ଅନୁଗୁଳ – ରାସ୍ତା ନିର୍ମାଣରେ ମହା ଘୋଟଲା । ରାସ୍ତା କାମ ନ କରି ୧୦ ଲକ୍ଷ ଟଙ୍କା ବିଲ କରି ଉଠାଇ ନେଲେ । ଏହି ଘଟଣାର ଅଭିଯୋଗ ପରେ ତଦନ୍ତ କରି ଜେ.ଇ. ଓ ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ନାମରେ ଛେଣ୍ଡିପଦା ବିଡିଓ ଛେଣ୍ଡିପଦା ଥାନାରେ ଏତଲା ଦେଇଛନ୍ତି l ବିଡ଼ିଓଙ୍କ ଅଭିଯୋଗ ଆଧାରରେ ଛେଣ୍ଡିପଦା ଥାନାରେ କେସ ନଂ ୪୧/୨୪ରେ ମାମଲା ରୁଜୁ କରିବା ସହିତ ଧାରା 316(2),316(5) ଓ 3(2) ଅନୁଯାୟୀ ପୁଲିସ ତଦନ୍ତ ଚଳାଇଛି l
ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଟାଙ୍ଗିରୀ ଗ୍ରାମ ପାଞ୍ଚୟତ ବାରମଞ୍ଚା ଗାଁରେ ପଞ୍ଚମ ରାଜ୍ୟ ଅର୍ଥ କମିସନର GIA ସ୍କିମ ଅନ୍ତର୍ଗତ all weather connectivity for the year2024/25 ବର୍ଷ ପାଇଁ ବିଜୁ ଘର ଠାରୁ ଆଉଁଳି ପର୍ଯ୍ୟନ୍ତ ରାସ୍ତାର ଉନ୍ନତି ପାଇଁ ୧୦ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବ୍ଲକର କନିଷ୍ଠ ଯନ୍ତ୍ରୀ କ୍ଷମାସାଗର ସିଂହ ନାମରେ ଯୋଗାଇ ଦିଆ ଯାଇଥିଲା l କିନ୍ତୁ ଉକ୍ତ ରାସ୍ତା କାମ ନ କରି ଚଞ୍ଚକତା କରି ୧୦ ଲକ୍ଷ ଟଙ୍କା ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ନେଇ ଟାଙ୍ଗିରୀ ପଞ୍ଚାୟତର ଜନ ପ୍ରତିନିଧି ମହେଶ୍ୱର ମାଝୀ ବ୍ଳକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ l ଅଭିଯୋଗ ପାଇବା ପରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ହେମନ୍ତ ସିଂହ ଓ ଛେଣ୍ଡିପଦା ବିଡିଓ ତ୍ରିବିକ୍ରମ କୁମୁରା ଘଟଣା ସ୍ଥଳକୁ ଯାଇ ସରଜମିନ ତଦନ୍ତ କରିଥିଲେ l ତଦନ୍ତକୁ ବେଳେ କନିଷ୍ଠ ଯନ୍ତ୍ରୀ ମିଥ୍ୟା ବିଲ କରି ୧୦ଲକ୍ଷ ଆତ୍ମସାତ କରିଥିବା ପ୍ରମାଣ ପାଇଥିଲେ l ଏଥିପାଇଁ ଛେଣ୍ଡିପଦା ବିଡିଓ ତ୍ରିବିକ୍ରମ କୁମୁରା ସରକାରୀ ଅର୍ଥ ଆତ୍ମସାତ କରିଥିବା ନେଇ କନିଷ୍ଠ ଯନ୍ତ୍ରୀ କ୍ଷମାସାଗର ସିଂହ ଓ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ସେଠୀଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ବିଡିଓ ଅଭିଯୋଗରେ ଦର୍ଶାଇଛନ୍ତି ଯେ କ୍ଷମାସାଗର ଡିସେମ୍ବର ୧୬ ତାରିଖରେ ଏମ.ବି. ନଂ ୪୭/୨୩-୨୪ରେ ବିଲ ଓ ଭାଉଚର ଦାଖଲ କରିଥିଲେ । ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ସେଠୀ ଦ୍ୱାରା ଯାଞ୍ଚ ଏବଂ ମାପ କରାଯାଇଥିବା ଉଲ୍ଲେଖ କରା ଯାଇଥିଲା l ଏଭଳି ମିଥ୍ୟା ବିଲ କରିବା ପରେ ସରକାରୀ ଟାକ୍ସକୁ ବାଦ ଦେଇ ୮ ଲକ୍ଷ ୯୩ ହଜାର ୭୪୯ ଟଙ୍କା ପ୍ରଦାନ କରାଯାଇଛି l ଚଞ୍ଚକତା କରି ବିନା କାମରେ ଏଭଳି ବିଲ କରି ଟଙ୍କା ଉଠାଇ ନିଆ ଯାଇଛି । ଉକ୍ତ ଦୁଇ ଜଣ ମିଥ୍ୟା ବିଲ ଦେଇ ସରକାରୀ ଅର୍ଥ ଆତ୍ମସାତ କରିଥିବା ନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l