ଜୋର ଜବରଦସ୍ତ ଚାନ୍ଦା ଅଭିଯୋଗ – ଡ୍ରାଇଭରମାନେ ଏକାଠି ହୋଇ ଛିଡା କରିଦେଲେ ଟ୍ରକ

ଜୋର ଜବରଦସ୍ତ ଚାନ୍ଦା ଅଭିଯୋଗ – ଡ୍ରାଇଭରମାନେ ଏକାଠି ହୋଇ ଛିଡା କରିଦେଲେ ଟ୍ରକ

ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ସିପିପି ପ୍ଳାଣ୍ଟ ସମ୍ମୁଖରେ କିଛି ଲୋକ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ କରିଛନ୍ତି ଡ୍ରାଇଭର । ଚାନ୍ଦା ନଦେଲେ ମାଡପିଟ ମଧ୍ୟ କରୁଥିବା ଅଭିଯୋଗ ଆସିଥିବା ବେଳେ ଏହାକୁ ନେଇ ଆଜି ଏକ ପ୍ରକାର ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ଏଭଳି ବେଆଇନ ଚାନ୍ଦା ଆଦାୟକୁ ବିରୋଧ କରିବା ସହ ଏକାଠି ହୋଇ ପ୍ରାୟ ୬ ଘଣ୍ଟା ଟ୍ରକ ସବୁ ସିପିପି ପ୍ଳାଣ୍ଟ ଆଗରେ ଛିଡା କରି ଦେଇଥିଲେ । ସୂଚନା ଅନୁସାରେ ତାଳଚେର କୋଇଲା ଖଣିରୁ ଦୈନଦିନ ଶହ ଶହ ଟ୍ରକ କୋଇଲା ନେଇ ସିପିପି ପ୍ଳାଣ୍ଟକୁ ଆସିଥାନ୍ତି । ଦୀର୍ଘ ବର୍ଷ ହେଲା ଏହି ସବୁ ଟ୍ରକ ଏଠାକୁ କୋଇଲା ପରିବହନ କରି ଆସୁଥିବା ବେଳେ କେବେ କେଉଁଠି ଚାନ୍ଦା ଦେବାକୁ ପଡି ନଥାଏ । ତେବେ ଗତ ପ୍ରାୟ ୬ ମାସ ତଳୁ ଏହି ସବୁ ଟ୍ରକ ସିପିପି ଗେଟ ପାର ହୋଇ ଭିତରକୁ ଯିବା ବେଳେ କିଛି ସ୍ଥାନୀୟ ଲୋକ ପ୍ରଥମେ ପ୍ରଥମେ ୩୦ ଟଙ୍କା ଲେଖାଏଁ ଚାନ୍ଦା ଆଦାଯ କରିଥିଲେ । ଡ୍ରାଇଭର ମାନେ ମଧ୍ୟ ବିବାଦ ଭିତରକୁ ନ ପଶିବା ପାଇଁ ଚାନ୍ଦା ଦେଇ ଚାଲିଥିଲେ । ପରେ ସେହି ଚାନ୍ଦା ଆଦାୟକାରୀ ମାନେ ୩୦ ବଦଳରେ ୫୦ ଟଙ୍କା ଲେଖାଏଁ ଆଦାୟ କରିଥିଲେ । ଯାହାକୁ ବିରୋଧ କରିବା ସହ ଡ୍ରାଇଭର ମାନେ ନାଲକୋନଗର ଥାନା ପୁଲିସକୁ ଏ ନେଇ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ଘଟନା ସ୍ଥଳକୁ ଯିବା ପରେ ଚାନ୍ଦା ଆଦାୟକାରୀ ମାନେ କୁଆଡେ ପଳାଇ ଯାଇଥିଲେ । ଏହା ପରେ କିଛି ଦିନ ପୁଲିସ ପେଟ୍ରୋଲିଂ କରିବାରୁ ଏହି ବେଆଇନ ଚାନ୍ଦା ଆଦାୟ କିଛିଦିନ ପାଇଁ ବନ୍ଦ ହୋଇ ଯାଇଥିଲା ବୋଲି ଡ୍ରାଇଭର ମାନେ କହିଛନ୍ତି । ତେବେ କିଛିଦିନ ଅନ୍ତରାଳେ ଗତ ଦୁଇଦିନ ହେଲା ପୁଣି ସେହି ସ୍ଥାନରେ ଚାନ୍ଦା ଆଦାୟ ଆରମ୍ଭ ହୋଇ ଯାଇଥିଲା । ଯିଏ ଚାନ୍ଦା ନଦେଲା ସେମାନଙ୍କୁ ଗାଳି ଗୁଲଯ କରିବା ସହ ମାଡପିଟ କରାଯାଉଥିବା ଅଭିଯୋଗ ହୋଇଛି । ଏ ନେଇ ଫୋନ ଯୋଗେ ପୁଲିସକୁ ସୂଚନା ଦେଲେ ମଧ୍ୟ ପୁଲିସ ଘଟଣା ସ୍ଥଳକୁ ଆସୁ ନାହିନ ବୋଲି ଡ୍ରାଇଭର ମାନେ କହିଛନ୍ତି । ଆଉ ଏଥିପାଇଁ ଆଜି ପ୍ରାୟ ୧୦୦ ରୁ ଊର୍ଦ୍ଧ୍ଵ ଟ୍ରକ ଡ୍ରାଇଭର ଏହାକୁ ବିରୋଧ କରି ସିପିପି ଗେଟ ନିକଟରେ ଗାଡି ସବୁ ଛିଡା କରି ଦେଇଥିଲେ । ପ୍ରାୟ ୬ ଘଣ୍ଟା ଧରି ଟ୍ରକ ସବୁ କୋଇଲା ଖାଲି ନକରି ଛିଡା ହୋଇ ରହିଥିଲେ । ପରେ ଗାଡି ମାଲିକଙ୍କ ସହ ଯୋଗାଯୋଗ କରି ସେମାନେ କୋଇଲା ଗାଡି ଖାଲି କରିବାକୁ ଯାଇଥିଲେ । ତେବେ ଏହି ବେଆଇନ ଚାନ୍ଦା କିଏ ଓ କାହିଁକି ଆଦାୟ କରୁଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ପଛରେ କେହି ବଡ ମୁଣ୍ଡ ରହିଥିବା ଆଲୋଚନା ମଧ୍ୟ ହେଉଛି ।

What’s your Reaction?
+1
0
+1
0
+1
0
+1
0
+1
9
+1
0
+1
3

Leave a Reply