ଲଢ଼ିବେ ଧର୍ମେନ୍ଦ୍ର !!!

ଲଢ଼ିବେ ଧର୍ମେନ୍ଦ୍ର !!!

ଅନୁଗୋଳ – ସାଧାରଣ ନିର୍ବାଚନ ସମୟ ପାଖେଇ ଆସୁଛି । ବର୍ଷ ଶେଷ ବେଳକୁ ହୋଇପାରେ ଏହି ନିର୍ବାଚନ । ଏଥିପାଇଁ ସବୁ ରାଜନୈତିକ ଦଳ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କଲେଣି । ତେବେ ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରମୁଖ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ରାଜନୈତିକ ଉଷ୍ମତାକୁ ଆହୁରି ବଢ଼େଇ ଦେଇଛି । ସେ ଦେଇଥିବା ପ୍ରତିକ୍ରିୟା ଅନୁସାରେ ଆଗାମୀ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ନିର୍ବାଚନ ମୈଦାନକୁ ଓଲ୍ହାଇବେ । ତେବେ ଧର୍ମେନ୍ଦ୍ରଙ୍କ ଏହି ବୟାନ ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ଧର୍ମେନ୍ଦ୍ର କେଉଁଠି କରିବେ ନାମାଙ୍କନ ? କେଉଁ ଆସନରୁ ସେ ନିର୍ବାଚନ ଲଢ଼ିବେ ? ଏଥିପାଇଁ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି । ପୂର୍ବରୁ ସେ ଦେବଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ଥରେ , ପାଲଲହଡ଼ା ବିଧାନସଭା ଆସନରୁ ଗୋଟିଏ ଥର ବିଧାୟକ ହୋଇଥିବା ବେଳେ ଆଉ ଗୋଟିଏ ଥର ନିର୍ବାଚନ ହାରିଥିଲେ । ଏହା ପରଠାରୁ ସେ ଆଉ ପ୍ରତ୍ୟକ୍ଷ ନିର୍ବାଚନରେ ଭାଗ ନେଇ ନାହାଁନ୍ତି । ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ପରେ ପାଲଲହଡା ନିର୍ବାଚନ ମଣ୍ଡଳୀରେ ଥିବା ତାଙ୍କ ସମର୍ଥକଙ୍କ ମନରେ ନୁଆଁ ଆଶା ସଞ୍ଚାର ହୋଇଛି । ସେପଟେ ଢେଙ୍କାନାଳ ଲୋକସଭା ଆସନରୁ ମଧ୍ୟ ସେ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଆକଳନ କରା ଯାଉଛି । କାରଣ ଏହି ଆସନରୁ ବିଜେପି ଦଳର ବରିଷ୍ଠ ତଥା ଅଭିଜ୍ଞ ନେତା ରୁଦ୍ର ନାରାୟଣ ପାଣି ଲଗାତାର ଭାବେ ହାରି ଆସିଛନ୍ତି । ସେପଟେ ଢେଙ୍କାନାଳ ଆସନରୁ ଧର୍ମେନ୍ଦ୍ର ପ୍ରାର୍ଥୀ ହେଲେ ତାଳଚେର ଅଞ୍ଚଳରେ ଥିବା ତାଙ୍କ ଲୋକପ୍ରିୟତା ଏବଂ ଘର ପୁଅ ଭାବରେ ସଫଳତା ମିଳିପାରେ ବୋଲି ଆଶା କରାଯାଉଛି । ଅନ୍ୟପଟେ ଧର୍ମେନ୍ଦ୍ର ହିଁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଯେଉଁ ଚର୍ଚ୍ଚା ରହିଛି ସେ ହିସାବରେ ଧର୍ମେନ୍ଦ୍ର ତାଳଚେର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ମଧ୍ୟ କିଛି ସମର୍ଥକ ଆଶା କରୁଛନ୍ତି । ତେବେ ତାଳଚେରରେ ଧର୍ମେନ୍ଦ୍ର ପ୍ରାର୍ଥୀ ହେଲେ ତାଙ୍କ ବିରୁଦ୍ଧରେ ବିଜେଡିର ଅପ୍ରଦୀଦ୍ୱନ୍ଦୀ ବିଧାୟକ ବ୍ରଜ କିଶୋର ପ୍ରଧାନ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବେ । କାରଣ ବ୍ରଜ କିଶୋର ପ୍ରଧାନ ଲଗାତାର ଭାବେ ବିଧାୟକ ଭାବେ ଜିତାପଟ ମାରୁଥିବା ବେଳେ ତାଙ୍କ ଲୋକପ୍ରିୟତା ହ୍ରାସ ପାଇ ନାହିଁ । ତେବେ ଏ ସବୁଠାରୁ ବଡ କଥା ହେଲା ଧର୍ମେନ୍ଦ୍ର ପଶ୍ଚିମାଞ୍ଚଳକୁ ନିଜର ନିର୍ବାଚନ କ୍ଷେତ୍ର ଭାବେ ଲକ୍ଷ୍ୟ ରଖିଥିବା ମଧ୍ୟ ଶୁଣା ଯାଉଛି । କାରଣ ପଶ୍ଚିମ ଓଡ଼ିଶାର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପୂର୍ବରୁ ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଉପ ନିର୍ବାଚନ ବେଳେ ଚାଷୀଙ୍କ ପାଇଁ ଘୋଷଣା , ଜିଲ୍ଲା ଘୋଷଣା ଆଦି କରି ବେଶ ପ୍ରଭାବ ପକାଇଛନ୍ତି । ଏହା ପରେ ରାଉରକେଲାରେ ହକି ଷ୍ଟାଡିୟମର ନିର୍ମାଣ କରି ହକି ୱାର୍ଲଡ଼ କପର ଆୟୋଜନ କରାଇବା ପରେ ଏହାର ପ୍ରଭାବ ଅଞ୍ଚଳବାସୀଙ୍କ ମନରେ ରହିଛି । ଏ ସବୁକୁ କାଉଣ୍ଟର କରିବା ପାଇଁ ଧର୍ମେନ୍ଦ୍ର ସମ୍ବଲପୁର ଲୋକସଭା ଆସନକୁ ବାଛି ପାରନ୍ତି ବୋଲି ଅଧିକ ଆଶା କରାଯାଉଛି । ଅନ୍ୟପଟେ ଦେଖିବାକୁ ଗଲେ ପଶ୍ଚିମ ଓଡିଶାର ବରିଷ୍ଠ ନେତା ବସନ୍ତ ପଣ୍ଡା , ନିତେଶ ଗଙ୍ଗଦେଵ , ସୁରେଶ ପୂଜାରୀ ହୁଅନ୍ତୁ କିମ୍ବା ସଂଗୀତା ସିଂଦେଓ କି ଜୁଏଲ ଓରାମ ହୁଅନ୍ତୁ , ଏ ସମସ୍ତ ନେତାଙ୍କ ସ୍ଥିତି ନିଜ ନିଜ ଏରିଆରେ ଭଲ ନଥିବା ଚର୍ଚ୍ଚା ରହିଛି । କିନ୍ତୁ ଅନ୍ୟପଟରେ ବିଜେପିର ପଶ୍ଚିମ ଓଡ଼ିଶାରେ ଏକ ଭଲ ସ୍ଥିତି ପୂର୍ବରୁ ରହି ଆସିଥିଲା । ଆଉ ଏହି ପୂର୍ବ ସ୍ଥିତିକୁ ବଜାୟ ରଖିବାକୁ ଧର୍ମେନ୍ଦ୍ର ସମ୍ବଲପୁର ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇ ପାରନ୍ତି । ସମ୍ବଲପୁରରେ ପ୍ରାର୍ଥୀ ହେଲେ ଢେଙ୍କାନାଳ ଲୋକସଭା ଉପରେ ମଧ୍ୟ ଏହାର ପ୍ରଭାବ ପଡିବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି । ତେବେ ଧର୍ମେନ୍ଦ୍ର କେଉଁଠି ପ୍ରାର୍ଥୀ ହେବେ ତାହା ସମ୍ପୂର୍ଣ ତାଙ୍କ ନିଜ ଉପରେ ନିର୍ଭର କରୁଥିବା ବେଳେ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିଲେ ଏହାର ଫାଇଦା ରାଜ୍ୟ ବିଜେପିକୁ ମିଳିବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।

What’s your Reaction?
+1
1
+1
0
+1
0
+1
0
+1
6
+1
0
+1
0

Leave a Reply