ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନାର ସ୍ଥିତି କଣ ? ଆକ୍ରାନ୍ତ ଏବଂ ସୁସ୍ଥଙ୍କ ସଂଖ୍ୟା କେତେ ? ଏହାକୁ ନେଇ ବର୍ତ୍ତମାନ ଜିଲ୍ଲାବାସୀଙ୍କ ମଧ୍ୟରେ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । କାରଣ ଜିଲ୍ଲା ପ୍ରଶାସନ କରୋନାକୁ ଯେଉଁ ତଥ୍ୟ ଦେଉଛି, ତାହା ରାଜ୍ୟ ସରକାରଙ୍କ ତଥ୍ୟ ଠାରୁ ଭିନ୍ନ ରହୁଛି ।
ଜିଲ୍ଲା ପ୍ରଶାସନ ତରଫରୁ ବୁଧବାର କରୋନା ସ୍ଥିତି ନେଇ ଟୁଇଟ୍ କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୬ ହଜାର ୮୮୫ ଜଣ କରୋନାରେ ଆକ୍ରାନ୍ତ ହେଲେଣି । କିନ୍ତୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗର ୱେବସାଇଟରେ ରହିଛି ଭିନ୍ନ ତଥ୍ୟ । ଏହି ୱେବସାଇଟରେ ଦର୍ଶାଯାଇଛି ଯେ, ଅନୁଗୁଳ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୪ହଜାର ୨୫୦ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅର୍ଥାତ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ତଥ୍ୟ ମଧ୍ୟରେ ୨ ହଜାର ୬୩୫ ଫରକ ରହିଛି । ଏଣୁ କିଏ ସତ କହୁଛି, କିଏ ମିଛ କହୁଛି, ତାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଉଛି । ଖାଲି ଏତିକି ନୁହଁ, ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି ଯେ, ବୁଧବାର ସୁଦ୍ଧା ୧୯ ହଜାର ୬୮୪ଜଣ ସୁସ୍ଥ ହେଲେଣି । କିନ୍ତୁ ରାଜ୍ୟ ସରକାର ସୂଚନା ଦେଇଛନ୍ତି ଯେ, ୧୯ହଜାର ୩୩୦ଜଣ ସୁସ୍ଥ ହୋଇଛନ୍ତି । ଫରକ ରହୁଛି । ତେବେ ଆକ୍ରାନ୍ତ ସୂଚନା ଯଦି ୨ହଜାରରୁ ଅଧିକ ଫରକ ରହୁଛି ତେବେ ଆକ୍ରାନ୍ତ ସୁସ୍ଥ ତଥ୍ୟରେ ଫରକ ଏତେ କମ କେମିତି ରହୁଛି । ସେହିଭଳି ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି ଯେ, ୬ ହଜାର ୨୮୨ଜଣଙ୍କ ଚିକିତ୍ସା ଚାଲିଛି । ହେଲେ ରାଜ୍ୟ ସରକାର କହୁଛନ୍ତି, ୪ ହଜାର ୮୫୬ଜଣଙ୍କ ଚିକିତ୍ସା ଚାଲିଛି । କିନ୍ତୁ ଉଭୟ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ତଥ୍ୟ ମଧ୍ୟରେ ମାତ୍ର ଗୋଟିଏ ସଂଖ୍ୟା ସମାନ ରହିଛି ଏବଂ ତାହା ହେଉଛି ମୃତ୍ୟୁ । ଉଭୟ କହୁଛନ୍ତି ଜିଲ୍ଲାରେ ୬୪ଜଣଙ୍କ ମୃତ୍ୟୁ ହୋଇଛି ।
What’s your Reaction?
+1
+1
+1
+1
+1
+1
+1