ପୂର୍ବ ଶତ୍ରୁତା ପାଇଁ ଶୋଇଥିବା ବେଳେ ଭାଇ ଓ ଭଉଣୀକୁ କରା ଯାଇଥିଲା ଗୁଳି

ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଗମୁଣ୍ଡା ଗାଁର ଭାଇ ଭଉଣୀକୁ ଗୁଳି ମାରିବା ଘଟଣାରେ ଗୁଳି ମାରିଥିବା ଅଭିଯୁକ୍ତ ପ୍ରଶାନ୍ତ ମିର୍ଧାକୁ ସମ୍ବଲପୁର ନାକଟିଦେଉଳ ଅଞ୍ଚଳରୁ ପୁଲିସ ଧରିବାକୁ ସକ୍ଷମ ହୋଇଛି । ଭାଇ – ଭଉଣୀଙ୍କ ବାପା ପ୍ରଫୁଲ ମିର୍ଧା ସହ ପୂର୍ବ ଶତ୍ରୁତାରୁ ଅଭିଯୁକ୍ତ ପ୍ରଶାନ୍ତ ମିର୍ଧା ଗୁଳି କାଣ୍ଡ କରିଥିବା ଜଣା ପଡିଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭଗାମୁଣ୍ଡା ଗାଁରେ ରାତିରେ ଶୋଇଥିବା ବେଳେ ପ୍ରଫୁଲ୍ଲ ମିର୍ଧାଙ୍କ ୧୧ ବର୍ଷର ପୁଅ ପ୍ରକାଶ ମିର୍ଧା ଓ ୧୫ ବର୍ଷୀୟ ଝିଅ ଯଜ୍ଞସେନୀ ମିର୍ଧା ଘର ବାରଣ୍ଡାରେ ଶୋଇଥିଲେ । ରାତି ପ୍ରାୟ ୧୨ ଟା ବେଳେ ହଠାତ ଉଭୟ ଚିତ୍କାର କରି ଉଠିଥିଲେ । ପରିବାର ଲୋକ ଦଉଡି ଆସି ଦେଖିବା ବେଳେକୁ ସେମାନଙ୍କ ଦେହରେ ଗୁଳି ବାଜିଛି । ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ କିଶୋରନଗର ମେଡିକାଲ ଓ ପରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଉଭୟଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରା ଯାଇଛି । ଏବେ ମଧ୍ୟ ଉଭୟ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ଏହି ଘଟଣାରେ ଅନୁଗୁଳ ଜିଲ୍ଲା ଏସ ପି ରାହୁଲ ଜୈନ ଘଟଣାସ୍ଥଳକୁ ଯାଇ ନିଜେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏକ ଟିମ ଗଠନ କରି ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ । ପ୍ରଥମେ ଶିକାରୀ ଗୁଳି ବାଜି ଏହି ଅଘଟଣ ଘଟିଥାଇ ପାରେ ବୋଲି ସନ୍ଦେହ କରା ଯାଉଥିଲା । ତେବେ ତଦନ୍ତ ବେଳେ ପୂର୍ବ ଶତ୍ରୁତାରୁ ଏହି କାଣ୍ଡ ଘଟିଥିବା ପୁଲିସ ଜାଣିବାକୁ ପାଇଥିଲା । ପ୍ରଫୁଲ ମିର୍ଧାଙ୍କ ସହ ଗାଁର ପ୍ରଶାନ୍ତ ମିର୍ଧାଙ୍କର ପୂର୍ବରୁ ଝଗଡା ହୋଇଥିଲା । ଏହି ରାଗରେ ପ୍ରଶାନ୍ତ ବିଳମ୍ବିତ ରାତିରେ ଆସି ବାରଣ୍ଡାରେ ପ୍ରଫୁଲ ଶୋଇଥିବା ଭାବି ଗୁଳି କରି ଫେରାର ହୋଇ ଯାଇଥିଲେ । ତେବେ ଆଜି ପୁଲିସ ପ୍ରଶାନ୍ତଙ୍କୁ ନାକିଟିଦେଉଳ ଅଞ୍ଚଳରୁ ଧରିବାକୁ ସଫଳ ହୋଇଥିବା ବେଳେ ତାକୁ କିଶୋରନଗର ଅଣା ଯାଉଛି । ଏଠାରେ ତାକୁ ଅଧିକ ପଚରାଉଚରା କରାଯିବ ।

Advertisement

Leave a Reply

Your email address will not be published. Required fields are marked *