ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକାଣ୍ଡ ଘଟଣାର ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକାଣ୍ଡ ଘଟଣାର ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ଅନୁଗୁଳ – ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବାର ଦୀର୍ଘ ୧୬ ବର୍ଷ ପାରେ ନ୍ୟାୟାଳୟ ପକ୍ଷରୁ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଅନୁଗୁଳ ଥାନା ଶାକସିଂହା ଗ୍ରାମରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ଅତି ବିଭତ୍ସ ଭାବେ ହତ୍ୟା ମାମଲାରେ , ବୁଧବାର ଜିଲ୍ଲା ଓ ବୌରାଜଜ୍ ପ୍ରଣବ କୁମାର ପାତ୍ର ମାମଲାର ଶୁଣାଣି କରି ଅଭିଯୁକ୍ତ ଶାକସିଂହା ଗ୍ରାମର ୩୨ ବର୍ଷୀୟ ଅଭିଯୁକ୍ତ ଶିବ ନାଏକକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ଏହା ସହିତ ୨୦ ହଜାର କରିମାନା ଓ ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଜଣା ପଡିଛି । ତେବେ ଏହି ହତ୍ୟାକାଣ୍ଡରେ ଶିବକୁ ମିଶାଇ ୨ ଜଣ ଅଭିଯୁକ୍ତ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଶିବର ଭାଇ ଶଙ୍କର ନାଏକ ୧୩ ବର୍ଷ ତଳୁ ଦୋଷୀ ସାବ୍ୟସ୍ତ ହୋଇ ସଜ୍ଜା କାଟୁଛି । ମାମଲାର ଶୁଣାଣି ସମୟରେ ଶିବ ଜାମିନ୍‌ରେ ଯାଇ ଦୁଇ ଥର ଫେରାର ହୋଇଯାଇଥିଲା । ଫଳରେ ମାମଲାର ଶୁଣାଣିରେ ବିଳମ୍ବ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ , ୨୦୦୭ ମସିହା ସେପ୍ଟେମ୍ବର ୧୧ ତାରିଖ ଦିନ ଶାକସିଂହା ଗ୍ରାମର ନେଙ୍କୁରୀ ବେହେରାଙ୍କୁ ହତ୍ୟାକାରୀ ଦୁଇ ଭାଇ ଶିବ ଓ ଶଙ୍କର ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଘଟଣା ଘଟିବାର ଦୁଇ ଦିନ ପୂର୍ବରୁ ଗ୍ରାମର ଝିଅମାନେ ଡେଙ୍ଗୁରୀଙ୍କ ଘର ସାମ୍ନାରେ ଖୁଦୁରୁକୁଣୀ ଓଷା କରୁଥିଲେ । ଏହି ସମୟରେ ନିଶାରେ ଚୁର୍ ଥିବା ଶଙ୍କର ସେଠାରେ ପହଞ୍ଚି ଝିଅମାନଙ୍କୁ ଗାଳିଗୁଲଜ କରିଥିଲା । ନେଙ୍କୁରୀ ଏଥିରେ ହସ୍ତକ୍ଷେପ କରିଥିଲେ । ଶଙ୍କରକୁ ହାତ ଧରି ସେଠାରୁ ବାହାର କରି ଦେଇଥିଲେ । ଦୁଇଦିନ ପରେ ଅର୍ଥାତ ଘଟଣା ଘଟିବା ଦିନ ସନ୍ଧ୍ୟାରେ ଏହି ଘଟଣାକୁ ନେଇ ନେଙ୍କୁରୀଙ୍କ ସହିତ ଶିବ ଓ ଶଙ୍କରଙ୍କ ଝଗଡ଼ା ହୋଇଥିଲା । ଏଥିରେ ରାଗି ଯାଇ ଦୁଇ ଭାଇ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ମାଛ ବେପାର କରି ଫେରିଥିବା ନେଙ୍କୁରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଖବର ପାଇ ନେଙ୍କୁରୀଙ୍କ ପତ୍ନୀ ଚାରୁ ବେହେରା ଘଟଣା ସ୍ଥଳରେ ପହଞ୍ଚି , ଗାଁର ପେଣ୍ଡାଲ୍ ଠାରେ ରକ୍ତ ଜୁଡୁବୁଡୁ ସ୍ବାମୀଙ୍କ ମୃତଦେହ ଦେଖିଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ୨୯୩/୦୭ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରି ଅଭିଯୁକ୍ତ ୨ ଭାଇକୁ ଗିରଫ କରି କୋର୍ଟଟାଲାଣ କରିଥିଲା । ଜିଲ୍ଲା ଓ ଦୌରାଜଜ୍‌ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା । ୨୦୧୦ ମସିହା ସେପ୍ଟେମ୍ବର ୨୫ ତାରିଖରେ ମୁଖ୍ୟ ଅଭିଯୁକ୍ତ ଶଙ୍କରଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା । ତେବେ ଏହି ଶୁଣାଣିର ମାସକ ପୂର୍ବରୁ ଶିବ ଜାମିନରେ ଯାଇ ଫେରାର ହୋଇଯାଇଥିଲା । ପୁଲିସ୍‌ ତାଙ୍କୁ ୨୦୧୭ ଅକ୍ଟୋବର ୨୫ ତାରିଖରେ ପୁନର୍ବାର ଗିରଫ କରିଥିଲା । ୨୦୧୮ ମସିହା ମାର୍ଚ୍ଚ ୨୧ ରେ ଶିବ ପୁନର୍ବାର ହାଇକୋର୍ଟରୁ ଜାମିନ ପାଇ ଆଉ ଥରେ ଫେରାର୍ ହୋଇଯାଇଥିଲା । ପୁଲିସ ତାକୁ ଗତବର୍ଷ ଅକ୍ଟୋବର ୨୧ ତାରିଖରେ ଗିରଫ କରି କୋର୍ଟଚାଲାଣ କରିଥିଲା । ମୋଟ୍ ୧୧ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜିଲ୍ଲା ଓ ଦୌରାଜଜ୍ ପ୍ରଣବ କୁମାର ପାତ୍ର ଅଭିଯୁକ୍ତ ଶିବକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଦାସ ଓ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ପ୍ରଦୀପ କୁମାର ଭୂତିଆ ମାମଲାର ପରିଚାଳନା କରିଥିଲେ ।

 

What’s your Reaction?
+1
1
+1
0
+1
0
+1
0
+1
0
+1
0
+1
0

Leave a Reply