ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ – ୨ ଗିରଫ

ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ – ୨ ଗିରଫ

ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଚାକିରି ଦେବାକୁ କହି ୪୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଜଣ ହେଲେ ଭୁବନେଶ୍ବରର ରାଫିଉଦିନ ଖାନ ଏବଂ ଅନୁଗୁଳ ମହୀଧରପୁରର ରାଜେଶ ନାୟକ ବୋଲି ଜଣା ପଡିଛି । ସୂଚନା ଅନୁସାରେ ବଅଁରପାଳ ଥାନା ଗୋତମରା ଗାଁର ନିରଞ୍ଜନ ବରାହ ନାମକ ଜଣେ ବ୍ୟକ୍ତି ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ , ଅନୁଗୁଳ ମହୀଧରପୁରର ରାଜେଶ ନାଏକଙ୍କ ମଧ୍ୟସ୍ତତାରେ ଭୁବନେଶ୍ବରର ରାଫିଉଦିନ ଖାନ ତାଙ୍କ ପୁଅ ବିଶ୍ଵଜିତ ବରାହଙ୍କ ସହ ୩ ଜଣଙ୍କୁ ରେଲୱେର ଗ୍ରୁପ ସି ଏବଂ ଗ୍ରୁପ ଡ଼ିରେ ଚାକିରି କରାଇ ଦେବାକୁ କହି ବିଭିନ୍ନ ସମୟରେ ଟଙ୍କା ନେଇଥିଲା । ଏପରିକି ସେ କଲିକତା ନେଇ ମେଡିକାଲ ଟେଷ୍ଟ କରାଇବା ସହ ଏକ ସ୍ଥାନରେ ସମସ୍ତଙ୍କୁ ତାଲିମ ମଧ୍ୟ ଦେବା ସହ  ଟ୍ରେନିଂ ଲେଟର ମଧ୍ୟ ଦେଇଥିଲା । ତାଲିମ ସାରିବା ପରେ ଜଏନିଙ୍ଗ ଲେଟର ପାଇଁ ଅଧିକ ଟଙ୍କା ମାଗିବାରୁ ରାଫିଉଦିନର ଆକାଉଣ୍ଟରେ ୪ ଲକ୍ଷ ୫୦ ହଜାର ଟଙ୍କା ଦିଆ ଯାଇଥିଲା । ଏହିଭଳି ଭାବରେ ରାଫିଉଦିନ ୧୫ ଜଣ ପିଲାଙ୍କ ଠାରୁ ବିଭିନ୍ନ ସମୟରେ ନା ନା ବାହାନା କରି ୪୩ ଲକ୍ଷ ଟଙ୍କା ନେଇଥିଲା । ହେଲେ ଏହା ପରେ କିଛିଦିନ ପରେ ବିଭିନ୍ନ ସ୍ଥାନରେ ଚାକିରି ହୋଇଯାଇଥିବା କହି ଧାନବାଦ , ଖଡଗପୁର ଏବଂ ବର୍ଦ୍ଧମାନ ପଠାଇଥିଲା । ଏପରିକି ସମସ୍ତଙ୍କୁ ନକଲି ଜଏନିଙ୍ଗ ଲେଟର , ମେଡିକାଲ ଟେଷ୍ଟ ପେପର , ଆଇ କାର୍ଡ ଆଦି ପଠାଇଥିଲା । କିନ୍ତୁ ଚାକିରି କରିବାକୁ ବିଭିନ୍ନ ସ୍ଥାନକୁ ଯାଇଥିବା ପିଲା ଚାକିରି ନ ପାଇ ଘରକୁ ଫେରି ଆସିଥିଲେ । ଆଉ ଠକ ହାବୁଡରେ ପଡିଥିବା ସନ୍ଦେହ କରି ଟଙ୍କା ଫେରସ୍ତ ମାଗିଥିଲେ । ହେଲେ ଟଙ୍କା ଫେରସ୍ତ ନକରି ରାଫିଉଦିନ ସେମାନଙ୍କୁ ଗାଳି କରିବା ସହ ଧମକ ଦେଇଥିଲା । ଏଥିପାଇଁ ନିରଞ୍ଜନ ବରାହ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବଅଁରପାଳ ପୁଲିସ ତଦନ୍ତ କରି ରାଫିଉଦିନ ଖାନ ଏବଂ ଅନୁଗୁଳ ରାଜେଶ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

What’s your Reaction?
+1
0
+1
0
+1
0
+1
0
+1
4
+1
0
+1
0

Leave a Reply