କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା – ବୁଦା ମୂଳରୁ ମୃତଦେହ ଉଦ୍ଧାର

କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା – ବୁଦା ମୂଳରୁ ମୃତଦେହ ଉଦ୍ଧାର

  • ଗାଧେଇବାକୁ ଯାଇ ଫେରିଲେ ନାହିଁ । 

  • ଗଣ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । 

  • ସନ୍ଦେହରେ ୩ ଅଟକ । 

  • ସ୍ଵପ୍ନ ଅଧାରେ ରହିଗଲା – ଲକ୍ଷ୍ୟ ଥିଲା ପୁଲିସ ହେବାକୁ । 

  • ମେଧାବୀ ଛାତ୍ରୀ ଭାବରେ ସ୍ଥାନୀୟ ଅଞ୍ଚଳରେ ପରିଚିତ ।

ଅନୁଗୁଳ – ଘର ପାଖ ନାଳକୁ ଗାଧେଇବାକୁ ଯାଇଥିଲା । ହେଲେ ଆଉ ଫେରିଲା ନାହିଁ । ନର ପିଶାଚ ମାନଙ୍କ ଲୋଲୁପ ଦୃଷ୍ଟିର ଶିକାର ହୋଇ ଦୁଷ୍କର୍ମ ପରେ ହତ୍ୟାର ଶିକାର ହେଲା ଜଣେ କଲେଜ ପଢନ୍ତା ଛାତ୍ରୀ । ଏଭଳି ଲୋମଟାଙ୍କୁରା ଘଟଣା ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗିରିଧିବାସିଆ ଗାଁ ପାଖ ନାଳ ନିକଟରେ ଘଟିଛି । ନାଳ ନିକଟସ୍ଥ ଏକ ବୁଦାମୂଳରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁସାରେ ନାଳ ନିକଟସ୍ଥ ଏକ ଗାଁର ଜଣେ କଲେଜ ପଢୁଆ ଛାତ୍ରୀ ସବୁଦିନ ପରି ଆଜି ସକାଳ ୮ ଘଟିକା ସମୟରେ ନିଜ ଘର ପାଖ ନାଳକୁ ଗାଧୋଇବା ପାଇଁ ଯାଇଥିଲେ । ଏକୁଟିଆ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ନଫେରିବାରୁ ବଡ଼ ଭଉଣୀ ନାଳ ନିକଟକୁ ଯାଇ ଖୋଜାଖୋଜି କରି ସାନ ଭଉଣୀକୁ ପାଇନଥିଲେ । ଘରକୁ ଫେରି ପରିବାର ଲୋକଙ୍କୁ ସାନ ଭଉଣୀକୁ ନାଳ ନିକଟରୁ ନପାଇବା ଘଟଣା ସମ୍ପର୍କରେ କହିବା ପରେ ପରିବାର ଲୋକ ମିଶି ନାଳ ନିକଟକୁ ଖୋଜିବାକୁ ଯାଇଥିଲେ । ବହୁ ସମୟ ଖୋଜାଖୋଜି କରିବା ପରେ ନାଳ ନିକଟ ଏକ ବୁଦା ମୂଳରେ ଡାଳ ପତ୍ର ଘୋଡ଼ା ହୋଇଥିବା ଅବସ୍ଥାରେ ତାଙ୍କର ମୃତ ଶରୀର ମିଳିଥିଲା । ଦେହରେ କୌଣସି ବସ୍ତ୍ର ନଥିବା ବେଳେ ଗୋଡ ବନ୍ଧା ଯାଇଥିଲା । ମୃତଦେହ ଉପରେ ଡାଳପତ୍ର ସହ କଣ୍ଟା ଘୋଡାଇ ଦିଆ ଯାଇଥିଲା । ଯେଉଁ ଅବସ୍ଥାରେ ଯୁବତୀଙ୍କ ମୃତଦେହ ମିଳିଥିଲା ସେଥିରୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ପରିବାର ଲୋକ ବୁଝି ଯାଇଥିଲେ । ସଙ୍ଗେ ସଙ୍ଗେ ପୁଲିସକୁ ଏ ନେଇ ସୂଚନା ଦିଆ ଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଛାତ୍ରୀଙ୍କ ବାପାଙ୍କର ଏତଲାକୁ ଆଧାର କରି ଏକ ମାମଲା ରୁଜ୍ଜୁ କରିବା ସହ ସନ୍ଦେହରେ ୩ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି । ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ମଧ୍ୟ ପହଞ୍ଚି ତଦନ୍ତ କରା ଯାଇଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ତୁରନ୍ତ କାର୍ଯ୍ୟନୁଷ୍ଠାନ ଓ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଦାବି କରି ଅନୁଗୁଳ – ଆଠଗଡ଼ ରାଜପଥ ଅବରୋଧ କରିଥିଲେ । ପରେ ପୁଲିସ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା ପରେ ଆନ୍ଦୋଳନ ହଟିଥିଲା । ତେବେ ସେପଟେ ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ତଦନ୍ତକୁ ଜୋର୍ଦାର କରିଛି । ଖୁବ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଧରାଯିବା ବୋଲି ପୁଲିସ କହିଛି । ସୂଚନା ଅନୁସାରେ ମୃତ ଯୁବତୀ ଜଣଙ୍କ ଅନୁଗୁଳ ସରକାରୀ ମହିଳା ମହାବିଦ୍ୟାଳୟରେ ସ୍ନାତକ କଳା ବିଭାଗର ଶେଷ ବର୍ଷର ଛାତ୍ରୀ ଥିଲେ । ସେ ପୁଲିସ ବିଭାଗରେ ଯୋଗ ଦେବା ପ୍ରସ୍ତୁତି ଚଳାଇଥିବା ବେଳେ ଜଣେ ମେଧାବୀ ଛାତ୍ରୀ ଭାବରେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply