ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ମରାତିରା ନିକଟରୁ ଏକ ଲୁହା ଛଡ ବୋଝେଇ ଟ୍ରକରୁ ଛଡ ଚୋରୀ ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଗୋଟିଏ ଟ୍ରକ , ଗୋଟିଏ ପିକଅପ ଭ୍ୟାନ ଓ ଲୁହା ଛଡ ଜବତ କରିଛି । ସୂଚନା ଅନୁସାରେ ଜାତୀୟ ରାଜପଥ ୫୫ ର ମରାତିରା ଠାରେ ଥିବା ଏକ ଢାବା ନିକଟରୁ ଟ୍ରକରୁ ଲୁହା ଛଡ ଚୋରୀ ହେଉଥିବା ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଜରପଡା ପୁଲିସ ସଦଳବଲେ ଚଢାଉ କରିଥିଲା । ଚଢାଉ ବେଳେ ସେଠାରେ ଓଡ଼ି୦୫ ଏଏସ ୫୨୮୯ ରେଜିଷ୍ଟ୍ରେଶନ ଥିବା ଏକ ଟ୍ରକରୁ ୩ ରୁ ୪ ଜଣ ବ୍ୟକ୍ତି ଲୁହାଛଡ ନେଇ ଏକ ପିକଅପ ଭ୍ୟାନରେ ଲୋଡ କରୁଥିବା ପୁଲିସ ଦେଖିବାକୁ ପାଇଥିଲା । ତୁରନ୍ତ ପୁଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା କରିବା ବେଳେ ଦୁଇଜଣ ପିକଅପ ଭ୍ୟାନ ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ ସେଠାରେ ଥିବା ଲୁହା ଛଡ ବୋଝେଇ ଟ୍ରକକୁ ଧରିବା ସହ ଦୁଇଜଣଙ୍କୁ ଧରିବାରେ ସଫଳ ହୋଇଥିଲା । ଏହା ସହ ଫେରାର ହେଇଯାଉଥିବା ପିକଅପ ଭ୍ୟାନକୁ ପୁଲିସ ଗୋଡାଇ ଧରିବାକୁ ଚେଷ୍ଟା କରିଥିଲା । ଏବଂ ବନ୍ତଳା ପୁଲିସ ସହାୟତାରେ ଧୂକୁଟା ବନଦୂର୍ଗା ମନ୍ଦିର ନିକଟରେ ତାକୁ ଧରିବାରେ ସଫଳ ମଧ୍ୟ ହୋଇଥିଲା । ତେବେ ସେମାନଙ୍କ ନିକଟରେ ଆବଶ୍ୟକୀୟ କାଗଜପତ୍ର ନଥିବାରୁ ସେମାନଙ୍କୁ ଆଣି ପଚରାଉଚୁରା କରିଥିଲା ପୁଲିସ । ପଚରାଉଚୁରା ବେଳେ ସେମାନେ ଟ୍ରକରୁ ୩.୫ କୁଇଣ୍ଟାଲର ୫ ଟି ବଣ୍ଡଲ ଲୁହାଛଡ ଚୋରୀ କରୁଥିବା ମାନି ଯାଇଥିଲେ । ପୁଲିସ ୩.୫ କୁଇଣ୍ଟାଲ ଛଡ ଜବତ କରିବା ସହ ଓଡ଼ି୦୫ଏଏକ୍ସ ୯୨୧୮ ରେଜିଷ୍ଟ୍ରେଶନ ଥିବା ପିକଅପ ଭ୍ୟାଙ୍କୁ ମଧ୍ୟ ଜବତ କରିଥିଲା । ତେବେ ଏହି ଘଟଣାରେ ଟ୍ରକର ଡ୍ରାଇଭର ଓ ଖଲାସିକୁ ପଚରାଉଚୁରା ବେଳେ ପୁଲିସ ପ୍ରକୃତ ଘଟଣା ଜାଣିବାକୁ ପାଇଥିଲା । ଏହି ଟ୍ରକର ଡ୍ରାଇଭର ଢେଙ୍କାନାଳ ଜିଲା ଇନ୍ଦିପୁର ଗାଁର କୁଞ୍ଜ ବିହାରୀ ବେହେରା ଓ ହେଲପର ଢେଙ୍କାନାଳ ଜିଲା ଗୋବିନ୍ଦପ୍ରସାଦ ଗାଁର କମଳକାନ୍ତ ଜେନା ମଧ୍ୟ ଏହି ଅପରାଧରେ ସମ୍ପୃକ୍ତ ଥିବା ଜାଣିବାକୁ ମିଳିଥିଲା । ଏକ ଘରୋଇ କମ୍ପାନୀରୁ ଲୁହା ଛଡ ନେଇ ଆସିଥିବା ଏହି ଟ୍ରକର ଡ୍ରାଇଭର ଓ ହେଲପର ପୂର୍ବରୁ ପିକଅପ ଭ୍ୟାନର ଡ୍ରାଇଭର ଢେଙ୍କାନାଳ ଜିଲା ଗଣ୍ଡାନାଳୀ ଗାଁର ଶଶିକାନ୍ତ ସାହୁ ଓ ଏହାର ହେଲପର ସେହି ଗଣ୍ଡାନାଳୀ ଗାଁର ରାଜେନ୍ଦ୍ର ସ୍ଵାଇଁ ସହ ମିଶି ଗାଡିରୁ ଲୁହା ଛଡ ନେଇ ଯିବା ପାଇଁ ଯୋଜନା କରିଥିଲେ । ଆଉ ଯୋଜନା ଅନୁସାରେ ଘରୋଇ କମ୍ପାନୀରୁ ଟ୍ରକ ବାହାରିବା ପରେ ଢାବା ନିକଟ ନିକାଞ୍ଚନ ଜାଗାରେ ଗାଡିକୁ ଛିଡା କରି ଲୁହା ଛଡ ଚୋରୀ କରୁଥିଲେ । ଜରପଡା ପୁଲିସ ଏହି ଘଟଣାରେ ଟ୍ରକର ଡ୍ରାଇଭର କୁଞ୍ଜ ବିହାରୀ ବେହେରା ଓ ହେଲପର ଗାଁର କମଳକାନ୍ତ ଜେନା , ପିକଅପ ଭ୍ୟାନର ଡ୍ରାଇଭର ଶଶିକାନ୍ତ ସାହୁ ଓ ହେଲପର ରାଜେନ୍ଦ୍ର ସ୍ଵାଇଁଙ୍କୁ ଗିରଫ କରିବା ସହ ଟ୍ରକ , ପିକଅପ ଭ୍ୟାନ ଓ ୩.୫ କୁଇଣ୍ଟାଲ ଛଡ ଜବତ କରିଛି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରା ଯାଇଛି ।
What’s your Reaction?
+1
+1
+1
+1
+1
1
+1
1
+1