ଟିପିସିଓଡିଏଲ ଅଫିସ ସମ୍ମୁଖରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ବିକ୍ଷୋଭ

ଅନୁଗୁଳ – ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏଶନର(ଏଆଇଇସିଏ) ଆହାନ୍ଵ କ୍ରମେ ଦେଶବ୍ୟାପୀ ପ୍ରତିବାଦ ସପ୍ତାହ ଜାରି ରହିଛି । ଏହି ପରିପେକ୍ଷିରେ ପ୍ରିପେଡ ସ୍ମାର୍ଟ ମିଟର ଲଗାଇବା ବନ୍ଦ କରିବା, ଟାଇମ୍‌ ଅଫ୍‌ ଡେ ତାରିଫ ଲାଗୁ କରିବା ପ୍ରସ୍ତାବ ବାତିଲ କରିବା, ବିଦ୍ୟୁତ୍‌ ସଂଶୋଧନ ବିଲ-୨୦୨୨ ପ୍ରତ୍ୟାହାର କରିବା, ବିଦ୍ୟୁତ୍‌ ସେବାର ଘରୋଇକରଣ ବନ୍ଦ କରିବା ଦାବିରେ ଅନୁଗୁଳ ଜିଲ୍ଲା ଶାଖା ପକ୍ଷରୁ ଟିପିସିଓଡିଏଲ ଅନୁଗୁଳ ଡିଭିଜନ ଅଫିସ ସମ୍ମୁଖରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଉପଭୋକ୍ତାମାନେ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଅନୁଗୁଳ ଡିଭିଜନ ଅଫିସ ସମ୍ମୁଖରେ ପହଞ୍ଚି ଥିଲେ । ସେଠାରେ ବିକ୍ଷୋଭ ସଭାରେ ବିଦ୍ୟୁତ୍‌ ଭଳି ଏକ ଅତ୍ୟାବଶ୍ୟକୀୟ ସେବାକୁ ବ୍ୟବସାୟରେ ପରିଣତ କରି ଘରୋଇ କମ୍ପାନୀଙ୍କ ଲାଭ ପାଇଁ କେନ୍ଦ୍ର ଓ ରାଜ୍ୟ ଭାଜପା ସରକାର ବିଭିନ୍ନ ନୀତି ଓ ପଦକ୍ଷେପ ଗ୍ରହଣ କରିଛନ୍ତି।

ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଶୋଷଣ କରିବା ପାଇଁ ରାଜ୍ୟରେ ଟାଟା ପାୱାରକୁ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ରାଜ୍ୟ ସରକାର ଦେଇଛନ୍ତି। ଏପରିକି ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗରେ କମ୍ପାନୀ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଘରେ ଜୋରଜବରଦସ୍ତ ପ୍ରିପେଡ ସ୍ମାର୍ଟ ମିଟର ବସାଉଛନ୍ତି । ପ୍ରିପେଡ ସ୍ମାର୍ଟ ମିଟର ଲଗାଇଲେ ମିଟର ଭଡା ଛାଡ କରିବା ଓ ବିଦ୍ୟୁତ୍‌ ଶୁଳ୍କରେ ରିହାତି ଦେବାକୁ ଓଇଆର୍‌ସି ଅଧ୍ୟକ୍ଷ ଯେଉଁ ଘୋଷଣା କରିଛନ୍ତି ତାହା ସର୍ବତ୍ର ପ୍ରିପେଡ ସ୍ମାର୍ଟ ମିଟର ଲଗାଇ ଆଗାମୀ ଦିନରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଶୋଷଣ କରିବା ଏକ ଚକ୍ରାନ୍ତ ବୋଲି ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏଶନ ଓଡ଼ିଶା ରାଜ୍ୟ ଆବାହକ ଜୟସେନ ମେହେର ପ୍ରକାଶ କରିଥିଲେ । ଉପଭୋକ୍ତାମାନେ ସଚେତନ ହୋଇ ପ୍ରିପେଡ ସ୍ମାର୍ଟ ମିଟର ଏବଂ ଟାଇମ ଅଫ ଡେ ତାରିଫକୁ ବିରୋଧ କରିବା ସହ ବିଦ୍ୟୁତ୍‌ ବଣ୍ଟନ ବ୍ୟବସ୍ଥାକୁ ସରକାରୀ ପରିଚାଳନା କରିବା ପାଇଁ ଆନ୍ଦୋଳନ କରିବାବୁ ସେ ଆହୱାନ ଦେଇଥିଲେ ।

ପ୍ରିପେଡ ସ୍ମାର୍ଟ ମିଟର ବସାଇବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବାତିଲ କରିବା, ବିଦ୍ୟୁତ୍‌ ସଂଶୋଧନ ବିଲ-୨୦୨୨ ପ୍ରତ୍ୟାହାର କରିବା, ଟାଇମ୍‌ ଅଫ ଡେ ତାରିଫ ଲାଗୁ କରି ଅଧିକ ବିଦ୍ୟୁତ ବ୍ୟବହୃତ ସମୟ (ପିକ୍‌ ଆୱାର) ପାଇଁ ୟୁନିଟ ପ୍ରତି ଅଧିକ ବିଦ୍ୟୁତ୍‌ ଶୁଳ୍କ ନିର୍ଦ୍ଧାରଣ ପ୍ରସ୍ତାବ ବାତିଲ କରିବା, ବିଦ୍ୟୁତ୍‌ ଶୁଳ୍କ ଆଦାୟ ନାଁରେ ଉପଭୋକ୍ତାଙ୍କ ଉପରେ ଜୁଲୁମ ବନ୍ଦ କରିବା, ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୩୦୦ୟୁନିଟ ଦେୟମୁକ୍ତ ବିଦ୍ୟୁତ୍‌ ଯୋଗାଇଦେବା, ଘନଘନ ବିଦ୍ୟୁତ୍‌ କାଟ, ଲୋ-ଭୋଲ୍ଟେଜ ସମସ୍ୟାର ସମାଧାନ କରିବା, ଟ୍ରାନ୍ସଫରମର୍‌ ଅଚଳ ହେଲେ କିମ୍ବା ପୋଡିଗଲେ ୨୪ଘଣ୍ଟା ମଧ୍ୟରେ ନୂତନ ଟ୍ରାନ୍ସଫରମର୍‌ ସ୍ଥାପନ କରି ବଦ୍ୟୁତ୍‌ ଯୋଗାଣ ସ୍ବାଭାବିକ କରିବା, ବିଦ୍ୟୁତ୍‌ ସେବାର ଘରୋଇକରଣ ବନ୍ଦ କରିବା ଆଦି ଦାବି ସମ୍ବଳିତ ଏକ ଦାବିପତ୍ର ଓଡିଶାର ଶକ୍ତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟିପିସିଓଡିଏଲ ଅନୁଗୁଳ ଡିଭିଜନର ମ୍ୟାନେଜରଙ୍କୁ ପ୍ରତିନିଧି ମଣ୍ଡଳୀ ପ୍ରଦାନ କରିଥିଲେ । ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ବଳରାମ ନାୟକ, ନବକିଶୋର ପ୍ରଧାନ, ଜେନାମଣି ରାଉତ, ସଞ୍ଜୟ ସାହୁ, ସୁବାସ ଦେହୁରୀ, ମାନସ ପାଳ, ପ୍ରତିମା ବେହେରା, ରଣଜିତ ପ୍ରଧାନ, ସତ୍ୟରଞ୍ଜନ ସାହୁ, ପ୍ରଗତି ନାୟକ, ସୁବାସ ପ୍ରଧାନ, ପରମାନନ୍ଦ ସାହୁ, ନିରଞ୍ଜନ ନାୟକ, ବ୍ରଜବନ୍ଧୁ ସାହୁ, ନାରାୟଣ ନାୟକ, ବିଷ୍ଣୁ ସାହୁଙ୍କ ସମେତ ବହୁ ଉପଭୋକ୍ତା ଅଂଶଗ୍ରହଣ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *