ପୂଜା ପୁର୍ବରୁ ପୁଲିସକୁ ବଡ ସଫଳତା – ଆଠ ଜଣିଆ ଲୁଟେରା ଗ୍ଯାଙ୍ଗ ଗିରଫ

ପୂଜା ପୁର୍ବରୁ ପୁଲିସକୁ ବଡ ସଫଳତା – ଆଠ ଜଣିଆ ଲୁଟେରା ଗ୍ଯାଙ୍ଗ ଗିରଫ

ଅନୁଗୁଳ –  (ଅନୁଗୁଳ ଅନଲାଇନ) – ୧୯/୦୯ – ପାର୍ବଣ ଋତୁ ପୂର୍ବରୁ ଅନୁଗୁଳ ପୁଲିସକୁ ବଡ ସଫଳତା ମିଳିଛି । ମାସେ ଭିତରେ ୧୦ ରୁ ଅଧିକ ଲୁଟ ଘଟଣାରେ ସଂପୃକ୍ତ ଥିବା ଆଉ ପୁଲିସର ନିଦ ହଜେଇ ଦେଇଥିବା ଏକ ଲୁଟେରା ଗ୍ୟାଙ୍ଗକୁ ଅନୁଗୁଳ ପୁଲିସ କାବୁ କରିବାରେ ସଫଳ ହୋଇଛି । ସୁଚନା ଅନୁସାରେ ଅଗଷ୍ଟ ମାସରୁ ବର୍ତ୍ତମାନ ଯାଏ ପ୍ରାୟ ୧୦ ଟି ସ୍ଥାନରୁ ମାରଣାସ୍ତ୍ର ଦେଖାଇ ଲୁଟ ଅଭିଯୋଗ ଆସିଥିଲା । ମୁଖ୍ୟତଃ ଫାଇନାନ୍ସ ସଂସ୍ଥାର ଟଙ୍କା ସଂଗ୍ରହ କରୁଥିବା କର୍ମଚାରୀ ମାନେ ଲୁଟେରାଙ୍କ ଟାର୍ଗେଟରେ ରହୁଥିଲେ । ଏହା ସହ ଜଣେ ଗ୍ରାହକ ସେବା କେନ୍ଦ୍ରର ମାଲିକ ଓ ଆଉ ଜଣେ ମେଡ଼ିସିନ ହୋଲସେଲର ଯିଏ କି ଟଙ୍କା ନେଇ ଘରକୁ ଫେରୁଥିଲେ , ଏ ସବୁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ କରି ନେଇଥିଲେ । ଲଗାତାର ଜିଲ୍ଲାରେ ଏଭଳି ଲୁଟ ଅଭିଯୋଗ ପୁଲିସର ଚିନ୍ତା ବଢ଼ାଇ ଦେଇଥିଲା । ଏଥିପାଇଁ ଦକ୍ଷ ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ କରା ଯାଇଥିଲା । ଯାହାର ନେତୃତ୍ୱ ହେଡ କ୍ୱାଟର ଡି ଏସ ପି ଅକ୍ଷୟ କୁମାର ପଣ୍ଡା ନେଇଥିବା ବେଳେ ଅନୁଗୁଳ ସଦର ଥାନା ଅଧିକାରୀ ଧିରେନ କୁମାର ବେହେରା , ବାଗଡିଆ ଥାନା ଭାରପ୍ରାପ୍ତ ଅଧିକାରୀ ବିପ୍ଳବ କୁମାର ସାହୁ , ଅନୁଗୁଳ ଟାଉନ ଥାନା ଅଧିକାରୀ ଧିରେଶ କୁମାର ଦାସ , ବନ୍ତଳା ଥାନା ଅଧିକାରୀ ସନ୍ତୋଷ କୁମାର ସେଠୀ , ବଅଁରପାଳ ଥାନା ଅଧିକାରୀଣୀ ନିରୁପମା ଜେନା , ଗୋପାଳପ୍ରସାଦ ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂଙ୍କ ସମେତ ଏସ ଆଇ ରାଜେଶ କୁମାର ଶତପଥି , ଏଏସଆଇ ଶେସଦେବ ସାମଲ , କନେଷ୍ଟବଳ ମହେଶନାୟକ , ସୁକେଶ ପ୍ରଧାନ , ଶାନ୍ତି ସ୍ୱରୁପ ସାହୁ ଆଦି ସାମିଲ ଥିଲେ । ଏଥି ଟିମ ତଦନ୍ତ କରି ପ୍ରଥମେ ଘୁଞ୍ଚାପାଳ ଗାଁର ରାହୁଲ ନାଏକକୁ ଧରି ପଚରାଉଚରା କରିଥିଲା । ସେ ସବୁକଥା ମାନିଯିବା ସହ ପୁଲିସ ତଦନ୍ତ ପରେ ମାମଲାରେ ସମ୍ପୃକ୍ତ ୮ ଜଣଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଅନୁଗୁଳ ଜିଲ୍ଲା ଅନୁଗୁଳ ଥାନା ଘୁଞ୍ଚାପାଳ ଗାଁର ରାହୁଲ ନାଏକ , ସମୟ ନାଏକ , ଛେଣ୍ଡିପଦା ଥାନା ଗୋଳାଗାଡ଼ିଆ ଗାଁର ସିପୁନ ନାଏକ , ଲିପୁନ ନାଏକ , ବନ୍ତଳା ଥାନା କାଲିପଡା ଗାଁର ତନ୍ମୟ ନାଏକ , ବରବେଣିଆ ଗାଁର ସିଧୁ ନାଏକ , ନିଶା ଥାନା ବଡ଼ମହିତଳା ଗାଁର ମଙ୍ଗୁଳୁ ନାଏକ ଓ ଅନୁଗୁଳ ସଦର ଥାନା ରାମବେରେଣି ଗାଁର ଆଦିତ୍ୟ ନାଏକ । ଏମାନଙ୍କ ନିକଟରୁ ୬ ଟି ମୋଟରସାଇକେଲ , ୪୩ ହଜାର ଟଙ୍କା , ମୋବାଇଲ , ଭୁଜାଲି , ଟାଙ୍ଗିଆ ଓ ଆଙ୍ଗୁଠିରେ ଲଗା ଯାଉଥିବା ପଞ୍ଚ ଭଳି ଅସ୍ତ୍ର ଜବତ କରାଯାଇଛି  । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଆଡିସନାଲ ଏସପି ସତ୍ଯଜିତ ମିଶ୍ର ସୁଚନା ଦେଇଛନ୍ତି ।

 

କେମିତି କରୁଥିଲେ ଲୁଟ୍ –

ଏହି ଲୁଟେରା ମାନେ ନିଜ ସଙ୍ଗସାଥୀଙ୍କ ଜରିଆରେ କେଉଁଦିନ , କେଉଁ ରାସ୍ତା ଦେଇ ଫାଇନାନ୍ସ କର୍ମଚାରୀ କିମ୍ବା ଅନ୍ୟ କୌଣସି ବ୍ଯବସାୟୀମାନେ ଟଙ୍କା ସଂଗ୍ରହ କରି ଫେରୁଛନ୍ତି ତାହାର ଖବର ରଖୁଥିଲେ । ଏଥିପାଇଁ ନିଜର ପ୍ଲାନ ତିଆରି କରି ପୁଲିସ ଯେଉଁ ଦିଗରୁ ଆସିବାର ଅଛି ସେହି ରାସ୍ତାରେ ଦୁଇଜଣ ପୁଲିସର ଗତିବିଧି ଉପରେ ନଜର ରଖୁଥିଲେ । ଅନ୍ୟମାନେ ଟଙ୍କା ନେଇ ଯାଉଥିବା ବ୍ୟକ୍ତିକୁ ପିଛା କରି ନିଛାଟିଆ ସ୍ଥାନରେ ନିଜ ମୋଟରସାଇକେଲକୁ ଟଙ୍କା ନେଇ ଫେରୁଥିବା ବ୍ୟକ୍ତିଙ୍କ ମୋଟରସାଇକେଲ ପାଖରେ ଲଗାଇ ପ୍ରଥମେ ଚାବି ଟାଣି ନେଉଥିଲେ । ଏହାପରେ ଅନ୍ୟଜଣେ ହାତରେ ଲଗାଇଥିବା ପଞ୍ଚ ଅସ୍ତ୍ରରେ ଆକ୍ରମଣ କରି ଦେଉଥିଲା । ବ୍ୟକ୍ତି ଜଣଙ୍କ କଷ୍ଟରେ ଚିତ୍କାର କରୁଥିବା ବେଳେ ଅନ୍ୟ ମାରଣାସ୍ତ୍ର ଦେଖାଇ ଟଙ୍କା ଓ ମୋବାଇଲ ଲୁଟି ନେଇ ଫେରାର ହୋଇ ଯାଉଥିଲେ । ତେବେ ଲୁଟେରାମାନେ ଛଡାଇ ନେଉଥିବା ମୋବାଇଲ କିମ୍ବା ଟାଵକୁ ଧରା ପଡିଯିବା ଭୟରେ ସାଙ୍ଗରେ ନ ନେଇ କିଛି ବାଟ ଗଲା ପରେ କାଦୁଅ କିମ୍ବା ପାଣିକୁ ଫୋପାଡ଼ି ଦେଉଥିଲେ । ଆଉ ପରବର୍ତ୍ତୀ ସମୟରେ ସୁରକ୍ଷିତ ସ୍ଥାନକୁ ଯାଇ ନିଜ ନିଜ ଭିତରେ ଟଙ୍କା ଭାଗ ବାଣ୍ଟି ନେଇଯାଉଥିଲେ । ତେବେ ଏହି ଘଟଣାରେ ଆହୁରି ଅନେକ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ରହିଛି । ସେମାନଙ୍କ ପରିଚୟ ଜଣା ପଡି ସାରିଛି ଆଉ ଖୁବ ଶୀଘ୍ର ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହା ଯାଇଛି । ପାର୍ବଣ ପୂର୍ବରୁ ଏଭଳି ଏକ ସଫଳତା ପୁଲିସକୁ ମିଳିବା ନିହାତି ପ୍ରଶଂସନୀୟ ।

What’s your Reaction?
+1
0
+1
0
+1
1
+1
0
+1
7
+1
0
+1
0

Leave a Reply