ଛେଣ୍ଡିପଦା – କରୋନା ମହାମାରୀର ଭୟାବହତା ଦିନକୁ ଦିନ ବଢିବାରେ ଲାଗିଛି । ମହାମାରୀରେ ଆକ୍ରାନ୍ତ ହୋଇ ଅନେକ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ରୋଗର ଭୟବହତା ଲୋକଙ୍କ ମନରେ ଏମିତି ହେଲାଣି ଯେ , ମଣିଷ ନିଜ ରକ୍ତ ସମ୍ପର୍କକୁ ମଧ୍ୟ ପର କରି ଦେଉଛନ୍ତି । ଭୟରେ ମୃତକଙ୍କ ଶବକୁ ସତ୍କାର କରିବା ତ ଦୂରର କଥା ପାଖ ମଧ୍ୟ ଅନେକ ମାଡୁ ନାହାଁନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡ଼ିଆ ଗାଁରେ ଦେଖିବାକୁ ମିଳିଛି । କରୋନାରେ ସଂକ୍ରମିତ ହୋଇଥିବା ସନ୍ଦେହ କରିବାରୁ ମୃତ୍ୟୁ ପରେ ୫ ଘଣ୍ଟା ପର୍ଯ୍ୟନ୍ତ ମୃତଦେହ ପଡିରହିଲା । ୫ ଘଣ୍ଟା ପରେ ଜଣେ ସମାଜସେବୀଙ୍କ ସହାୟତାରେ ଶବ ସତ୍କାର କରାଯାଇ ପାରିଲା । ସୂଚନା ଅନୁସାରେ ବାଗଡ଼ିଆ ମାଉସୀ ମନ୍ଦିର ସାହିର କନକଲତା ସାହୁ ନାମକ ଜଣେ ମହିଳାଙ୍କ କିଛିଦିନ ତଳେ ଜ୍ଵର ହୋଇଥିଲା । କରୋନା ସନ୍ଦେହରେ ପରିବାର ଲୋକ ତାଙ୍କର ଆଣ୍ଟିଜେନ ଓ ଆରଟିପିସିଆର ଟେଷ୍ଟ କରିଥିଲେ । ତେବେ ଏଥିରେ ତାଙ୍କର ନେଗେଟିଭ ରିପୋର୍ଟ ଆସିଥିଲା । ତେବେ ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ କରୋନା ସନ୍ଦେହରେ ପରିବାର ଲୋକ ଓ ଗ୍ରାମବାସୀ ଆଉ ପାଖ ମାଡି ନଥିଲେ । ପରିବାର ପକ୍ଷରୁ ସ୍ଥାନୀୟ ପ୍ରଶାସନକୁ ମଧ୍ୟ ଜଣାଇଥିଲେ । ହେଲେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା । ଶେଷରେ ପରିବାର ଲୋକ ସମାଜସେବୀ କିନ୍ନର ଚିନ୍ମୟୀ ଦାସଙ୍କୁ ଖବର ଦେଇଥିଲେ । ଚିନ୍ମୟୀ ଘଟଣା ସ୍ଥଳରେ ପହଞ୍ଚି ପିପିଇ କିଟ ପିନ୍ଧି ମୃତଦେହକୁ ମୋଟରସାଇକେଲରେ ଧରି ସ୍ମଶାନକୁ ନେଇ ଯାଇଥିଲେ । ଆଉ ସେଠାରେ ଶବ ସତ୍କାର କରିଥିଲେ । କିନ୍ନର ହେଲେ ମଧ୍ୟ ଚିନ୍ମୟୀଙ୍କ ଏଭଳି ମହାନ କାମକୁ ସବୁଆଡୁ ପ୍ରଶଂସା କରାଯାଇଛି ।
What’s your Reaction?
+1
+1
+1
+1
+1
+1
+1