ଭଲ ଖବର ଅବସର ପରେ ଶିକ୍ଷକଙ୍କୁ ନିଆରା ବିଦାୟୀ ସମ୍ବର୍ଦ୍ଧନା Angul OnlineOctober 3, 2022October 3, 2022 ଅନୁଗୁଳ – ବାଜା ବାଜୁଛି , ପଟୁଆର ଚାଲିଛି । ଶୋଭାଯାତ୍ରା ବେଳେ ଖୋଲା ଜିପରେ ବୁଲୁଛନ୍ତି । ବେଳେ ବେଳେ ଲୋକେ କାନ୍ଧରେ ଉଠାଇ ନେଉଛନ୍ତି । କିଏ ଆସି ମୁଣ୍ଡିଆ ବି ମାରୁଛନ୍ତି । ହେଲେ ଏ ବ୍ୟକ୍ତି ଜଣଙ୍କ କୌଣସି ରାଜନେତା ନୁହନ୍ତି । ନା କୌଣସି ସିନେ ତାରକା । ଏ ହେଉଛନ୍ତି ଜଣେ ଶିକ୍ଷକ । ଆଉ ତାଙ୍କ ଶିକ୍ଷକତା ଜୀବନର ଶେଷ ଦିନରେ କେବଳ ଯେ ଗାଁ ନୁହେଁ ପୁରା ପଞ୍ଚାୟତ ତାଙ୍କୁ ସମ୍ବର୍ଦ୍ଧିତ କରିଛି । ଆଉ ବାଜା ବାଣ ରୋଷଣୀରେ ପୁରା ପଞ୍ଚାୟତ ପରିଭ୍ରମଣ କରାଇବା ପରେ ଉପହାର ଦେଇ ବିଦାୟ ଦେଇଛନ୍ତି ଛାତ୍ରଛାତ୍ରୀ ଓ ସାଧାରଣ ଲୋକ । ଆଉ ଏଭଳି ଏକ ନିଆରା ସମ୍ବର୍ଦ୍ଧନା ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଳକ ସାନକେରଜାଙ୍ଗ ପଞ୍ଚାୟତରେ ଦେଖିବାକୁ ମିଳିଛି । ଏହି ସାନକେରଜାଙ୍ଗ ଗାଁରେ ରହିଛି ମଲ୍ଲିକେଶ୍ଵର ହାଇସ୍କୁଲ । ୧୯୯୪ ମସିହାରେ ସ୍ଥାପିତ ହୋଇଥିଲା ଏହି ସ୍କୁଲ । ସେତେବେଳେ ପଞ୍ଚାୟତବାସୀଙ୍କ ଉଦ୍ୟମରେ ନିର୍ମାଣ ହୋଇଥିଲା । କୌଣସି ସରକାରୀ ଅନୁଦାନ ନଥିଲା । ଏଭଳି ଏକ ସମୟରେ ୧୯୯୫ ମସିହାରେ ସୁଦୂର ନିଶ୍ଚିନ୍ତକୋଇଲି ବାଳଦା ଗାଁରୁ ଏଠାକୁ ଆସିଥିଲେ କ୍ଷୀରୋଦ କୁମାର ଦଳାଇ । ଏଠାକାର ଲୋକଙ୍କ ଆଗ୍ରହ ଓ ପିଲାଙ୍କର ପାଠପଢ଼ା ପ୍ରତି ଥିବା ଇଛାଶକ୍ତି ଦେଖି ଆଉ ନିଜ ଘରକୁ ଫେରି ପାରି ନଥିଲେ । ବର୍ଷ ବର୍ଷ ଧରି ଏଠାରେ ରହି ପିଲାଙ୍କୁ ପାଠପଢ଼ାଇ ଥିଲେ । ଛୁଟି ଦିନରେ ମଧ୍ୟ ସେ ଘରକୁ ଯାଉ ନଥିଲେ । ତାଙ୍କ ଶିକ୍ଷାଦାନରେ ବହୁ ମେଧାବୀ ଛାତ୍ରଛାତ୍ରୀ ବାହାରି ଆଜି ବଡ଼ ବଡ଼ ଚାକିରୀ କରୁଛନ୍ତି । ମାତ୍ର କିଛି ବର୍ଷ ହେଲା ସ୍କୁଲକୁ ସରକାରୀ ଅନୁଦାନ ମିଳିଛି । ଦାର୍ଘ ୨୭ ବର୍ଷ ଏହି ସ୍କୁଲରେ ଶିକ୍ଷାଦାନ କରିବା ପରେ ସେପ୍ଟେମ୍ବର ୩୦ରେ ଅବସର ନେଇଥିଲେ । ତାଙ୍କ ଅବସର ବେଳେ ପୁରା ସାନକେରାଜଙ୍ଗ ପଞ୍ଚାୟତ ଲୋକଙ୍କ ଆରେ ଲୁହ ଆସି ଯାଇଥିଲା । ହଜାର ହଜାର ପୁରାତନ ଛାତ୍ରଛାତ୍ରୀ , ବର୍ତ୍ତମାନର ଛାତ୍ରଛାତ୍ରୀ ଅଭିଭାବକ ଏବଂ ଜନସାଧାରଣ ତାଙ୍କୁ ବିଦାୟ ଦେଇଥିଲେ । ବାଜା ବଜାଇ , ବାଣ ଫୁଟାଇ ବିରାଟ ପଟୁଆର କରାଯାଇଥିଲା । ପଞ୍ଚାୟତର ପ୍ରତିଟି ଗାଁରେ ଶୋଭାଯାତ୍ରା ହୋଇଥିଲା । ଶେଷରେ ସ୍କୁଲ ପରିସରରେ ଶିକ୍ଷକଙ୍କୁ ଜଣଙ୍କ ପରେ ଜଣେ ଉପହାର ଦେଇଥିଲେ । ଏହି କାର୍ଯ୍ୟକ୍ରମ ଦେଖିଲେ ଲାଗୁଥିଲା ଯେମିତି କୌଣସି ସ୍ଥାନିୟ ଯାତ୍ରାର ମାହୋଲ ଚାଲିଛି । ଏମିତି ଆଡ଼ମ୍ବର ଓ ନିଆରା ସମ୍ବର୍ଦ୍ଧନା ସତରେ ବିରଳ । Advertisement
ଖଣି ଅଞ୍ଚଳରୁ ଦାରୁ ଚିହ୍ନଟ ହୋଇ ଗଲା ସୁନ୍ଦରକଲି ତାଳଚେର – ମା ହିଙ୍ଗୁଳାଙ୍କ ସ୍ୱପ୍ନାଦେଶ ପରେ ଶ୍ରୀ ଜଗନ୍ନାଥଙ୍କର ବିଗ୍ରହ ପାଇଁ ତାଳଚେର ହେଁସମୁଳ ଗ୍ରାମଠାରେ ଦାରୁ ଚିହ୍ନଟ ହେବା ପରେ ଆଜି ଦାରୁ ସଂଗ୍ରହ…
ପେନସିଲ ମୁନରେ ଜଗନ୍ନାଥ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ବାଲୁକା ଚିତ୍ର ଶିଳ୍ପୀ ବାହୁଡା ଯାତ୍ରା ଅବସରରେ ପେନସିଲ ମୁନରେ ଜଗନ୍ନାଥଙ୍କ ଆକୃତି ତିଆରି କରି ସମସ୍ତଙ୍କ ମନ…
ହେଲିକପ୍ଟର ପାଇଲଟିଙ୍ଗ ଓ ଅଲରାଉଣ୍ଡ ପ୍ରଦର୍ଶନରେ ସତିଶରାଜଙ୍କ ଶ୍ରେଷ୍ଠତ୍ଵ ଅନୁଗୁଳ – ଅନୁଗୁଳ ହେମସୁରପଡା ନିବାସୀ ମତାମୟୀ ପ୍ରଧାନ ଓ ଚିତ୍ତ ରଞ୍ଜନ ପ୍ରଧାନଙ୍କ ସତୀଶରାଜ୍ ପ୍ରଧାନ ଜିଲ୍ଲା ତଥା ରାଜ୍ୟ ପାଇଁ ଏକ ଗୌରବ ଆଣିଛନ୍ତି…