ଆମ୍ବୁଲାନ୍ସ ନ ଆସିବାରୁ ମୋଟରସାଇକେଲରେ ବୁହା ହୋଇ ଆସିଲା ମୃତଦେହ

ଆମ୍ବୁଲାନ୍ସ ନ ଆସିବାରୁ ମୋଟରସାଇକେଲରେ ବୁହା ହୋଇ ଆସିଲା ମୃତଦେହ

ଅନୁଗୁଳ – ଶିଳ୍ପ ବହୁଳ ଅନୁଗୁଳ ଜିଲ୍ଲା । ଶିଳ୍ପ ଓ ଖଣି ଯୋଗୁଁ ସରକାରଙ୍କୁ କୋଟି କୋଟି ଟଙ୍କା ରାଜସ୍ୱ ଏହି ଜିଲ୍ଲାରୁ ଯାଉଛି । ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ମଧ୍ୟ ଜିଲ୍ଲାରେ ବହୁତ । ଯେଉଁଥିରେ ଅନେକ ସୌନ୍ଦର୍ଯ୍ୟକରଣ କାମ ସହ ଖେଳ ଓ ଅନ୍ୟାନ୍ୟ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଏଭଳି ଏକ ଜିଲ୍ଲାର ଲୋକ ଆମ୍ବୁଲାନ୍ସ କିମ୍ବା ସରକାରୀ ସୁବିଧାଟିଏ ନ ପାଇବାରୁ ମୃତଦେହକୁ ମୋଟରସାଇକେଲରେ ଆଣିବାକୁ ପଡିଛି । ତା ପୁଣି ୧୦ କିମି ଅତିକ୍ରମ କରି ମୋଟରସାଇକେଲ ମଝିରେ ବସାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ବଲାସିଂହା ଗାଁରେ ଆଜି ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ସେହି ଗାଁର ୬୦ ବର୍ଷୀୟ ଦୁଆରି ଗୁରୁ । ଦୁଆରି ଗାଈ ଚରାଇବାକୁ ଯାଇଥିବା ବେଳେ ଅପରାହ୍ନ ୩ ଟା ବେଳେ ବଜ୍ରପାତ ହୋଇଥିଲା । ସେ ସେଠାରେ ଅଚେତ ହୋଇ ପଡି ରହିଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଅପରାହ୍ନ ୩ ଟା ବେଳୁ ଯୋଗାଯୋଗ କରିଥିଲେ ମଧ୍ୟ ବର୍ତ୍ତମାନ ଗାଡି ନାହିଁ କହି କଲ ସେଣ୍ଟର ପକ୍ଷରୁ ଅପେକ୍ଷା କରିବାକୁ କୁହା ଯାଇଥିଲା । ତେବେ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଲୋକ ବାଧ୍ୟ ହୋଇ ମୋଟରସାଇକେଲରେ ଆଣିବାକୁ ଚିନ୍ତା କରିଥିଲେ । ସେତେବେଳକୁ ଦୁଆରିଙ୍କର ମୃତ୍ୟୁ ହୋଇ ସାରିଥିଲା । ହେଲେ ମଧ୍ୟ ଶବ ବ୍ୟବଛେଦର ଆବଶ୍ୟକତା ଥିବାରୁ ବାଧ୍ୟ ହୋଇ ଦୁଇ ଜଣ ଯୁବକ ତାଙ୍କୁ ମୋଟରସାଇକେଲ ମଝିରେ ବସାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଏଠାରେ ଶବ ଗୃହରେ ତାଙ୍କ ମୃତଦେହ ସଂରକ୍ଷିତ ରଖାଯାଇଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ । ତେବେ ଅନୁଗୁଳ ଭଳି ଜିଲ୍ଲାରେ ଆମ୍ବୁଲାନ୍ସ ନ ମିଳିବା ଯୋଗୁଁ ମୃତଦେହ ୧୦ ଧରି ମୋଟରସାଇକେଲରେ ଆଣିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

What’s your Reaction?
+1
0
+1
0
+1
0
+1
3
+1
2
+1
2
+1
0

Leave a Reply