ନାବାଳକ ହତ୍ଯା ଘଟଣା – ମହିଳାଙ୍କ ସମେତ ୩ ପୁଅ ଗିରଫ

ନାବାଳକ ହତ୍ଯା ଘଟଣା – ମହିଳାଙ୍କ ସମେତ ୩ ପୁଅ ଗିରଫ

 

ଅନୁଗୋଳ – ଅନୁଗୋଳ ଜିଲ୍ଲା ସୁବର୍ଣ୍ଣପୁର ଗାଁର ନାବାଳକ ସଞ୍ଜିତ ବିଶ୍ବାଳକୁ ହତ୍ଯା ଅଭିଯୋଗରେ ଅନୁଗୋଳ ପୁଲିସ ଜଣେ ମହିଳାଙ୍କ ସମେତ ମୋଟ୍‌ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଆଠମଲ୍ଲିକ ବ୍ଲକ୍ କିଆକଟା ଥାନା ଟୁସର ଗାଁର ରୀତାଞ୍ଜଳି ବାଘ, ତାଙ୍କ ୩ ପୁଅ ସୌମ୍ୟ ରଞ୍ଜନ ବାଘ, ଦିବ୍ୟରଞ୍ଜନ ବାଘ ଓ ଜ୍ୟୋତିରଞ୍ଜନ ବାଘ ବୋଲି ଜଣା ପଡିଛି । ତେବେ ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ଏଭିଡ଼େନ୍ସ ମିଳିବା ପରେ ଏହା ସ୍ପଷ୍ଟ ହେବ । ଏ ସବୁ ମିଳିବା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ସଂଗ୍ରହ କରିବ ବୋଲି ଅନୁଗୋଳ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । ତେବେ ପାରିପାର୍ଶିକ ପ୍ରମାଣ ଓ ସାକ୍ଷୀଙ୍କ ବୟାନ ଆଧାରରେ ସେମାନଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ , ସଞ୍ଜିତ କିଛିଦିନ ହେଲା ଅସୁସ୍ଥ ଥିଲା । ଦେହ ସବୁବେଳେ ଖରାପ ହେଉଥିବାରୁ ସଞ୍ଜିତକୁ ତାଙ୍କ ମା’ ବାସନ୍ତୀ ବିଶ୍ବାଳ ଗତ ୨୨ ତାରିଖରେ ଟୁସର ଗାଁର ରୀତାଞ୍ଜଳି ବାଘଙ୍କ ପାଖକୁ ନେଇଥିଲେ । ରୀତାଞ୍ଜଳି ମଙ୍ଗଳା ଠାକୁରାଣୀଙ୍କୁ ପୂଜା କରୁଛନ୍ତି । ମା ମଙ୍ଗଳାଙ୍କ ପାଖରେ ଅଧିଆ ପଡ଼ିଲେ ଦେହ ସୁସ୍ଥ ହୋଇଯିବ ବୋଲି ସେ କହିଥିଲେ । ପରେ ମଙ୍ଗଳା କୋଠିରେ ସଞ୍ଜିତ ରାତିରେ ଅଧିଆ ପଡ଼ିଥିଲେ । ତାଙ୍କ ମା ଅନ୍ୟ ଏକ କୋଠରିରେ ଶୋଇଥିଲେ । ହେଲେ ସକାଳୁ ଉଠି ବାସନ୍ତୀ ଦେଖିବା ବେଳକୁ ତାଙ୍କ ପୁଅ କୋଠିରେ ନ ଥିଲେ । ଏଥିନେଇ ରୀତାଞ୍ଜଳିଙ୍କୁ ଜଣାଇବା ପରେ ଗାଁ ଠାକୁର ପୁଅକୁ ଲୁଚାଇ ରଖିଥିବା ସେ କହିଥିଲେ । ତେଣୁ ଗାଁକୁ ଯାଇ ପୂଜା କରିବାକୁ ପରାମର୍ଶ ଦେଇଥିଲେ । ଏପଟେ ଗାଁରେ ପୂଜା କରିବା ସହ ବିଭିନ୍ନ ସ୍ଥାନରେ ପୁଅକୁ ଖୋଜାଖୋଜି କରିଥିଲେ । ଏହାସତ୍ତ୍ବେ ସଞ୍ଜିତ ନ ମିଳିବାରୁ ମା ବାସନ୍ତୀ କିଆକଟା ଥାନାରେ ପୁଅ ନିଖୋଜ ନେଇ ଗତ ୨୪ ତାରିଖରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ତାଙ୍କୁ ଉଦ୍ଧାର କରିବା ନେଇ ବିଶେଷ ଆଗ୍ରହ ପ୍ରକାଶ କରି ନଥିଲା । ପରେ ଏଥିନେଇ ଅନୁଗୁଳ ଏସପିଙ୍କ ପାଖରେ ମଧ୍ୟ ଫେରାଦ୍ ହୋଇଥିଲେ । ଥାନାରେ ଏତଲା ଦେବାର ୫ ଦିନ ପରେ ମଧ୍ୟ ପୁଲିସ ନିଖୋଜ ନାବାଳକର ସନ୍ଧାନ ପାଇ ନଥିଲା ବେଳେ ଶୁକ୍ରବାର ଜଙ୍ଗଲରୁ ତାଙ୍କ ଖଣ୍ଡିତ ମୃତଦେହ ଉଦ୍ଧାର ହେବା ପରେ ଏହାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି । ତାଙ୍କୁ ବଳି ଦିଆଯାଇଥିବା ସନ୍ଦେହ କରିଛନ୍ତି । ଗୁପ୍ତଧନ ପାଇବା ଲୋଭରେ ଠାକୁରାଣୀଙ୍କ ପୂଜା କରୁଥିବା ରୀତାଞ୍ଜଳି ଏଭଳି କାଣ୍ଡ ଭିଆଇଥିବା ଲୋକମାନେ ଅଭିଯୋଗ କରି ରାସ୍ତାରୋକ କରିଥିଲେ । ଏହାକୁ ନେଇ ଟୁସର, କିଆକଟା ଓ ବାସୁଦେବପୁର ପଞ୍ଚାୟତର ହଜାର ହଜାର ଲୋକ ଏକାଠି ହୋଇ ବାରେଣି ଛକରେ ରାସ୍ତା ଅବରୋଧ କରିଥିଲେ । ସେହିପରି ଏକ ପୁଲିସ ଭ୍ୟାନକୁ ଉତ୍ତ୍ୟକ୍ତ ଲୋକ ଜାଳି ଦେଇଥିଲେ । ପରେ ଲୋକଙ୍କୁ ବୁଝାସୁଝା କରିବା ସହ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିବା ସହ SCB ରେ ଶବ ବ୍ୟବଚ୍ଛେଦ କରାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁ କିଭଳି ହେଲା ତାହା ସ୍ପଷ୍ଟ ହେବ ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply