ଭେଣ୍ଡିଂ ଜୋନ୍‌ରେ ନିଶା କାରବାର – ଦମ୍ପତି ଗିରଫ

ଅନୁଗୁଳ – ଅନୁଗୁଳ ଥାନା ପୁଲିସ୍ ଟାଉନ୍ ହାଇସ୍କୁଲ ସାମ୍ନା ପରିତ୍ୟକ୍ତ ଭେଣ୍ଡିଂ ଜୋନ୍‌ରେ ଚଢ଼ାଉ କରି ୮ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି । ଏଥି ସହିତ ଏହି ଚୋରା କାରବାରର ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ରାଜକିଶୋରପଡ଼ାର କହୁଲୁ ନାଏକ ଓ ତାଙ୍କ ସ୍ତ୍ରୀ ଚତୁରୀ ନାଏକ । ବ୍ରାଉନସୁଗାର ସହିତ ପୁଲିସ ସେମାନଙ୍କ ଠାରୁ ୨ଟି ମୋବାଇଲ୍ ଓ ନଗଦ ୩୬ ହଜାର ଟଙ୍କା ଜବତ କରିଛି।

ସୂଚନା ଅନୁସାରେ, ନହୁଲ ଓ ଚତୁରୀ ଦୀର୍ଘଦିନ ହେଲା ବ୍ରାଉନସୁଗାର କାରବାର କରି ଆସୁଥିଲେ । ସେମାନେ ସେଠାରେ ଛୋଟ ଛୋଟ ପୁଡ଼ିଆ କରି ବିକ୍ରି କରୁଥିଲେ । ପୁଲିସ୍ ଏହି ଖବର ପାଇ ଉଭୟଙ୍କ ଉପରେ ନଜର ରଖିଥିଲା । ଠୋସ ଖବର ମିଳିବା ପରେ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ଚଢାଉ କରିଥିଲା । ପୁଲିସକୁ ଦେଖି ସେଠାରେ ଥିବା କିଛି ଲୋକ ଛତ୍ରଭଙ୍ଗ ଦେଇଥିଲେ। ମାତ୍ର ପୁଲିସ୍ ଉଭୟ କହୁଲୁ ଓ ଚତୁରୀଙ୍କୁ କାବୁ କରି ନେଇଥିଲା । ଛୋଟ ଛୋଟ ପୁଡ଼ିଆ କରୁଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ବ୍ରାଉନସୁଗାର ସହିତ ମୋବାଇଲ ଓ ନଗଦ ୩୬ ହଜାର ଟଙ୍କା ଜବତ କରିଥିଲା । ରାଜକିଶୋରପଡ଼ାର ଜଣେ ଯୁବକଠାରୁ ସେମାନେ ବ୍ରାଉନସୁଗର ଆଣି ବ୍ୟବସାୟ କରୁଥିବା ପୁଲିସ ଜେରା ବେଳେ ସ୍ୱୀକାର କରିଛନ୍ତି ଦମ୍ପତି । ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *