ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବନଖଣ୍ଡ ଅନ୍ତର୍ଗତ ଜୋକପାଣି ଗ୍ରାମ ଜଙ୍ଗଲ ନିକଟରେ ଥିବା ଧାନ ଜମିରୁ ଏକ ଦାନ୍ତ ହାତୀର ମୃତ ଦେହ ଉଦ୍ଧାର ହୋଇଛି । ହାତୀ ଟି ଗତ ୩/୪ ଦିନ ହେବ ଏକ ୩୦ ଟିକିଆ ହାତୀ ପଲ ସହ ଏହି ଅଞ୍ଚଳରେ ବୁଲାବୁଲି କରୁଥିବା ଗ୍ରାମବାସୀ କହିଥିବାବେଳେ ଗତ ଦୁଇ ଦିନ ହେବ ଏହି ହାତୀଟି ନିଜ ଦଳରୁ ଅଲଗା ହୋଇ ଯାଇଥିଲା । ତେବେ ଶନିବାର ହାତୀଟିର ମୃତଦେହ ଏକ ଜମିରୁ ଠାବ କରାଯାଇଛି । ଭୋରରୁ କିଛି ଗ୍ରାମବାସୀ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀଟିର ମୃତଦେହ ପଡିଥିବାର ଦେଖିଥିଲେ ଏବଂ ବନବିଭାଗ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଦେବଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀଣୀ କ୍ଷମା ଷଡଙ୍ଗୀ, ପାଲଲହଡା ବନାଞ୍ଚଳ ଅଧିକାରୀ ଦୁର୍ଯ୍ୟୋଧନ ଜେରାଇ, ଆଞ୍ଚଳିକ ବନ ସଂରକ୍ଷକ ଅରୁଣ ମିଶ୍ର ପ୍ରମୂଖ ଘଟଣାସ୍ଥଳରେ ପହଞ୍ଚି ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଇ ଥିଲେ । ପ୍ରାରମ୍ଭିକ ତଦନ୍ତରୁ ହାତୀଟି କୌଣସି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟ ଜଣାପଡିବ ବୋଲି ବନ ଅଧିକାରୀ ମାନେ କହିଛନ୍ତି । ତେବେ ଏଠାରେ ସୂଚନା ଯୋଗ୍ୟ ଯେ ଗତ ଦେଢ଼ମାସ ମଧ୍ୟରେ ପାଲଲହଡା ଉପଖଣ୍ଡରେ ଦନ୍ତାହାତୀ ମୃତ୍ୟୁର ଏହା ଦ୍ୱିତୀୟ ଘଟଣା । ଗତ ମାସ ୧୧ ତାରିଖରେ ଖମାର ବନଖଣ୍ଡ ଅନ୍ତର୍ଗତ ପାଉଁସିଆ ଜଙ୍ଗଲରୁ ଶିକାରୀ ମାନଙ୍କ ଦ୍ୱାରା ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀ ର ମୃତ୍ୟ ହୋଇଥିଲା ।
What’s your Reaction?
+1
+1
1
+1
+1
+1
+1
+1
2