ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ହାତରେ ଆନ୍ତରାଜ୍ୟ ସୁନାଚେନ ଲୁଟେରା ଗ୍ୟାଙ୍ଗ । ଲୁଟେରା ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨୪ ଟି ସୁନାଚେନ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କା ହୋଇଥିବା ଜଣାପଡିଛି । ମହିଳାଙ୍କୁ ଟାର୍ଗେଟ କରି ବିଭିନ୍ନ ସ୍ଥାନରୁ ମହିଳାଙ୍କ ବେକରୁ ସୁନା ଚେନ ଛିଡାଇ ଚମ୍ପଟ ମାରୁଥିଲେ ଏହି ଗ୍ୟାଙ୍ଗ । ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଥିବା ଜଣାପଡିଛି ।
ସୂଚନା ଅନୁସାରେ ଗତ ୧୯ ତାରିଖ ଦିନ ତାଳଚେର ବାଘୁଆବୋଲ ଅଞ୍ଚଳରୁ ଜଣେ ମହିଳାଙ୍କ ବେକରୁ ସୁନାଚେନ ଛିଣ୍ଡାଇ ଦୁଇଜଣ ଚୋର ମୋଟରସାଇକେଲରେ ପଳାଇ ଯାଉଥିବାବେଳେ ଡେରା ଠାରେ ଚୋରି ହୋଇଥିବା ପରିବାରର ସଦସ୍ୟ ଚୋରକୁ କାବୁକରି ପୁଲିସ ଜିମା ଦେଇଥିଲେ । ପରେ ତାଳଚେର ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲୁଟେରା ଗ୍ୟାଙ୍ଗଙ୍କ ସମେତ ଏଥିରେ ସମ୍ପୃକ୍ତି ଥିବା ସୁନା ବ୍ୟବସାୟୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଲୁଟେରା ଦୁଇ ଜଣ ହେଲେ ଯାଜପୁର କଲଣ୍ଡା ଗାଁର ସୁବାଶ ସାହୁ ଓ ଢେଙ୍କାନାଳ ମକୁନ୍ଦପୁର ଗାଁର ଗିରିଜା ଶଙ୍କର ସ୍ଵାଇଁ । ଗିରଫ ଦୁଇ ସୁନା ବ୍ୟବସାୟୀ ହେଲେ କଟକ ସି ଡି ଏ ଅଞ୍ଚଳର ଜିତେନ୍ଦ୍ର ମହାରଣା ଓ ଶେଖବଜାରର ସୁରେଶ କୁମାର ଜେଠି ଏବଂ ଏମାନଙ୍କ ମଧ୍ୟରେ ଥିବା ଦୁଇ ମଧ୍ୟସ୍ଥି ହେଲେ ଢେଙ୍କାନାଳ ପିଙ୍ଗୁଆ ଗାଁର ପ୍ରତାପ ଚନ୍ଦ୍ର ପଣ୍ଡା , ଯାଜପୁର କାଠବନ୍ଧ ଅଞ୍ଚଳର ବଟକୃଷ୍ଣ ମହାରଣା ଓ ଯାଜପୁର ଜିଲ୍ଲା କଲଣ୍ଡାର ଗଙ୍ଗାଧର ସାହୁ । ଏମାନଙ୍କୁ ଆଜି ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କ ନାମରେ ୨୪ରୁ ଊର୍ଦ୍ଧ୍ଵ ମାମଲା ରହିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସ ପି ରାହୁଲ ଜୈନ ସୂଚନା ଦେଇଛନ୍ତି ।