ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଅଞ୍ଚଳରୁ ଟ୍ୟାଙ୍କରରେ ଲକ୍ଷାଧିକ ଟଙ୍କାର ଡିଜେଲ ଜବତ କରା ଯାଇଛି । ଟ୍ୟାଙ୍କରକୁ ଜବତ୍ କରାଯିବା ପରେ ପ୍ରାଥମିକ ତଦନ୍ତରୁ ଏହା ବାୟୋ ଡିଜେଲ ଭଳି ଲାଗୁଥିବା ବେଳେ ପ୍ରକୃତରେ ଏହା ବାୟୋ ଡିଜେଲ କିମ୍ବା ଅନ୍ୟ କିଛି ତାହା ଜାଣିବା ପାଇଁ ଟ୍ୟାଙ୍କରଟିକୁ ଅଟକ ରଖି ତଦନ୍ତ ଜାରି ରହିଛି । ତାଳଚେର ଉପଜିଲ୍ଲାପାଳ ଏବଂ ଏସିଏସଓ ଏକ ଜରୁରୀ କାର୍ଯ୍ୟରେ କଣିହାଁ ଯାଉଥିବା ବେଳେ ରାସ୍ତା ଅବରୋଧ କରି ଅନ୍ୟ ଏକ ପାଉଁଶ ବୋଝେଇ ଟ୍ରକରେ ଡିଜେଲ ଭରିବା ସମୟରେ ଉପଜିଲ୍ଲାପାଳ ଏବଂ ଏସସିଏସଓ ଟ୍ୟାଙ୍କରଟିକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ । ତେବେ ଆପତ୍ତିଜନକ ପରିସ୍ଥିତିରେ ଡିଜେଲ ଭରୁଥିବାରୁ ଟ୍ୟାଙ୍କରଟିକୁ ଜବତ୍ କରି ତେଲର ପ୍ରକାର ଏବଂ ମାନ ଜାଣିବା ପାଇଁ ପରିକ୍ଷାଗାରକୁ ପଠାଯାଇଥିବା ଉପଜିଲ୍ଲାପାଳ ସମୀର କୁମାର ଜେନା ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ତାଳଚେର ଅଞ୍ଚଳରେ ଟ୍ରାନ୍ସପୋର୍ଟର ମାନେ ଡିଜେଲ ଲିଟର ୭୫ ଟଙ୍କାରେ କିଣି ପାଉଁଶ ଗାଡ଼ି ଗୁଡ଼ିକରେ ଭରୁଛନ୍ତି । ଦୈନିକ ପ୍ରାୟ ୧୦ ରୁ ୧୫ ଟି ଟ୍ୟାଙ୍କର ତାଳଚେର ଏବଂ କଣିହାଁ ଅଞ୍ଚଳରେ ଡିଜେଲ ବିକ୍ରି କରୁଛନ୍ତି । ଗୋଟିଏ ଡିଜେଲ ଟ୍ୟାଙ୍କରରେ ପ୍ରାୟ ୧୮ ଲକ୍ଷ ଲିଟର ଡିଜେଲ ରହୁଛି । ତେବେ ପ୍ରତି ଟାଙ୍କିରେ ରାଜ୍ୟ ସରକାର ୬ ଲକ୍ଷ ଟଙ୍କା କ୍ଷତି ସହୁଛନ୍ତି । ଟ୍ରାନ୍ସପୋର୍ଟ ମାଲିକ ମାନେ ମୁନାଫା କମାଇବା ଉଦ୍ଦେଶ୍ୟରେ ଏପରି କରୁଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ଦାବି ହୋଇଛି । ଏହି ରାକେଟରେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଅସାଧୁ ବ୍ୟବସାୟୀ ସାମିଲ ଥିବା ସନ୍ଦେହ କରା ଯାଉଛି ।
ଲକ୍ଷାଧିକ ଟଙ୍କାର ବାୟୋ ଡିଜେଲ ଜବତ – ପଛରେ ବଡ ରାକେଟ କାମ କରୁଥିବା ସନ୍ଦେହ
