ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ଗୋଟିଏ ସ୍ଥାନରୁ ୨୨ ଗ୍ରାମ ବ୍ରାଉନ୍ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ସେହିଭଳି ଆଉ ଏକ ସ୍ଥାନରୁ ବିପୁଳ ପରିମାଣର ଦେଶୀ ମଦ ଜବତ କରିଥିବା ବେଳେ ଅନ୍ୟ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାରେ ନାଳକୋନଗର , ବଳରାମପ୍ରସାଦ ଅଞ୍ଚଳରେ ବ୍ୟାପକ ବ୍ରାଉନସୁଗାର କାରବାର ହେଉଥିବା ବେଳେ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦେଶରେ ଅବକାରୀ ବିଭାଗ ଏହି ଅଞ୍ଚଳରେ କଡା ନଜର ରଖିଛି । ଏହି କ୍ରମରେ ଆଜି କେନ୍ଦୁପାଟଣାସାହିର ରାକେଶ ବେହେରା ବ୍ରାଉନସୁଗାର ବିକ୍ରି କରିବାକୁ ଗ୍ରାହକ ଅପେକ୍ଷାରେ ଥିବା ଅବକାରୀ ବିଭାଗକୁ ଖବର ମିଳିଥିଲା । ଫଳରେ ଅବକାରୀ ଆଇ.ଇ. ମାନସୀ ସାହୁ ଏବଂ ଏ ଏସ ଆଇ ସମୀର ରଞ୍ଜନଙ୍କ ନେତୃତ୍ଵରେ ଅବକାରୀ ବିଭାଗ ଚଢାଉ କରିଥିଲା । କେନ୍ଦୁପାଟଣାସାହିଠାର ରାକେଶ ଗ୍ରାହକ ଅପେକ୍ଷାରେ ଥିବା ବେଳେ ଅବକାରୀ ବିଭାଗ ତାକୁ କାବୁ କରି ଯାଞ୍ଚ କରିବା ବେଳେ ତା ନିକଟରୁ ୨୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୨୦ ହଜାର ଟଙ୍କା ହେବ ।
ସେହିଭଳି କୁରୁଡ଼ୋଲ ରାସ୍ତାରେ ଏକ କାର ଯାଉଥିବା ବେଳେ ତାକୁ ଅଟକାଇ ଗାୟତ୍ରୀ ମାଝିଙ୍କ ନେତୃତ୍ବରେ ଅବକାରୀ ବିଭାଗ ଅଟକାଇ ଜାଞ୍ଚ କରିଥିଲା । ଜାଞ୍ଚ ବେଳେ କାରରୁ ୪୨୫ ଲିଟର ଦେଶୀ ମଦ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮୫ ହଜାର ଟଙ୍କା ହେବ । କାରରେ ଥିବା ମଦ ବେପାରୀ ଜଗନ୍ନାଥପୁର ଗାଁର ରାଜେଶ ନାଏକକୁ ଅବକାରୀ ବିଭାଗ ଗିରଫ କରିଥିଲା ।
ଉଭଯଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରା ଯାଇଛି ।