ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ସୂଚନା ଅନୁସାରେ , କଳମଛୁଇଁ ଗ୍ରାମର ଅଲେଖ ସେଠୀଙ୍କ ପୁଅ ସିପୁନ ସେଠୀଙ୍କ ବାଗଡ଼ିଆ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ୨୦୧୪ ମସିହାରୁ ପ୍ରେମ ସଂପର୍କ ରହିଥିଲା । ସିପୁନ ବିବାହ ଲୋଭ ଦେଖାଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ । ପରେ ଯୁବତୀ ଜଣକ ୪ ମାସର ଗର୍ଭବତୀ ହେବା ପରେ ସେ ବିବାହ କରିବାକୁ ସିପୁନଙ୍କୁ କହିଥିଲେ । କିନ୍ତୁ ସିପୁନ ବିବାହ କରିବାକୁ ରାଜି ହେଲେ ନାହିଁ । ସେ ବୁଝାସୁଝା କରି ଔଷଧ ଦେଇ ଯୁବତୀଙ୍କ ଗର୍ଭ ନଷ୍ଟ କରିଥିଲେ । ଏହାପରେ ଗତବର୍ଷ ଅନୁଗୁଳ କୋର୍ଟରେ ତାଙ୍କୁ ବିବାହ କରିଥିଲେ । ତାଙ୍କୁ ପାରମ୍ପରିକ ଭାବେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କୋର୍ଟ ବିବାହ କରିବାର ପ୍ରାୟ ୭ ମାସ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପାରମ୍ପରିକ ବିବାହର ନାଁ ଧରିଲେ ନାହିଁ । ଅନ୍ୟ ପକ୍ଷରେ ଯୁବତୀଙ୍କୁ ରାସ୍ତାରୁ ହଟାଇଦେବାକୁ ଯୋଜନା କରି ସେ ଥଣ୍ଡା ପାନୀୟରେ ବିଷ ମିଶାଇ ତାଙ୍କୁ ପିଇବାକୁ ଦେଇଥିଲେ । ଯୁବତୀ ଏହା ଜାଣିପାରି ପିଇ ନଥିଲେ । ଗୋପାଳପ୍ରସାଦ ଥାନାରେ ଯୁବତୀ ଜଣକ ଏହି ଅଭିଯୋଗ କରିଛନ୍ତି । ତେବେ ସିପୁନ ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିବାକୁ ଆୟୋଜନ କରୁଥିବା ଶୁଣିବା ପରେ ଯୁବତୀ ଜଣଙ୍କ ତାଙ୍କ ଘର ଆଗରେ ଧାରଣା ଦେଇଥିଲେ । ସିପୁନଙ୍କ ବାପା ଯୁବତୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଦେଇ ମାଡ଼ ମାରିବାକୁ ଉଦ୍ୟମ କରିଥିଲେ । ହେଲେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କୁ ବୁଝାସୁଜା କରି ଥାନାକୁ ନେଇ ପଚରାଉଚରା କରିଥିଲା । ତେବେ ସେପଟରେ ଯୁବତୀ ଧାରଣା ଦେବା ପରେ ସିପୁନ ଫେରାର ହୋଇଯାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *