ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭଗାମୁଣ୍ଡା ଗାଁରେ ଅଘଟଣ । ରାତିରେ ଶୋଇଥିବା ବେଳେ ଭାଇ ଭଉଣୀ ଦେହରେ ଗୁଳି ବାଜି ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ପ୍ରଫୁଲ୍ଲ ମିର୍ଧାଙ୍କ ୧୧ ବର୍ଷର ପୁଅ ପ୍ରକାଶ ମିର୍ଧା ଓ ୧୫ ବର୍ଷୀୟ ଝିଅ ଯଜ୍ଞସେନୀ ମିର୍ଧା ଘର ବାରଣ୍ଡାରେ ଶୋଇଥିଲେ । ରାତି ପ୍ରାୟ ୧୨ ଟା ବେଳେ ହଠାତ ଉଭୟ ଚିତ୍କାର କରି ଉଠିଥିଲେ । ପରିବାର ଲୋକ ଦଉଡି ଆସି ଦେଖିବା ବେଳେକୁ ସେମାନଙ୍କ ଦେହରେ ଗୁଳି ବାଜିଛି । ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ କିଶୋରନଗର ମେଡିକାଲ ଓ ପରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଉଭୟଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରା ଯାଇଛି ।
ଅନ୍ୟପଟେ କିଏ କିଭଳି ଭାବରେ ଗୁଳିକାଣ୍ଡ କରିଛି ବର୍ତମାନ ପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ଖବର ପାଇ କିଶୋରନଗର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ବେଳେ ଜନ୍ତୁ ଶିକାରୀଙ୍କ ଗୁଳି ମାଡରେ ଏଭଳି ଅଘଟଣ ଘଟିଥାଇ ପାରେ ବୋଲି ସନ୍ଦେହ କରା ଯାଉଛି । ଏ ଦିଗରେ ପୁଲିସ ତଦନ୍ତ କରୁଥିବା ବେଳେ ଅନ୍ୟ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେଇ ପୁଲିସ ତଦନ୍ତ କରୁଥିବା ଆଠମଲ୍ଲିକ ଏସ ଡି ପି ଓ ବାଳକୃଷ୍ଣ କହଁର ସୂଚନା ଦେଇଛନ୍ତି ।