ଖବର ପ୍ରକାଶନ ଯୋଗୁଁ ଡ଼ରିଗଲେ ସ୍ୱାସ୍ଥ୍ୟ ପ୍ରଶାସନ !! – ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀ କଲେ ଆକ୍ରମଣ

ଖବର ପ୍ରକାଶନ ଯୋଗୁଁ ଡ଼ରିଗଲେ ସ୍ୱାସ୍ଥ୍ୟ ପ୍ରଶାସନ !! – ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀ କଲେ ଆକ୍ରମଣ

ଅନୁଗୁଳ – ଖବର ସଂଗ୍ରହ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ସାମ୍ବାଦିକ । ଆଜି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ କାୟାକଳ୍ପ ଟିମ୍ ପରିଦର୍ଶନରେ ଆସୁଛନ୍ତି ବୋଲି ଖବର ପାଇ ସମ୍ବାଦର ପ୍ରତିନିଧି ବିକାଶ ସାହୁ ଏବଂ ଧରିତ୍ରୀର ଫଟୋ ଜର୍ଣ୍ଣାଲିଷ୍ଟ ଜ୍ୟୋତି ରଞ୍ଜନ ସାହୁ ଖବର ସଂଗ୍ରହ କରିବା ପାଇଁ ପହଞ୍ଚି ଥିବା ବେଳେ ଫାଟକ ନିକଟରେ ଥିବା ସୁରକ୍ଷା କର୍ମୀ ତାଙ୍କୁ ଭିତରକୁ ଯିବାକୁ ଅନୁମତି ଦେଇ ନଥିଲେ । ପରେ କାହିକିଁ ସାମ୍ବାଦିକ ମାନେ ଭିତରକୁ ଯାଇ ପାରିବେ ନାହିଁ ବୋଲି ପଚାରିବାରୁ ହଠାତ ସୁରକ୍ଷା କର୍ମୀ ଆକ୍ରମଣ କରିଥିଲେ । ଆକ୍ରମଣରେ ସମ୍ବାଦର ସାମ୍ବାଦିକ ବିକାଶ ସାହୁଙ୍କ ବାମ ହାତରେ ଗଭୀର ଆଘାତ ଲାଗିଛି । ଏହା ପରେ ଦୁଇ ସାମ୍ବାଦିକଙ୍କୁ ଅଶ୍ଲୀଳ ଭାଷା ପ୍ରୟାଗ କରିବା ସହ ଫୋନ ଏବଂ କ୍ୟାମେରା ଛଡାଇ ନେଇଥିଲେ । ଏହି ଘଟଣା ନେଇ ସମୂହ ସାମ୍ବାଦିକ ଏକାଠି ହୋଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଅନୁଗୁଳ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତୁରନ୍ତ ସୁରକ୍ଷା କର୍ମୀଙ୍କୁ ଗିରଫ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସମୁହ ଦାବି କରିଛି । ତେବେ ଗତ କିଛି ଦିନ ହେଲା ସମ୍ବାଦ ଖବରକଗଜରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ଚାଲିଥିବା ରୋଗୀ ଶୋଷଣ ନୀତି ସମ୍ପର୍କରେ ଖବର ପ୍ରକାଶନ ହେଉଥିଲା । ସେହି ଖବରକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଭିତରେ ଛନକା ପଶିଥିଲା । ଏହି ଖବର ପ୍ରକାଶନକୁ ନେଇ ସମ୍ବାଦିକଙ୍କ ଉପରେ ରାଗ ସୁଝାଇବାକୁ ଚେଷ୍ଟା କରା ଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି । ସମ୍ବାଦିକଙ୍କୁ ଭୟଭୀତ କରାଇ ଖବର ଛାପି ଦେବା ପାଇଁ ସମ୍ବାଦିକଙ୍କ ଉପରେ ସୁରକ୍ଷାକର୍ମୀ ଲଗାଇ ଆକ୍ରମଣ କରା ଯାଇଛି ବୋଲି ଅଭିଯୋଗ ହୋଇଛି ।

ତେବେ ସମ୍ବାଦିକଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରା ଯାଉଛି । ଜିଲ୍ଲା ଓକିଲ ସଂଘ  ଘଟଣାର ତୀବ୍ର ନିନ୍ଦା କରିବା ସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ସେମାନଙ୍କ କହିବା କଥା ଡାକ୍ତରଖାନାରେ ଚାଲିଥିବା ଦୁର୍ନୀତି ଓ ଅବ୍ୟବସ୍ଥା ସମ୍ପର୍କରେ ଖବର ଆସିବା ପରେ ସ୍ୱାସ୍ଥ୍ୟ ପ୍ରଶାସନ ଅସଲ ମୁଖା ଖୋଲି ଯାଇଛି । ସେଇଥିପାଇଁ ଏଭଳି ଆକ୍ରମଣ କରା ଯାଉଛି ସାମ୍ୱାଦିକଙ୍କୁ ହୋଇଥିବା ଏହି ମରଣାତ୍ମକ ଆକ୍ରମଣକୁ ଜିଲ୍ଲା କଂଗ୍ରେସ କମିଟି ଦୃଢ଼ ନିନ୍ଦା କରିଛି ଆସନ୍ତା କାଲି (ଶୁକ୍ରବାର) ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ ଏକ କୋର କମିଟି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବେ ବୋଲି ଜଣା ପଡିଛି । ଏହି ଆକ୍ରମଣରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷାକର୍ମୀଙ୍କୁ ତୁରନ୍ତ ଗିରଫ କରାନଗଲେ ଆଗକୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୟଙ୍କର ହେବ ବୋଲି ନଗର କଂଗ୍ରେସ ସଭାପତି ସୁଦିପ୍ ମିଶ୍ର ଚେତାବନି ଦେଇଛନ୍ତି ଅନୁଗୁଳ ଜିଲ୍ଲା ବିଜେପି ମଧ୍ୟ ଘଟଣାକୁ ତୀବ୍ର ନିନ୍ଦା ପ୍ରକଟ କରିଛି । ବିଜେପି ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ୍ ବାରିକ ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ଅନୁଗୁଳ ଜିଲ୍ଲା ପ୍ରଶାସନ ପ୍ରଥମେ ସାମ୍ବାଦିକ ମାନଙ୍କର ସ୍ୱାସ୍ଥ୍ୟବୀମା କାର୍ଡ କାଟିଲେ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ସାମ୍ବାଦିକଙ୍କୁ ଅନୁମତି ଦେଲେନାହିଁ, ପୁଣି ଏବେ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରାଯାଇଛି ଏହା ସ୍ୱାସ୍ଥ୍ୟ ପ୍ରଶାସନ ପ୍ରୟୋଜିତ ଆକ୍ରମଣ ବୋଲି ଶ୍ରୀ ବାରିକ ପ୍ରକାଶ କରିଛନ୍ତି । ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ନିନ୍ଦା ପ୍ରକଟ କରିବା ସହ, ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ,ପୋଲିସ ଡିଜି ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ପ୍ରକାଶ କରିଛନ୍ତି ।

What’s your Reaction?
+1
0
+1
0
+1
3
+1
5
+1
4
+1
0
+1
0

Leave a Reply