ଉତ୍ସାହ ଉଦୀପନାର ସହ ସ୍ଵାଧୀନତା ଦିବସ ପାଳିତ

ଉତ୍ସାହ ଉଦୀପନାର ସହ ସ୍ଵାଧୀନତା ଦିବସ ପାଳିତ

ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ତରୀୟ ୭୫ ତମ ସ୍ବାଧନତା ଦିବସ ରବିବାର ଷ୍ଟାଡିୟମ ପରିସରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପର୍ଯ୍ୟଟନ,ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ) ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ପ୍ରଦାନ କରିବା ସହ ସ୍ଵାଧୀନତା ସଂଗ୍ରାମୀ ତଥା ମାଟିର ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅନୁଗୁଳର ପବିତ୍ର ମାଟି ସଂଗ୍ରାମର ମାଟି । ବିଶିଷ୍ଟ ଜନନାୟକ ପବିତ୍ର ମୋହନ ପ୍ରଧାନଙ୍କ ନେତୃତ୍ବରେ ସଂଗଠିତ ପ୍ରଜାମଣ୍ଡଳ ଆନ୍ଦୋଳନ ଏବଂ ଗଡଜାତ ମିଶ୍ରଣରେ ଅନୁଗୁଳବାସୀଙ୍କ ସକ୍ରିୟ ସହଯୋଗ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ମୁଖ୍ୟ ଅତିଥି ଏହି ଅବସରରେ କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବରେ ରାଜ୍ୟରେ ଏକ ସ୍ଥିର ଓ ଦୃଢ ସରକାର ପ୍ରଦାନ କରିଛନ୍ତି ବୋଲି ମଧ୍ୟ କହିଥିଲେ । ସ୍ଵାଧୀନତା ଦିବସ ପାଳନ ଅବସରରେ ଗତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା, ସିବିଏସଇ ଓ ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖୁଥିବା ଛାତ୍ରଛାତ୍ରୀ ମାନଙ୍କୁ ପତଞ୍ଜଳି ଯୋଗ ସମିତି, ଅନୁଗୁଳ ଜିଲ୍ଲା ବିକାଶ ପରିଷଦ, ଲିଟିଲ ହାର୍ଟ ଟଡଲର୍ସ ଏକାଡେମୀ, ଟ୍ରକ ମାଲିକ ସଂଘ ଓ ଜିଲ୍ଲା ପ୍ରଶାସନ ଦ୍ବାରା ପୁରସ୍କୃତ କରାଯାଇଥିଲା । ମହାମାରୀ କରୋନା ସମୟରେ ସାହସିକତାର ସହ କାର୍ଯ୍ୟକରିଥିବାରୁ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ପୁଲିସ, ସଫେଇ କର୍ମଚାରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧଶର୍ଥ ଶଙ୍କର ସ୍ବାଇଁ, ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଯୋଗ ଦେଇଥିଲେ ।

ଜେଏସପିଏଲ ପକ୍ଷରୁ ସ୍ଵାଧୀନତା ଦିବସ ପାଳିତ

ଅନୁଗୁଳ – ଅନୁଗୁଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ଦ୍ଵାରା ୭୫ତମ ସ୍ଵାଧୀନତା ଦିବସ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ କୋଭିଡ-୧୯ ମହାମାରୀର ସମସ୍ତ ପ୍ରତିଷେଧକମୂଳକ ନିର୍ଦ୍ଦେଶାବଳୀ ସହ ପାଳିତ ହୋଇଯାଇଅଛି l ଜେଏସପିଏଲର ଅନୁଗୁଳ ପ୍ଳାଣ୍ଟର ମୁଖ୍ୟ ଶ୍ରୀ ହୃଦୟେଶ୍ଵର ଝାଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲ , ଶ୍ରୀ ସବ୍ୟସାଚୀ ବନ୍ଦୋପାଧ୍ୟାୟ ଏବଂ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନେ ଯୋଗଦାନ କରିଥିଲେ l ଏହି ଅବସରରେ ଶ୍ରୀ ଝା ଜେଏସପିଏଲ ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ବାର୍ତା ପଢି ଶୁଣାଇବା ସହ ଜେଏସପିଏଲ ଗୃପ ବିଭିନ୍ନ କ୍ଷେତ୍ରରେ ହାସଲ କରିଥିବା କୀର୍ତିମାନ ସଂପର୍କରେ ଉଲ୍ଲେଖ କରିଥିଲେ l ଶ୍ରୀ ଜିନ୍ଦଲ ତାଙ୍କ ବାର୍ତାରେ ସଦ୍ୟ ସମାପ୍ତ ହୋଇଥିବା ଟୋକିଓ ଅଲମ୍ପିକରେ ପଦକ ହାସଲ କରିଥିବା ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ କୋରୋନା ମହାମାରୀ ସମୟରେ ନିଷ୍ଠାର ସହ କାର୍ଯ୍ୟ କରି ଜନସାଧାରଣଙ୍କ ଜୀବନ ବଞ୍ଚାଇଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଶ୍ରୀ ଜିନ୍ଦଲ ତାଙ୍କ ବାର୍ତା ମାଧ୍ୟମରେ ଭାରତକୁ ଇସ୍ପାତ ଶିଳ୍ପ କ୍ଷେତ୍ରରେ ଆତ୍ମନିର୍ଭର କରିବା ପାଇଁ “ଜେଏସପିଏଲ ତାର ଅନୁଗୋଳ ଏବଂ ରାଈଗଡ ପ୍ଳାଣ୍ଟର ଇସ୍ପାତ ନିର୍ମାଣ କ୍ଷମତାକୁ ୨୦୩୦ ସୁଦ୍ଧା ୫୦ ମିଲିୟନ ଟନକୁ ବୃଦ୍ଧି କରାଯିବ ବୋଲି ପ୍ରକାଶ କରିବାସହ ଜେଏସପିଏଲ ବହୁତ କମ ସମୟ ମଧ୍ୟରେ ଋଣ ମୁକ୍ତ ହୋଇଯିବ ଆଶା ପ୍ରକାଶ କରିଛନ୍ତି l ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ଚାଲିଥିବା “ଆତ୍ମନିର୍ଭର ଭାରତ” କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଯୁବବର୍ଗଙ୍କୁ ଆଗେଇ ଆସି ନିଷ୍ଠାର ସହ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଜିନ୍ଦଲ ପ୍ରକାଶ କରିଥିଲେ । ଶ୍ରୀ ଝା ଜେଏସପିଏଲ ଅନୁଗୋଳ ୟୁନିଟର ଉତ୍କୃଷ୍ଟ ପ୍ରଦର୍ଶନ ନିମନ୍ତେ ପ୍ରତ୍ଯେକ କର୍ମଜୀବୀଙ୍କୁ ଅଭିନନ୍ଦନ ଜଣାଇବା ସହ ରାଷ୍ଟ୍ର ନିର୍ମାଣ ନିମନ୍ତେ ସେମାନଙ୍କର ସକ୍ରିୟ ଯୋଗୋଦାନରଉଚ୍ଚ ପ୍ରଶଂସା କରିଥିଲେ l ଏହି ଅବସରରେ ଶ୍ରୀ ଝା ନୂଆ ନୂଆ କୀର୍ତିମାନ ସ୍ଥାପନ କରି ନୂତନ ସଫଳତାର କାହାଣୀ ଲେଖୁଥିବା ଜେଏସପିଏଲରବିଭିନ୍ନବିଭାଗର ଭୂୟସୀ ପ୍ରଶଂସା କରିଥିଲେ । ସେହିଭଳି ଜେଏସପିଏଲର ବଡମହିତଳା ସ୍ଥିତ ପୁନର୍ବାସ ଏବଂ ପୁନଃ ଥଇଥାନ କୋଲୋନୀ ଠାରେ ଥିବା ଡିଏଭି ସାବିତ୍ରୀ ଜିନ୍ଦଲ ହାଇସ୍କୁଲ ଏବଂ ଅନୁଗୋଳ ସ୍ଥିତ ଓ.ପି ଜିନ୍ଦଲ କମ୍ୟୁନିଟି କୋଲେଜ ଠାରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ ସହ ୭୫ତମ ସ୍ଵାଧୀନତା ଦିବସ ପାଳିତ ହୋଇ ଯାଇଅଛି  ।

କୋଭିଡ ନିୟମରେ ଏନଟିପିସି ପାଳିଲା ସ୍ଵାଧୀନତା ଦିବସ  

କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁସ୍ଥିତ ଏନଟିପିସି ଠାରେ କୋଭିଡ କଟକଣାକୁ ଅନୁସରଣ କରି ଆଜାଡି କା ଅମୃତ ମହୋତ୍ସବବିଷୟବସ୍ତୁ ଉପରେ ସ୍ୱାଧୀନତାର ୭୫ ତମ ବର୍ଷ ପାଳନ କରିଥିଲେ । ଏନଟିପିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ କେ ଶ୍ରୀନିବାସା ରାଓ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ପରେ ସମସ୍ତେ ଜାତୀୟ ସଂଗୀତ ଗାନ କରା ଯାଇଥିଲା । ଏହି ଅବସରରେ ଶ୍ରୀ କେ ଶ୍ରୀନିବାସା ରାଓ ମହାନ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଦ୍ୱାରା କରାଯାଇଥିବା ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ସ୍ୱାଧୀନତା ସଂଗ୍ରାମ ସମୟରେ ସେମାନଙ୍କର ଗୌରବଶାଳୀ ଅବଦାନକୁ ମନେ ପକାଇଥିଲେ । ଏନଟିପିସିକୁ ମିଳିଥିବା ସଫଳତା ବିଷୟରେ ଜଣାଇବା ସହ କୋଭିଡ ମହାମାରୀ ସମୟରେ ଦେଶକୁ ନିରବଚ୍ଛିନ୍ନ ଶକ୍ତି ସୁନିଶ୍ଚିତ କରିବା ପାଇଁ ମିଳିତ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ସହଯୋଗୀଙ୍କ ଦଳ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସେ କହିଛନ୍ତି ଯେ ପ୍ଲାଣ୍ଟ ଅପରେସନ୍ ଏବଂ ପାଉଁଶ ସୁପରିଚାଳନା କ୍ଷେତ୍ରରେ ଏନଟିପିସି କଣିହାଁ ଭଲ ପ୍ରଦର୍ଶନ କରୁଛି । ମହାମାରୀ ସମୟରେ କର୍ମଚାରୀ, ପରିବାର ସଦସ୍ୟ, ସିଆଇଏସ୍ଏଫ୍, ସହଯୋଗୀ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଟୀକାକରଣ ଦିଗରେ ସେମାନଙ୍କ ଜୀବନ ରକ୍ଷା ଉଦ୍ୟମ ପାଇଁ ସେ ପୁରା ହସ୍ପିଟାଲ୍ ଦଳକୁ ପ୍ରଶଂସା କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ କୋଭିଡର ବିପଦକୁ ପ୍ରତିହତ କରିବା ପାଇଁ ଏନଟିପିସି କଣିହାଁ ବିଭିନ୍ନ ସିଏସ୍ଆର କାର୍ଯ୍ୟକଳାପ ନେଇଛି । ଏହି ଅବସରରେ ଶ୍ରୀ ରାଓ ବରିଷ୍ଠ ଅଧିକାରୀ, ୟୁନିଅନ୍ସ ଆଣ୍ଡ ଆସୋସିଏସନ୍, ଏସସି / ଏସଟି ଆସୋସିଏସନର ପ୍ରତିନିଧୀ, ଲେଡିଜ୍ କ୍ଲବ ସଦସ୍ୟମାନେ ୬୬ କର୍ମଚାରୀଙ୍କୁ ମେରିଟୋରିଅସ ପୁରସ୍କାର, ୬ ଜଣ କର୍ମଚାରୀଙ୍କୁ ପାୱାର୍ ଏକ୍ସେଲ୍ ପୁରସ୍କାର, ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସୁରକ୍ଷା ପୁରସ୍କାର ଏବଂ ୨୧ ଜଣ କର୍ମଚାରୀଙ୍କୁ ମାନବୀୟତା ପୁରସ୍କାର ପ୍ରଦାନ କରିଥିଲେ ।

What’s your Reaction?
+1
2
+1
0
+1
0
+1
0
+1
4
+1
0
+1
0

Leave a Reply