ଖୁବ ଶୀଘ୍ର ନୂତନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ହେବାର ଅଛି । ତେବେ ଏହା ପୂର୍ବରୁ କିଏ ଏହି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବ ତାକୁ ନେଇ ନାନା କଳ୍ପନାଜଳ୍ପନା ଦେଖା ଦେଇଛି । ଜୁନ୍ ମାସରୁ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିବା ବେଳେ ଏହି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଓଡିଆ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି ।
ସୂଚନା ଅନୁସାରେ, ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଜାନୁଆରୀ ୨୦୨୦ରୁ ଏହି ପଦରେ ଅଛନ୍ତି । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା । ତେବେ ତାଙ୍କ ଏହି କାର୍ଯ୍ୟକାଳ ପରେ ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ହେବାର ଅଛି । ଏହି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ରେସରେ ଥିବା ୩ ହେଭିୱେଟଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ପ୍ରମୁଖ ନେତା ଧର୍ମେନ୍ଦ୍ର ପ୍ରଧାନ। ଓଡିଶାର ଏହି ଟାଣୁଆ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସାଂଗଠନିକ ଦକ୍ଷତା ଥିବାରୁ ଓ ସେ କେନ୍ଦ୍ରୀୟ ନେତୃତ୍ୱଙ୍କ ଖୁବ ନିକଟତର ହୋଇଥିବାରୁ ତାଙ୍କ ନାଁ ସର୍ବପ୍ରଥମେ ଆସୁଛି । ଧର୍ମେନ୍ଦ୍ର ପ୍ରଧାନ ବର୍ତ୍ତମାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରହିଛନ୍ତି । ତାଙ୍କ ପରେ ଶିବରାଜ ସିଂହ ଚୌହାନ ନାମ ଏହି ଦୌଡରେ ରହିଛି । ସେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତୃଣମୂଳ ସ୍ତରର ଜଣେ ଅଭିଜ୍ଞ ନେତା । ତୃତୀୟରେ ରହିଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଏବେ ସେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଅଛନ୍ତି । ତାଙ୍କ ପାଖରେ ମଧ୍ୟ ଅଭିଜ୍ଞତା ଥିବାରୁ ତାଙ୍କୁ ଏହି ପଦ ପାଇଁଁ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।