶ୍ରୀ ପ୍ରଧାନ ଆଜିର ସମ୍ମିଳନୀରେ ଉଲ୍ଲେଖ କରିଛନ୍ତି । ଅନୁଗୁଳ ଜିଲାରେ ବିସ୍ଥାପନ , ପ୍ରଦୂଷଣ , ବେକାରୀ , ତାଳଚେର ବିପର୍ଯ୍ୟସ୍ତ ମେଡ଼ିକାଲ କଲେଜ ଗମନାଗମନ ପ୍ରଭୃତିକୁ ପ୍ରସଙ୍ଗ କରିବା ସହ ନିର୍ବାଚନ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମଡ଼େଲ ହସ୍ପିଟାଲ କରିବ ବୋଲି ଆପ୍ ପ୍ରତିଶ୍ରୁତି ଦେଇଛି । ସମ୍ମିଳନୀରେ ଜ୍ୟୋତିରଞ୍ଜନ ପଣ୍ଡା , ଶ୍ରୀକାନ୍ତ କୁମାର ପାଣି , ରଣଜିତ୍ ମହାପାତ୍ର , ଜଗଦୀଶ ଦାସ , ଅଞ୍ଜୁନା ମହାପାତ୍ର ଓ ଚାନ୍ଦୁ ସାମାଡ଼ , ଦେବ ରଞ୍ଜନ ସାମଲ ପ୍ରଭୃତିଙ୍କ ସମେତ ସମସ୍ତ ବ୍ଳକର କର୍ମୀମାନେ ଯୋଗଦେଇଥିଲେ ।

What’s your Reaction?
+1
1
+1
0
+1
1
+1
0
+1
0
+1
1
+1
0

Leave a Reply