ପ୍ରେମରେ ଅନ୍ଧ ହୋଇ ବାପା-ମାକୁ ହାଣିଲା ପୁଅ

ପ୍ରେମରେ ଅନ୍ଧ ହୋଇ ବାପା-ମାକୁ ହାଣିଲା ପୁଅ

ଅନୁଗୁଳ – ପ୍ରେମ ସଂପର୍କକୁ ବିରୋଧ କରିବା ଆଉ ଏଥିରୁ ନିବୃତ ରହିବାକୁ କହିବାରୁ ବାପା ଓ ମାଙ୍କୁ ହାଣିଦେଲା । ଟାଙ୍ଗିଆରେ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ବାପାର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ହୋଇଥିଲା । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁର ଗାଁ ରେ ଘଟିଛି । ସୂଚନା ଅନୁସାରେ ଦୁର୍ଗାପୁର ଗାଁର ବାଳ କୃଷ୍ଣ ବେହେରାଙ୍କ ବଡ ପୁଅ ତ୍ରିନାଥ ଜଣେ ଗାଡି ଡ୍ରାଇଭର ଭାବେ କାମ କରନ୍ତି । ସେ ସେଇ ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରୁଥିଲା । ହେଲେ ତ୍ରିନାଥଙ୍କ ଏହି ପ୍ରେମ ସମ୍ପର୍କ କୁ ପରିବାର ଲୋକ ବିରୋଧ କରୁଥିଲେ । ବାହାରେ ରହି ଗାଡି ଚଲାଉଥିବା ତ୍ରିନାଥ ଗତ କାଲି ଘରକୁ ଆସିଥିବା ବେଳେ ବାପା ବାଳକୃଷ୍ଣ ଓ ମା ରୁକ୍ମଣୀ ଏହି ଘଟଣା କୁ ନେଇ ପୁଅକୁ ବୁଝାଇବାକୁ ଚେଷ୍ଟା କରିଥିଲେ । ତେବେ ବାପା-ମାଙ୍କର ଉପଦେଶ ଶୁଣି ପ୍ରେମରେ ଅନ୍ଧ ହୋଇ ଯାଇଥିବା ତ୍ରିନାଥ ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ପ୍ରଥମେ ବାପା ଙ୍କୁ ହାଣି ଦେଇଥିଲା । ମା ରୁକ୍ମଣୀ ପୁଅକୁ ବାରଣ କରିବାରୁ , ସେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ । ତାଙ୍କୁ ମଧ୍ୟ ତ୍ରିନାଥ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଆଉ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ତେବେ ଟାଙ୍ଗିଆ ଆକ୍ରମଣ ଫଳରେ ଘଟଣା ସ୍ଥଳରେ ବାପାର ମୃତ୍ୟୁ ହୋଇଥିବା ବେଳେ ରୁକ୍ମଣୀକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ତାଙ୍କର ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଛି । ଖବର ପାଇ ଜରପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply