ସୁଭଦ୍ରା ହତ୍ୟାକାରୀକୁ ଗିରଫ ଦାବିରେ ଗଣଧାରଣା

ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଜଣେ ଯୁବତୀକୁ ଗଣଦୁଷ୍କର୍ମରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବୀରେ ଅନୁଗୁଳ ଜିଲ୍ଲାର ସଚେତନ ନାଗରିକ ମାନଙ୍କ ପକ୍ଷରୁ ବୁଧବାର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଦିଆଯାଇଥିଲା ।

ତାଳଚେର ଉପଖଣ୍ଡରେ ସୁଭଦ୍ରା ନାମ୍ନୀ ଜଣେ ଯୁବତୀଙ୍କୁ ଅତ୍ୟନ୍ତ ଜଘନ୍ୟ ଭାବେ ହତ୍ୟା କରାଯିବା ଘଟଣା ଜନସାଧାରଣଙ୍କୁ ଅତ୍ୟନ୍ତ ମର୍ମାହତ କରିଛି । ଘଟଣାରେ ତୁରନ୍ତ ଦୋଷିକୁ ଗିରଫ କରାଯାଉ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସଚେତନ ନାଗରିକ ଆବାହକ ପର୍ଶୁରାମ ଦାଶ ପ୍ରକାଶ କରିଛନ୍ତି । ବିଶେଷ ଭାବରେ ଗତ ୨୬ ଏପ୍ରିଲ ଠାରୁ ଉକ୍ତ ଯୁବତୀଙ୍କ ନିଖୋଜ ଘଟଣା ଲୋକଲୋଚନକୁ ଆସିଥିଲେ ମଧ୍ୟ ବାସ୍ତବ ପଦକ୍ଷପ ଗ୍ରହଣ କରିବାରେ ବିଳମ୍ବ ହେବାରୁ ଜଣେ ନିରୀହ ଯୁବତୀଙ୍କ ଜୀବନ ଚାଲିଗଲା ବୋଲି ଅଭିଯୋଗ ହେଉଛି । ଯୁବତୀ ଗଣଦୁଷ୍କର୍ମର ପରେ ହତ୍ୟା ଓ ନିଆଁରେ ପୋଡ଼ି ମାରି ଦିଆଯାଇଥିବା କଥା ମଧ୍ୟ ଅଭିଯୋଗ ହୋଇଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାର ସମସ୍ତ ଦିଗରୁ ତଦନ୍ତ କରାଯାଇ ଅବିଳମ୍ବେ ସମସ୍ତ ଅପରାଧୀଙ୍କୁ ଗିରଫ କରାଯାଇ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିବାର ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ସଚେତନ ନାଗରିକ ଦାବୀ କରିଛନ୍ତି ।

ଏଥି ସହ ମହିଳା ମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ଏବଂ ସମାଜ ରେ ଅବାଧରେ ଚାଲୁଥିବା ମାଦକ ଦ୍ରବ୍ୟ କାରବାରକୁ ମଧ୍ୟ ବନ୍ଦ କରାଯିବା, ବିଶେଷ କରି ଶିଶୁକନ୍ୟା, ଯୁବତୀ ଓ ମହିଳା ମାନଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗ ରେ ଅଭିଯୋଗ ହେଲେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅବହେଳା ପ୍ରଦର୍ଶନ କରୁଥିବା ପୁଲିସ୍ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅନୁଗୁଳ ସଚେତନ ନାଗରିକ ପକ୍ଷରୁ ଦାବୀ ଜଣା ଯାଇଅଛି । ଆହୁରି ମଧ୍ଯ ଶାନ୍ତି ପ୍ରିୟ ଅନୁଗୁଳରେ ପୁନଃ ଆଇନ ଶୃଂଖଳା ଫେରାଇ ଆଣିବା ପାଇଁ ମଧ୍ୟ ନାଗରିକ ମାନଙ୍କ ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀ ଜଣା ଯାଇଅଛି । ସଚେତନ ନାଗରିକ ମାନଙ୍କ ପକ୍ଷରୁ ପରଶୁରାମ ଦାଶ , ପ୍ରତାପ ମହାପାତ୍ର , ବ୍ରାହମଜ୍ୟୋତି ମିଶ୍ର , ଦିନେଶ ପ୍ରଧାନ , ଆଦ୍ୟାଶ୍ଳୋକ ମିଶ୍ର , ନବକିଶୋର , ପ୍ରଦ୍ଯୁମ୍ନ ନାଏକଙ୍କ ସହ ଶତାଧିକ ନାଗରିକ ଏସ ପି ଅଫିସ ସମ୍ମୁଖରେ ଏହି ସବୁ ଦାବିରେ ଧାରଣାରେ ବସିଥିଲେ । ଗଣଧାରଣା ସ୍ଥଳକୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡା ପହଞ୍ଚି ଅଭିଯୁକ୍ତ ଚିହ୍ନଟ ହୋଇସାରିଛି ଓ ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବା ବୋଲି ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *