ପାଲଲହଡ଼ା – ଅନଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ବରଡିହ ପଞ୍ଚାୟତର ଶିଲପଳା ଗାଁରେ ବିନା କାମରେ ଲକ୍ଷାଧିକ ଟଙ୍କା ହଡପ କରିବାକୁ ସରକାରି ବାବୁ ମାନେ ପଛ ଘୁଞ୍ଚା ଦେଉନାହାନ୍ତି । ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ବିଡିଓ ଘଟଣାର ତଦନ୍ତ କରି ସରକାରି କାର୍ଯ୍ୟରେ ଅବହେଳା ଓ ମିଥ୍ୟା ବିଲ ପ୍ରସ୍ତୁତ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ନିଖଣ୍ଡଙ୍କ ଠାରୁ ସମସ୍ତ ଦାୟିତ୍ଵ ଅପସାରଣ କରାଯାଇଥିଲା। ଗତ ମାସରେ ପାଲଲହଡ଼ା ଉପଖଣ୍ଡରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଶିଲପଳା ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଅଭିଯୋଗ କରିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ କମିଟି ଗଠନ କରାଯାଇ ତଦନ୍ତ ପାଇଁ ପଠାଯାଇଥିଲା । ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପଦ୍ମନାଭ ସାମନ୍ତରାୟଙ୍କ ନେତୃତ୍ଵରେ ସହକାରୀ ନିର୍ବାହୀ ଯନ୍ତ୍ରୀ ତେଜସ୍ବୀନୀ ଦଳେଇ ,ପାଲଲହଡ଼ା ବିଡିଓ ନିଶାନ ମିଶ୍ର ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ । ତଦନ୍ତ ବେଳେ ଗ୍ରାମବାସୀ ଉପସ୍ଥିତ ରହି ସମସ୍ତ ଘଟଣା ପ୍ରକାଶ କରିଥିବା ବେଳେ ତଦନ୍ତକାରୀ ଦଳ କୌଣସି କାମ ଦେଖିବାକୁ ପାଇ ନଥିଲେ । କେବଳ ତରବରିଆ ଭାବେ ଅଳ୍ପ ବାଲି ଓ ମେଟାଲ ପକାଇ କାମକୁ ରଫାଦଫା କରିବାର ମସୁଧା ହୋଇଥିବା ଦେଖି ଥିଲେ । ତଦନ୍ତକାରୀ ଅଧିକାରୀ ଖୁବଶୀଘ୍ର ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ଙ୍କୁ ସୂଚନା ଦେଇଥିଲେ ।
ଅନ୍ୟପକ୍ଷରେ ବିଜେଡି ମଙ୍ଗଳବାର ସମିତି କାର୍ଯ୍ୟାଳୟ ଘେରାଉ କରି ପ୍ରଶାସନ ପକ୍ଷରୁ ଦୋଷୀ ଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ କରି ଗଣ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଜିଲ୍ଲା ପ୍ରଶାସନ ତରବରିଆ ଭାବେ ମଙ୍ଗଳବାର ଚିଠି ସଂଖ୍ୟା 1260/8-4-25 ଅନୁସାରେ କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ନିଖଣ୍ଡଙ୍କୁ ଆଠମଲ୍ଲିକ ବ୍ଲକକୁ ବଦଳି କରିଥିବା ବେଳେ ଚିଠି ସଂଖ୍ୟା 1257/8-4-25 ରେ ପାଲଲହଡ଼ା ସହକାରୀ ଯନ୍ତ୍ରୀ ଅଞ୍ଜନ କୁମାର ରାଉତଙ୍କୁ ସମସ୍ତ ଦାୟିତ୍ଵରୁ ଅପସାରିତ କରି ପାଲଲହଡ଼ା ବ୍ଲକ କାର୍ଯ୍ୟାଳୟରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କନିଷ୍ଠ ଯନ୍ତ୍ରୀ ପ୍ରମୋଦ ସ୍ୱାଇଁ ଙ୍କୁ ପାଲଲହଡ଼ା ବ୍ଲକ ର ସହକାରୀ ଯନ୍ତ୍ରୀ ଭାବେ ଦାୟିତ୍ଵ ଦିଆଯାଇଛି ।