ଜାତୀୟ ରାଜପଥକୁ ଦୋଷ ଦେଇ ନିଜର ଦୋଷ ଦୁର୍ବଳତାକୁ ଲୁଚାଉଛି ରାଜ୍ଯ – ଅଭିଯୋଗ କଲା ବିଜେପି

ଜାତୀୟ ରାଜପଥକୁ ଦୋଷ ଦେଇ ନିଜର ଦୋଷ ଦୁର୍ବଳତାକୁ ଲୁଚାଉଛି ରାଜ୍ଯ – ଅଭିଯୋଗ କଲା ବିଜେପି

ଅନୁଗୁଳ – ରାଜ୍ୟ ସରକାର ଅନୁଗୁଳ ଜିଲ୍ଲାର ବିକାଶ ତଥା ଗମନାଗମନର ସୁବିଧା ପ୍ରତି ଆଖି ବୁଜି ଦେଇଛନ୍ତି । ଜିଲ୍ଲାରେ ରାଜ୍ୟ ସରକାରଙ୍କ ଅନେକ ପ୍ରକଳ୍ପ ଆଜି ବି ଅଧାପନ୍ତରିଆ ହୋଇ ପଡିଥିବା ବେଳେ କିଛି ପ୍ରକଳ୍ପ କେବଳ ଘୋଷଣାରେ ସୀମିତ ହୋଇ ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ । ତାଙ୍କ କହିବା କଥା , ବିଜେଡ଼ିର ଲୁଚିଛି ନା ଗୋଡ ଦୁଇଟା ଦିଶୁଛି ଭଳି ଅବସ୍ଥା ।  ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ କେବଳ କେନ୍ଦ୍ରକୁ ଦୋଷ ଦେବା ବିଜେଡ଼ି ନେତା ତଥା ସରକାରଙ୍କ ଏକ ନିତିଦିନିଆ ଅଭ୍ୟାସରେ ପରିଣତ ହୋଇଗଲାଣି । ପ୍ରତିଦିନ ଖବରକାଗଜରେ ରାଜ୍ୟ ସରକାରଙ୍କ ବିଫଳତାର ଚିତ୍ର ପ୍ରକାଶିତ ହେଉଛି ।  ଆଜିକାଲି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପ୍ରତାରଣା ହୋଇଛି । ମୁଖ୍ୟମନ୍ତ୍ରୀ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାରି ହେବା ପାଇଁ ଚେଷ୍ଟା କରନ୍ତି ଆଉ ନିର୍ବାଚନ ସରିଲେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଆନ୍ତି । ଏହାର ବିସ୍ତୁତ ସୂଚନା ଦେଇ ସେ କହିଛନ୍ତି ଯେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଠାରେ ବ୍ରାହ୍ମଣୀ ନଦୀରେ ୨୦୧୩ରେ ଦ୍ୱିତୀୟ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ ମଧ୍ୟ ଦୀର୍ଘ ୧୦ ବର୍ଷ ପରେ ମଧ୍ୟ ଏହାର କାମ ସରିନାହିଁ । ଏହା ରାଜ୍ୟ ସରକାରଙ୍କ ବିଫଳତା ତଥା ମନ୍ଥର ବିକାଶର ଗତିର ଏକ ଉଦାହରଣ ଭାବେ ଅନୁଗୁଳ ଓ ରାଜ୍ୟବାସୀଙ୍କ ସାମ୍ନାରେ ରହିଛି । କଣିହାଁ ବ୍ଲକ ସମେତ ଛେଣ୍ଡିପଦା, ଦେବଗଡ଼, ପାଲଲହଡା ବ୍ଲକ, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାର ଲୋକମାନେ ଏହି ସେତୁ ନିର୍ମାଣ ହେବା ଦ୍ୱାରା ଉପକୃତ ହୋଇପାରନ୍ତେ ।  କିନ୍ତୁ ଏହି ସବୁ ଲୋକଙ୍କ ବିକାଶ କରିବା ପରିବର୍ତ୍ତେ କେବଳ ମିଛ ପ୍ରଚାରରେ ବିଜେଡି ନେତାମାନେ ଲାଗି ରହିଛନ୍ତି । ସେହିପରି ପ୍ରସ୍ତାବିତ ତାଳଚେର-ଖାଲପାଳ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଘୋଷଣା ହେବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ବଡକେରା-ଆଠଗଡ ରାଜ୍ୟ ରାଜପଥ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ବଉଳିଗଡ ବ୍ରିଜ୍ ଖରାପ ଅବସ୍ଥାରେ ଅଛି । କୁମୁରିସିହା-ଫୁଲପଡା ରାସ୍ତା ଖରାପ ଅବସ୍ଥାରେ ଅଛି । ବଲ୍ଲହପୁର ଗ୍ରାମକୁ ରାସ୍ତା ନାହିଁ । କମ୍ପସଲାରୁ ଶେଣ୍ଢା ଶୋଚନୀୟ ଥିବା ବେଳେ ରାଜ୍ୟ ରାଜପଥ ଛେଣ୍ଡିପଦାରୁ ଅନୁଗୁଳ ରାସ୍ତା କାର୍ଯ୍ୟ ଧୀମା ଗତିରେ ଚାଲିଛି ।  ଡେରଙ୍ଗ -ଘଣ୍ଟିଆନାଳି, ବୋଲ୍, ଲଚ୍ଛାବନ୍ଧ, ଧୁକୁଟା, ଖଲାରିଛକ ରାସ୍ତା ବହୁତ ଖରାପ ଅବସ୍ଥାରେ ଅଛି । ହଣ୍ଡପା, ଗୁଣ୍ଠପଡା- ଲୁହାମୁଣ୍ଡା, ସନାହୁଳରୁ କଣ୍ଟାପଡା ରାସ୍ତା ବି ଶୋଚନୀୟ ।  ଅନୁଗୁଳ ମ୍ୟୁନିସପାଲଟିର କଲେଜ ଛକ ଠାରୁ ଆରମ୍ଭ କରି ବିଭିନ୍ନ ରାସ୍ତା ଶୋଚନୀୟ ହୋଇ ପଡିରହିଛି । ରାଜ୍ୟ ସରକାର ଧର୍ମକୁ ଆଖିଠାର ଭଳି ଅନୁଗୁଳ ଜିଲ୍ଲାର ବିକାଶକୁ ଅଣଦେଖା କରୁଛନ୍ତି । ଖଣି ସମୃଦ୍ଧ ଅଞ୍ଚଳ ଅନୁଗୁଳରୁ ପ୍ରଚୁର ରାଜସ୍ୱ ଆଦାୟ କରୁଥିଲେ ମଧ୍ୟ ରାଜ୍ୟ ସରକାର ଅଞ୍ଚଳକୁ ସେହି ଅନୁସାରେ ବିକାଶ ପାଇଁ ଦୃଷ୍ଟି ଦେଉନାହାନ୍ତି । ପାଣ୍ଠିକୁ ବିନା ଟେଣ୍ଡରରେ ବାଟମାରଣା କରୁଛନ୍ତି । ବିଜେଡି ନେତା ଯେଉଁ କଟକ-ଅନୁଗୁଳ-ସମ୍ବଲପୁର ରାଜପଥ କଥା କହୁଛନ୍ତି, ଆଜି ଯେତିକି ଦ୍ରୁତ ଗତିରେ ତ୍ୱରାନ୍ୱିତ ହେଉଛି, ତାହା କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ପାଇଁ । କୋଭିଡ୍ ପରେ ଏହି ସବୁ କାମ ବନ୍ଦ ରହିବା କାରଣରୁ କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବିଷୟରେ ଅନେକ ଥର ଆଲୋଚନା ସହ ଚିଠି ଲେଖିଲେଣି । ଆଜି ମଧ୍ୟ ସେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ ୨୭ ଜୁଲାଇ ୨୦୨୩, ୨୮ ସେପ୍ଟେମ୍ବର ୨୦୨୨, ୨୬ ଏପ୍ରିଲ ୨୦୨୨, ୦୮ ଅକ୍ଟୋବର ୨୦୨୧ ସମେତ ପୂର୍ବରୁ ଅନେକ ଥର କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟି ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଅନେକଥର ଚିଠି ଲେଖିଛନ୍ତି । ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଅନେକ ଥର ଏନଏଚଆଇ କର୍ତ୍ତୃପକ୍ଷଙ୍କୁ ଭେଟି ମଧ୍ୟ ଏହା ଉପରେ ସମୀକ୍ଷା କରିଛନ୍ତି । କେନ୍ଦ୍ର ସରକାରଙ୍କୁ ସହଯୋଗ କରିବା ଜାଗାରେ ରାଜ୍ୟ ସରକାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ଏବଂ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟରେ ବିଳମ୍ବ ହେଉଛି ବୋଲି ବିଜେପି ନେତା ପ୍ରତାପ ପ୍ରଧାନ କହିଛନ୍ତି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply