ଉଚ୍ଚ ନ୍ୟାୟାଳୟର ନିର୍ଦେଶକୁ ବେଖାତିର କରୁଛି ପ୍ରଶାସନ – ଅଭିଯୋଗ କଲେ ଦିଘି ଗ୍ରାମବାସୀ

ଉଚ୍ଚ ନ୍ୟାୟାଳୟର ନିର୍ଦେଶକୁ ବେଖାତିର କରୁଛି ପ୍ରଶାସନ – ଅଭିଯୋଗ କଲେ ଦିଘି ଗ୍ରାମବାସୀ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଦିଘି ଗ୍ରାମ ଦେଇ ଯାଉଥିବା ଫ୍ଲାଏ ଓଭର ବ୍ରିଜକୁ ବେନିୟମ ଭାବେ ନିର୍ମାଣ କରାଯାଉଛି । ରାଜ୍ୟ ସରକାର ଓ ପୂର୍ବତଟ ରେଳବାଇ ବିଭାଗଙ୍କ ମିଳିତ ସହଯୋଗରେ ଏହି ଫ୍ଲାଏ ଓଭର ବ୍ରିଜ ନିର୍ମାଣ କରାଯାଉଥିବା ବେଳେ ଗ୍ରାମବାସୀଙ୍କ ଦାବୀ ,ଆପତ୍ତିକୁ ଆଦୌ ପୂରଣ କରାଯାଇନାହିଁ । ଏନେଇ ଗ୍ରାମବାସୀ କରି ଆସୁଥିବା ଅଭିଯୋଗ ଗୁଡ଼ିକୁ ମଧ୍ୟ ତାଳଚେର ଉପଜିଲ୍ଲାପାଳ ଶୁଣୁନାହାଁନ୍ତି କି ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶକୁ ସେ ମାନୁ ନାହାନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଦିଘି ଗ୍ରାମବାସୀଙ୍କ ସୂଚନା ଅନୁସାରେ,ଏହି ପ୍ରସଙ୍ଗ ନେଇ ପୂର୍ବରୁ ତାଳଚେର ଉପଜିଲ୍ଲାପାଳ , ତହସିଲଦାର , ପୁଲିସ , ପ୍ରଶାସନ ଓ ଗ୍ରାମବାସୀଙ୍କୁ ନେଇ ବହୁବାର ଆଲୋଚନା ହୋଇଥିଲା । ୨୦୧୩ ମସିହା ରିହାବିଲଟେସନ ଆଣ୍ଡ ରିସେଟଲମେଣ୍ଟ ପଲିସି ଅନୁସାରେ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ଉଚିତ ମାନରେ ଅର୍ଥାତ୍ ବଜାର ମୂଲ୍ୟର ୪ ଗୁଣ ଅନୁସାରେ କ୍ଷତିପୂରଣ ପ୍ରଦାନ , ନିଯୁକ୍ତି ପ୍ରଦାନ ଓ ଥଇଥାନ କରିବା କଥା । କିନ୍ତୁ ଉପଖଣ୍ଡ ପ୍ରଶାସନିକ ଅଧିକାରୀ କିଛି ନ ଶୁଣିବାରୁ ବାଧ୍ୟହୋଇ ଗ୍ରାମବାସୀ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୧୬ ମସିହାରେ ଏ ବାବଦରେ କେସ୍ ହେବା ପରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଥିଲା ଏବଂ କୋର୍ଟ ନୂଆ ନିୟମକୁ ଲାଗୁ କରି ଲୋକଙ୍କୁ ଥଇଥାନ କରି ଘରଦ୍ୱାର ହରାଉଥିବା ଲୋକଙ୍କ ସଠିକ ମୁଲ୍ୟାଙ୍କନ କରି ଉଚିତ୍ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସ୍ଥାନୀୟ ତାଳଚେର  ଉପଜିଲ୍ଲାପାଳ ଓ ଲ୍ୟାଣ୍ଡ ଆକ୍ୟୁଜେସନ ଅଫିସ୍‌ର ତାହାକୁ ପାଳନ କଲେନାହିଁ । ଏଣୁ ପୁନର୍ବାର ଜ୍ଞାନରଞ୍ଜନ ନାୟକ ଓ ଅନ୍ୟମାନେ ୨୦୧୭ ମସିହାରେ ହାଇକୋର୍ଟରେ କେସ୍ କରିଥିଲେ । ବର୍ତମାନ ଏହା ଅଦାଲତରେ ବିଚାରାଧିନ ରହିଛି । ଉକ୍ତ କେସ୍ ଗୁଡ଼ିକର ନକଲକୁ ଅନୁଗୁଳ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ତଥାପି ମାନ୍ୟବର ଅଦାଲତଙ୍କୁ ହେୟଜ୍ଞାନ କରି ଫ୍ଲାଏ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ତାଳଚେର ଉପଜିଲ୍ଲାପାଳ ପ୍ରୟାସ କରୁଛନ୍ତି ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅପରପକ୍ଷେ କ୍ଷତିଗ୍ରସ୍ତ ଗ୍ରାମବାସୀମାନେ ପ୍ରଶାସନର ଏପରି ମନୋମୂଖୀ କାର୍ଯ୍ୟ ଯୋଗୁଁ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଛନ୍ତି । ସୂଚନା ଅନୁସାରେ ଦିଘି ଗ୍ରାମବାସୀ ୧୯୬୦ ମସିହାରେ ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ନିମନ୍ତେ ଜମି ଓ ଘରଦ୍ୱାର ହରାଇପରେ ମଧ୍ୟ କିଛି ପାଇନାହାନ୍ତି । ଏବେ ସେମାନେ ସିମୀତ ସ୍ଥାନରେ ଘରଦ୍ୱାର କରି ପରିବାର ସହ ବାସ କରୁଥିବା ବେଳେ , ଯଦି ଫ୍ଲାଏ ଓଭର ବ୍ରିଜ ନିର୍ମାଣ ହୁଏ ତେବେ ସେମାନେ କେଉଁଠିକି ଯିବେ ବୋଲି ପ୍ରଶ୍ନ କରିଛନ୍ତି । କୈାଣସି ବ୍ୟବସ୍ଥା କରା ନଯାଇ ସ୍ଥାନରୁ ହଟିବାପାଇଁ ଡରେଇ, ଧମକାଇ କାର୍ଯ୍ୟ କରିବାର ପ୍ରୟାସକୁ ତୀବ୍ର ବିରୋଧ କରାଯିବ ବୋଲି ଗ୍ରାମବାସୀମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରହଲ୍ଲାଦ ସାହୁ,ଜ୍ଞାନରଞ୍ଜନ ନାୟକ,ଶରତ ଚନ୍ଦ୍ର ସାହୁ,ବିପିନ ବିହାରୀ ନାୟକ , ଟି.ବାବୁରାଓଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

What’s your Reaction?
+1
0
+1
0
+1
0
+1
1
+1
0
+1
0
+1
0

Leave a Reply