ଜିଲ୍ଲାରେ ବଢୁଛି ଲୁଟପାଟ୍ – ପୁଲିସ ପାଇଁ କଡା ଚ୍ୟାଲେଞ୍ଜ

ଜିଲ୍ଲାରେ ବଢୁଛି ଲୁଟପାଟ୍ – ପୁଲିସ ପାଇଁ କଡା ଚ୍ୟାଲେଞ୍ଜ

ଅନୁଗୁଳ – (ଅନୁଗୁଳ ଅନଲାଇନ) – ୧୮/୦୯ – ଅନୁଗୁଳ ଜିଲ୍ଲା ଏବେ ଏକ ପ୍ରକାର ଅସୁରକ୍ଷିତ ହୋଇ ପଡ଼ିଛି । ପୁଲିସ୍‌ ନିଷ୍କ୍ରିୟତା ଯୋଗୁଁ ଜିଲ୍ଲାରେ ଲୁଟେରା ମାନେ ବେଶ ଫାଇଦା ଉଠାଇ ଚାଲିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଧୁକ ଓ ଭୁଜାଲି ଭଳି ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତ ମାନେ ଲୁଟ୍‌ପାଟ୍‌ କରୁଛନ୍ତି । ଯାହା ଫଳରେ ସାଧାରଣ ଲୋକ ଆଉ ସୁରକ୍ଷିତ ମନେ କରୁନାହାନ୍ତି । ଲୁଟେରାମାନେ ବିଶେଷକରି ଫାଇନାନ୍‌ସ କର୍ମଚାରୀ , ବ୍ଯାଙ୍କରୁ ଟଙ୍କା ଉଠାଇ ନେଉଥିବା ବ୍ଯକ୍ତି କିମ୍ବା ଟଙ୍କା ସଂଗ୍ରହ କରୁଥିବା କର୍ମଚାରୀଙ୍କୁ ଟାର୍ଗେଟ୍‌ କରୁଛନ୍ତି । ଯାହାକି ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଗତ କିଛି ଦିନ ତଳେ ଗୋଟିଏ ଦିନରେ ବନ୍ତଳା ଓ ବଅଁରପ‌ାଳରେ ଲୁଟ୍‌ପାଟ୍‌ ହୋଇଥିଲା । ବନ୍ତଳା ଥାନା ତଳଗଡ଼ ଗାଁ ନିକଟରେ ଜଣେ ଫାଇନାନ୍‌ସ କର୍ମଚାରୀଙ୍କୁ ଭୁଜାଲିରେ ହାଣି ଟଙ୍କା ବ୍ୟାଗ୍ ଓ ମୋବାଇଲ୍‌ ଫୋନ୍‌ ଲୁଟି ନେଇଥିଲେ । ଏକ ଫାଇନାନ୍ସ ସଂସ୍ଥାର କର୍ମଚାରୀ ଜଣଙ୍କ ବନ୍ତଳା ତଳଗଡ଼ ଓ ରଗୁଡ଼ିଆପଡ଼ା ଗାଁରୁ କମ୍ପାନିର ଟଙ୍କା ଆଦାୟ କରି ଫେରୁଥିଲାବେଳେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଭୁଜାଲିରେ ହାଣି ୭୬ ହଜାର ଟଙ୍କା ନେଇ ଫେରାର୍‌ ହୋଇଯାଇଥିଲେ । ସେହିପରି ତଳମୂଳ-ଫୁଲପଡ଼ା ରାସ୍ତାରେ ଜଣେ ମହିଳା ଫାଇନାନ୍‌ସ କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ୧ ଲକ୍ଷ ୧୩ ହଜାର ଟଙ୍କା ଦୁର୍ବୃତ୍ତ ମାନେ ଛଡ଼ାଇ ନେଇଥିଲେ । ମହିଳା ଜଣଙ୍କ ଫୁଲପଡ଼ା ପଞ୍ଚାୟତର ଗୁଡ଼ିଆମୁଣ୍ଡା, ଗିରିଧିବାସିଆ, ଖଇରନାଳୀ ଗାଁର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଠାରୁ ଋଣ ଟଙ୍କା ଆଦାୟକରି ସ୍କୁଟିରେ କଇଁଛବାହାଳ ଗାଁ ଦେଇ ତଳମୂଳ ଯିବା ସମୟରେ ଫୁଲପଡ଼ା ଶିବ ମନ୍ଦିର ନିକଟରେ ତାଙ୍କୁ ଲୁଟପାଟ୍‌ ହୋଇଥିଲା । ଏହା ପୂର୍ବରୁ ଅନୁଗୁଳ ସଦର ସହର ଉପକଣ୍ଠ ସାକସିଂହାରୁ ସମାନ ଧରଣର ଲୁଟ୍‌ପାଟ୍‌ ହୋଇଥିଲା । ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ମାରପିଟ୍‌ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ଗତ ସପ୍ତାହରେ କୋଶଳା ବଜାର ନିକଟରୁ ମଧ୍ୟ ଲୁଟ୍‌ର ଶିକାର ହୋଇଥିଲେ ଜଣେ ବ୍ୟବସାୟୀ । ଗ୍ରାହକ ସେବା କେନ୍ଦ୍ରର ମାଲିକ ବିଜୟ ସାହୁ ଦୋକାନ ବନ୍ଦ କରି ଘରକୁ ଜାଉଥିବା ବେଳେ ତାଙ୍କୁ ଆକ୍ରମଣ କରି ୨ ଲକ୍ଷ ୨୦ ହଜାର ଟଙ୍କା ଛଡାଇ ନେଇଥିଲେ । ସେହିଦିନ ବିଳମ୍ବିତ ରାତିରେ କୋଶଳା ସହିଦ ବାଙ୍କ ନିକଟ୍ରୁ ମଧ୍ଯ ସମାନ ଢଙ୍ଗରେ ଆଉ ଜଣେ ବ୍ଯକ୍ତିଙ୍କ ଠାରୁ ଲୁଟପାଟ ହୋଇଥିଲା । ତାର କିଛିଦିନ ପୁର୍ବରୁ ପାତ୍ରାପଡାର ମା ବାୟାଣୀଙ୍କ ପିଠ ନିକଟରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଓ ବାଗଡିଆ ଥାନା ନୁଆଁପଡା ନିକଟରୁ ଜଣେ ମେଡିସିନ ହୋଲସେଲରଙ୍କ ଠାରୁ ଦୁର୍ବୃତ୍ତ ଲୁଟ କରିଥିଲେ । ଏମିତି ମାସକ ଭିତରେ ୧୦ରୁ ଅଧିକ ଲୁଟ୍‌ପାଟ୍‌ ପୁଲିସର ମୁଣ୍ଡବ୍ୟଥା ବଢ଼ାଇ ଦେଇଛି । ଆଉ ଅଧିକାଂଶ ଲୁଟ୍‌ ସମାନ ଧରଣର । ଲୁ‌ଟେରାମାନେ ଫଲୋ କରି ନିଛାଟିଆ ଜାଗାରେ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ କରୁଛନ୍ତି । ତେଣୁ ଏହି ଲୁଟପାଟ୍‌ରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ କାମ କରୁଥିବା ପୁଲିସ ସନ୍ଦେହ କରିଛି । ‌‌ପୁଲିସକୁ ଦ୍ୱନ୍ଦରେ ପକାଇବା ପାଇଁ ଏମାନେ ବିଭିନ୍ନ ସମୟରେ ଅଲଗା ଅଲଗା ଅଞ୍ଚଳକୁ ଟାର୍ଗେଟ୍‌ କରୁଛନ୍ତି । ଫଳରେ ପୁଲିସ ସେମାନଙ୍କ ପାଖରେ ପହଞ୍ଚିବା ସହଜ ହେଉନି । ଏହାକୁ ଦେଖି ପୁଲିସ ଏମାନଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି । ବିଭିନ୍ନ ଥାନ‌ାର କିଛି ଅଧିକାରୀଙ୍କୁ ନେଇ ଏହି ଲୁଟେରାଙ୍କ ଗତିବିଧି ଉପରେ ନଜର ରଖିବାକୁ କୁହାଯାଇଛି । ତେବେ କେବଳ ଲୁଟ୍‌ପାଟ୍‌ ବଢ଼ିଛି, ତାହା ନୁହେଁ । ଏହା ଭିତରେ ଅନୁଗୁଳ ଜିଲ୍ଲାରେ ଚୋରି ହାର ମଧ୍ଯ ବଢ଼ି ଚାଲିଛି । ଜିଲ୍ଲାରେ ମୋଟରସାଇକେଲ ଚୋରି ନିତିଦିନିଆ ଘଟଣାରେ ପରିଣତ ହୋଇଥିଲାବେଳେ ବିଭିନ୍ନ ଅଞ୍ଚଳରେ ଘରୁ ଓ ଦୋକାନରୁ ଚୋରି ହେଉଛି । ଦୁଇ ସପ୍ତାହ ତଳେ ପାଳଲହଡ଼ା ଏନ୍‌ଏଚ୍‌ ବଙ୍ଗଳା ନିକଟରେ ଥିବା ଓମ୍‌ ଜୁଏଲାରି ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିଲା । ଦୋକାନ ପଛପାଖ କାନ୍ଥ ଭାଙ୍ଗି ଦୋକାନରେ ଥିବା ପ୍ରାୟ ୪ ‌କେଜି ରୁପା ଅଳଙ୍କାର ସମେତ ୧୨ ଗ୍ରାମ୍‌ର ସୁନା ଅଳଙ୍କାର ଚୋରି କରି ନେଇଥିଲେ ଦୁର୍ବୃତ୍ତ । ଏପଟେ ଅନୁଗୁଳର ଜଣେ ଦୋକାନୀ ପରିସ୍ରା କରିବାକୁ ଯିବା ସମୟରେ କ୍ୟାସ୍‌ କାଉଣ୍ଟର୍‌ରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଯାଇଥିଲା । ଏମିତି ଲୁଟ୍‌ ଓ ଚୋରି ପରେ ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ପୁଲିସର ଢିଲା ମନୋଭାବ ଓ ଦୁର୍ବଳ ପାଟ୍ରୋଲିଂ ପାଇଁ ଅପରାଧ ଉପରମୁହାଁ ହୋଇଥିବା ଅଭିଯୋଗ ହେଉଛି ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
1

Leave a Reply