ବ୍ରିଜ ତଳୁ ମୃତଦେହ ଉଦ୍ଧାର – ଦୁର୍ଘଟଣାରେ କିଛିଦିନ ତଳୁ ଯାଇଛି ଜୀବନ !

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ଗାଁ ନିକଟସ୍ଥ ତେଲିପୋଲ ତଳୁ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ମୃତ ଯୁବକ ଜଣଙ୍କ ହେଲେ ହଣ୍ଡପା ଥାନା କଣ୍ଟେଇକୁଳିଆ ପଞ୍ଚାୟତ ଇଛାପୁର ଗାଁର ଦୀପକ ବାଘ । ମୃତ ଦେହଟି ସଢ଼ି ଯାଇଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତିକୁ ନେଇ ଏହା ହତ୍ୟା ନା ଦୁର୍ଘଟଣା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁସାରେ ଛେଣ୍ଡିପଦାରୁ ଜରପଡା ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ବାଲିପଟା ଗାଁ ନିକଟସ୍ଥ ତେଲିପୋଲ ନିକଟରେ ଦୁର୍ଗନ୍ଧ ହେବାରୁ ପୋଲ ତଳେ ଜଣେ ଯୁବକଙ୍କ ଗଳିତ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ମୃତ ଦେହ ପଡ଼ିଥିବା ସ୍ଥାନ ଠାରୁ କିଛି ଦୂରରେ ଏକ ମୋଟରସାଇକେଲ ପଡିଥିଲା । ଏନେଇ ସ୍ଥାନୀୟ ଲୋକେ ଛେଣ୍ଡିପଦା ଥାନାକୁ ଖବର ଦେଇଥିଲେ । ଖବର ପାଇ ଛେଣ୍ଡିପଦା ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ପାରିପାର୍ଶ୍ଵିକ ସ୍ଥିତିକୁ ଅନୁଧ୍ୟାନ କରି ଘଟଣାର ତଦନ୍ତ ଚଳାଇଥିଲେ । ତଦନ୍ତ ବେଳେ ଉକ୍ତ ଯୁବକ ଜଣଙ୍କ ହଣ୍ଡପା ଥାନା କଣ୍ଟେଇକୁଳିଆ ପଞ୍ଚାୟତ ଇଛାପୁର ଗାଁର ଦୀପକ ବାଘ ବୋଲି ଜଣା ପଡିଥିଲା । ଏନେଇ ଖବର ପାଇ ମୃତକଙ୍କ ପରିବାର ଲୋକ ଘଟଣା ସ୍ଥଳରେ ପହଁଚି ପାରିପାର୍ଶ୍ଵିକ ସ୍ଥିତିକୁ ଦେଖି ଦୀପକଙ୍କୁ କେହି ହତ୍ୟା କରି ପକାଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ଦୀପକ ଗତ ସାବିତ୍ରୀ ଅମାବାସ୍ୟା ଦିନ ଛେଣ୍ଡିପଦା ଆସିଥିବା ବେଳେ ଆଉ ଘରକୁ ଫେରି ନଥିଲେ । ବହୁ ଖୋଜା ଖୋଜି କରିବା ପରେ ନିରାଶ ହୋଇ ଦୀପକ ନିଖୋଜ ଥିବା ନେଇ ହଣ୍ଡପା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ମୃତ ଦୀପକଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ଛେଣ୍ଡିପଦା ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ସହିତ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ତେବେ ସେହି ସ୍ଥାନରେ ଭାରସାମ୍ୟ ହରାଇ ଦୀପକଙ୍କର ଦୁର୍ଘଟଣା ହୋଇ ମୃତ୍ୟୁ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *