ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜ୍ୟରେ ହେଉଥିବା ମହିଳାମାନଙ୍କ ପ୍ରତି ଅକଥନୀୟ ନିର୍ଯାତନା ବିରୋଧରେ ଏବଂ ମହିଳାମାନଙ୍କ ସୁରକ୍ଷା ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏକ ବିରାଟ ଶୋଭାଯାତ୍ରାରେ ଆସି କଂଗ୍ରେସ କର୍ମୀମାନେ ଜିଲ୍ଲାପାଳଙ୍କ ଫାଟକ ସମ୍ମୁଖରେ ନାରାବାଜି କରିଥିଲେ । ସେଠାରେ ପୁଲିସ ସହ ସାମାନ୍ୟ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । କ୍ରାଇମ ଏଗେନଷ୍ଟ ଓମ୍ୟାନ ଏବେ ଏକ ବଡ଼ ନାରା ସୃଷ୍ଟି ହୋଇଛି । ସମଗ୍ର ଭାରତ ବର୍ଷରେ ଓଡିଶା ଏବେ ମହିଳାଙ୍କ ପ୍ରତି ଅତ୍ୟାଚାରରେ ପ୍ରଥମ ଓ ଏହି ମହିଳା ମାନଙ୍କୁ ନ୍ୟାୟ ଦେବାରେ ଓ ଅପରାଧୀ ମାନଙ୍କୁ ଦଣ୍ଡ ଦେବାରେ ଏହି ଡବଲ ଇଞ୍ଜିନ ସରକାର ଅକ୍ଷମ ମଧ୍ୟ ହୋଇଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ମହିଳାମାନଙ୍କ ପ୍ରତି ହେଉଥିବା ବଳାତ୍କାର, ଗଣବଳାତ୍କାର ଓ ସଂଗୀନ ଅପରାଧ ବନ୍ଦ କରିବା, ମହିଳାମାନଙ୍କ ପ୍ରତି ହେଉଥିବା ପାଶବିକ ଅତ୍ୟାଚାରର ଅତ୍ୟାଚାରୀମାନଙ୍କୁ ସୁରକ୍ଷା ଦେଉଥିବା ଭାଜପା ସରକାରଙ୍କ ଇସ୍ତଫା, ଡବଲ ଇଞ୍ଜନ ସରକାର ମହିଳାମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର ବନ୍ଦ କରିବା, ଅପରାଧୀମାନଙ୍କୁ କଠୋର ଦଣ୍ଡ ପ୍ରଦାନ କରି ନାରୀଙ୍କୁ ନ୍ୟାୟ ଦେବା, ଆବାସିକ ବିଦ୍ୟାଳୟରେ ଆଦିବାସୀ ଓ ଦଳିତ ସ୍କୁଲ ଛାତ୍ରୀଙ୍କ ପ୍ରତି ହେଉଥିବା ଯୌନ ବ୍ୟଭିଚାର ବନ୍ଦ କରିବା, ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାର ଆଦିବାସୀ ମହିଳାଙ୍କୁ ସୁରକ୍ଷା ଦେବା ଦାବିରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଜିଲ୍ଲା ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ, ଜିଲ୍ଲା ପର୍ଯ୍ୟବେକ୍ଷକ ଲଲାଟେନ୍ଦୁ ଦାସ ପ୍ରମୁଖ ଏ ଆନ୍ଦୋଳନର ଆବଶ୍ୟକତା କାହିଁକି ତା ଉପରେ ପ୍ରାଞ୍ଜଳ ଭାବରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ ଓ ଆଜି ଡବଲ ଇଞ୍ଜିନ ସରକାର ରାଜ୍ୟବାସୀଙ୍କ ରୋଜି ରୋଟିକୁ ଛଡାଇ ନେଇ ଲୋକମାନଙ୍କୁ ଅନ୍ଧାର ଭିତରକୁ ଠେଲି ନେଇଥିବା ପ୍ରକାଶ କରିଥିଲେ। ଆଜି ରାଜ୍ୟର ମହିଳାମାନେ ଅସୁରକ୍ଷିତ। ସେମାନଙ୍କୁ ନ୍ୟାୟ ମିଳୁନାହିଁ। କ୍ଷମତାକୁ ହାତେଇବା ପାଇଁ ଦେଇଥିବା ପ୍ରତିଶ୍ରୁତି ଆଜି ପାଣିର ଗାର ହୋଇଛି। ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ପଚାଶ ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶୃତି ଦେଇ ସେମାନଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ପାଞ୍ଚ ବର୍ଷ ଦଶଟି କିସ୍ତିରେ ପ୍ରଦାନ କରିବା ପାଇଁ ଏବେ କହୁଛନ୍ତି। ଏ ପାଞ୍ଚ ହଜାର ଟଙ୍କା ମାଆମାନଙ୍କୁ କିଭଳି ସଶକ୍ତ କରିବ ବୋଲି ପ୍ରଶ୍ନ କରିଥିଲେ। ଲୋକ ମାନଙ୍କୁ ୩୦୦ ୟୁନିଟ ବିଦ୍ୟୁତ ଶକ୍ତି ଛାଡ କରିବା ପାଇଁ କହୁଥିବା ବେଳେ ଏବେ ବିଦ୍ୟୁତ ଦର ବଢାଇବାକୁ କହୁଛନ୍ତି। ଏ ସରକାର ଛଳନା ସରକାର ବୋଲି ବର୍ଣ୍ଣନା କରିଥିଲେ। ଏହାପରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ବିକ୍ଷୋଭକାରୀଙ୍କ ପାଖକୁ ଆସି ସ୍ମାରକପତ୍ର ଗ୍ରହଣ କରିଥିଲେ।