ଅନୁଗୋଳ ରାଜନୀତି – ନୂଆଁ ଚେହେରା ନା ପୁରୁଣା ଲଢେଇ !!

ଅନୁଗୋଳ ରାଜନୀତି – ନୂଆଁ ଚେହେରା ନା ପୁରୁଣା ଲଢେଇ !!

 

ଅନୁଗୋଳ – ରାଜନୀତି ଦୃଷ୍ଟିରୁ ବେଶ ଗୁରୁତ୍ବ ରଖୁଥିବା ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡିର ଦବ୍‌ଦବା ରହି ଆସିଛି । ୨୦୦୪ରୁ ଲଗାତାର ଭାବେ ରଜନୀକାନ୍ତ ସିଂହ ବିଧାୟକ ଭାବେ ଜିତି ଆସୁଥିବା ବେଳେ ୨୦୧୪ ଓ ୨୦୧୯ ନିର୍ବାଚନରେ ପ୍ରତାପ ପ୍ରଧାନ ତାଙ୍କୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ଅଳ୍ପକେ ପରାସ୍ତ ହୋଇଥିଲେ । ଏବେକାର ରାଜନୈତିକ ପରିସ୍ଥିତି ଯାହା, ଏଠାରେ ପୁଣି ପୁରୁଣା ଲଢ଼େଇ ହେବାର ସମ୍ଭାବନା ଅଧିକ । ବିଜେଡି ଓ ବିଜେପି ପକ୍ଷରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଏକପ୍ରକାର ସବୁଜ ସଙ୍କେତ ମିଳି ସାରିଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ଦ୍ବନ୍ଦ ଦୂର ହେଉନି । ଓଡିଶାରେ ବିଜେଡି ଗଠନ ପରଠାରୁ ଅନୁଗୋଳରେ ବିଜେଡି କେବେ ହାରିନି । ୨୦୦୦ ନିର୍ବାଚନରେ ବିଜେଡିର ବରିଷ୍ଠ ନେତା ଅଦ୍ବୈତ ପ୍ରସାଦ ସିଂହ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ୨୦୦୪ରେ ତାଙ୍କ ବଦଳରେ ପୁଅ ରଜନୀକାନ୍ତ ସିଂହଙ୍କୁ ଦଳ ଟିକେଟ ଦେଇଥିଲା । ଆଉ ଏହା ପରେ ରଜନୀକାନ୍ତ କ୍ରମାଗତ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଗତ ୨୦୧୯ ନିର୍ବାଚନରେ ସେ ୬୫,୩୮୮ ଖଣ୍ଡ ଭୋଟ୍‌ ପାଇଥିଲାବେଳେ ବିଜେପିର ପ୍ରତାପ ପ୍ରଧାନଙ୍କୁ ୫୬,୫୬୫ ଖଣ୍ଡ ଭୋଟ ମିଳିଥିଲା । କଂଗ୍ରେସର ବିପ୍ଳବ ଜେନା ୩୦,୫୭୨ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ଥିଲେ । ଏହା ପୂର୍ବରୁ ୨୦୧୪​ରେ ରଜନୀକାନ୍ତ ସିଂହ ୭୨,୩୭୯ ଖଣ୍ଡ ଭୋଟ୍‌ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ଭବେ ଲଢ଼ି ପ୍ରତାପ ପ୍ରଧାନ ୫୨,୦୩୬ ଖଣ୍ଡ ଭୋଟ୍‌ ଓ ବିଜେପିର ମୀନକେତନ ଅମାନ୍ତ ୧୯,୯୪୮ ଖଣ୍ଡ ଭୋଟ୍‌ ପାଇଥିଲେ । ଅନୁଗୋଳରେ ଆଗରୁ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେଉଥିଲାବେଳେ ଗତଥର ଏହି ଧାରା ବଦଳି ବିଜେପି ସହ ବିଜେଡି ଲଢ଼ିଥିଲା । ଏଥର ମଧ୍ୟ ଏହି ଲଢ଼େଇର ପୁନରାବୃତ୍ତି ହେବା ଏକ ପ୍ରକାର ନିଶ୍ଚିତ । ପଞ୍ଚାୟତ ଓ ପୌର ନିର୍ବାଚନରେ ବିପୁଳ ସଫଳତା ପାଇଥିଲା । ମୁଖ୍ଯତଃ ରଜନୀକାନ୍ତଙ୍କ ଗୋଟି ଚାଳଣା ହିଁ ଏହି ସଫଳତା ଆଣି ଦେଇଥିଲା । ଆଉ ଆଗକୁ ଆସୁଥିବା ସଧାରଣ ନିର୍ବାଚନରେ ବିଜେଡି ଏହାକୁ ଦୋହରାଇବା ଲକ୍ଷ୍ୟରେ ରହିଛି । ଏଥିପାଇଁ ଦଳ ସାଂଗଠନିକ କାମ ଆରମ୍ଭ କରିଦେଇଛି । ସଂଗଠନ ସଂପାଦକ ତଥା ଅନୁଗୋଳ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାଶଙ୍କ ଇଶାରାରେ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଦେଇଛି । ହେଲେ ବିଜେଡିକୁ ସହଜରେ ବାଟ ଛାଡ଼ିବା ଭଳି ସ୍ଥିତିରେ ନାହିଁ ବିଜେପି । ୨୦୧୯ରେ ଅଳ୍ପ ଭୋଟ୍‌ ବ୍ୟବଧାନରେ ବିଜେପି ପରାସ୍ତ ହୋଇଥିବାରୁ ଏଥର ଜିତିବା ପାଇଁ ସବୁ ପ୍ରକାର ବଳ ଲଗାଇବ । ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅବିଭକ୍ତ ଢେଙ୍କାନାଳରୁ ନଚେତ ସମ୍ବଲ୍ପୁରରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ପରେ ବିଜେପି ଶିବିର ଉତ୍ସାହିତ ରହିଛି । ଏପଟେ କଂଗ୍ରେସ ସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଥିବାରୁ ଏହା କେମିତି ଲଢ଼ିବ ତା’କୁ ନେଇ ସନ୍ଦେହ ରହିଛି ।
ଗତ ଦୁଇ ପାଳିରେ ରଜନୀକାନ୍ତ ସିଂହ ଓ ପ୍ରତାପ ପ୍ରଧାନଙ୍କ ମଧ୍ୟରେ ଯେଉଁ ମୁକାବିଲା ଦେଖିଥିବା ମିଳିଥିଲା ଅନୁଗୋଳ ଏଥର ମଧ୍ୟ ସମାନ ମୁକାବିଲା ଦେଖିପାରେ ବୋଲି ଅନୁମାନ କରାଯାଉଛି । ରଜନୀକାନ୍ତ ସିଂହଙ୍କୁ ବଦଳାଇ ଅନ୍ଯ କାହାକୁ ପ୍ରାର୍ଥୀ କରିବାର ଆଶଙ୍କା ଦେଖା ଯାଉନାହିଁ । ଟିକେଟ ​ଦୌଡ଼ରେ ଥିବା ରଜନୀକାନ୍ତଙ୍କ ପୁଅ ଅରୁଣାଭ ସିଂହ, ଜିଲ୍ଲା ଯୁବ ସଭାପତି ଦିନେଶ ପ୍ରଧାନ, ପୂର୍ବତନ ଟାମ୍‌ଡା ଅଧ୍ୟକ୍ଷ ଶକ୍ତିପ୍ରସାଦ ପଟ୍ଟନାୟକଙ୍କ ନାଁ ରହିଥିଲେ ମଧ୍ଯ ରଜନୀକାନ୍ତଙ୍କ ଉପରେ ଦଳ ପୁଣିଥରେ ଭରଷା କରିବ ବୋଲି ରାଜନୈତିକ ଗବେଷକ ମତ ଦେଇଛନ୍ତି । ବିଜେଡି ରାଜନୀତିରେ ହଠାତ କିଛି ବି ଘଟିପାରେ ଆଉ ଦଳ ଏମାନଙ୍କୁ ଭିତରୁ କାହାକୁ ଟିକେଟ୍ ଦେଇପାରେ , ସେ ଆଶଙ୍କା ମଧ୍ଯ ଏଡାଇ ଦିଆ ଯାଇ ନ ପାରେ । ସେପଟେ ବିଜେପି ପୁଣି ଥରେ ପ୍ରତାପ ପ୍ରଧାନଙ୍କ ଉପ​ରେ ଭରସା କରିବା ନିଶ୍ଚିତ। ତାଙ୍କ ହାତରେ ଦଳର ସଂଗଠନ ରହିଥିଲା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରବଳ ସମର୍ଥନ ତାଙ୍କ ପଛରେ ରହିଛି । ଏପଟେ କଂଗ୍ରେସର ପ୍ରାର୍ଥୀ ନେଇ କିନ୍ତୁ ଦ୍ୱନ୍ଦ ବଢ଼ିବାରେ ଲାଗିଛି । ଗତଥର ପ୍ରାର୍ଥୀ ହୋଇଥିବା ବିପ୍ଳବ ଜେନା ଆଉ ପ୍ରାର୍ଥୀ ହେବାକୁ ଚାହୁନାହାନ୍ତି ବୋଲି ଶୁଣିବାକୁ ମିଲୁଛି । ଏପଟେ କଂଗ୍ରେସ ସଭାପତି ଭାବେ ସଂଗ୍ରାମ ମିଶ୍ର ଦାୟିତ୍ବ ନେବା ପରେ ଦଳର ସମୀକରଣ ବଦଳିଛି । ତେଣୁ ନିଜେ ସଂଗ୍ରାମ ମିଶ୍ର ପ୍ରାର୍ଥୀ ହେବେ ନା ଆଉ କାହ୍କୁ ଦଳ ଚୟନ କରିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଜୟନ୍ତ ସାହୁ, ମୁନା ପଟ୍ଟନାୟକଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।

What’s your Reaction?
+1
0
+1
0
+1
0
+1
0
+1
6
+1
0
+1
0

Leave a Reply