ଠିକା କର୍ମଚାରୀଙ୍କ ଦରମା ଟଙ୍କାରେ ସୁଧ ବେପାର !!!!

ଠିକା କର୍ମଚାରୀଙ୍କ ଦରମା ଟଙ୍କାରେ ସୁଧ ବେପାର !!!!

ଅନୁଗୋଳ – ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖଟୁଛନ୍ତି ଆଉଟସୋରସିଂ କର୍ମଚାରୀ । ସକାଳରୁ ସଞ୍ଜ , ନିର୍ଘାତ ଖଟୁଛନ୍ତି । ଡ୍ୟୁଟିକୁ ଆସିବା ପରଠୁ ସାଧାରଣ ଲୋକ ଏବଂ ରୋଗୀଙ୍କ ସ୍ବାସ୍ଥ୍ୟସେବାରେ ଲାଗୁଛନ୍ତି । ମାତ୍ର ଦୁଃଖର ବିଷୟ , ମାସ ଶେଷଙ୍କୁ ଦରମା ଦେବା ବେଳକୁ ଠିକା ସଂସ୍ଥା କୁନ୍ଥୁକୁନ୍ଥୁ ହେଉଛି । ଗଲା ୩ ମାସ ହେଲା ଦରମା ମିଳିନଥିବା ଖବର ଗଣମାଧ୍ୟମରେ ପ୍ରକାଶ ପରେ ପ୍ରଥମେ ଗୋଟିଏ ମାସର ଦରମା ଆଉ କିଛି ଦିନ ପରେ ଆଉ ଗୋଟିଏ ମାସର ଦରମା ଦେଇ ବାକି ମାସର ବକେୟା ରଖିଛନ୍ତି । ସେପଟେ ବିନା ଟଙ୍କାରେ ଦୈନଦିନ ଜୀବନ କଷ୍ଟକର ହୋଇ ପଡ଼ିଥିବା ବେଳେ ମୁହଁ ଖୋଲି ପାରୁ ନାହାନ୍ତି ଏହି ସ୍ୱାସ୍ଥ୍ୟ କର୍ମୀ । ମୁହଁ ଖୋଲିଲେ ଚାକିରୀ ଯିବାର ଭୟ ନହଲେ ଦୂର ଦୁରାନ୍ତକୁ ବଦଳି ଭୟ ରହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉଟସୋରସିଂରେ ନିୟୁକ୍ତ ଷ୍ଟାଫନର୍ସ , ୱାର୍ଡ ଆଟେଣ୍ଡାଣ୍ଟ , ରେଡିଓଗ୍ରାଫର , ଲ୍ୟାବ ଟେକ୍ନିସିଆନ୍ ଓ ଫାର୍ମାସିଷ୍ଟ ଆଦି ସମସ୍ତଙ୍କ ଅବସ୍ଥା ଏବେ ଏହିଭଳି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସବୁଠାରୁ ଅଧିକ ଭାଗ କାର୍ଯ୍ୟ ସମ୍ପାଦିତ ହେଉଛି ଏହି ଆଉଟସୋରସିଂ କର୍ମଚାରୀଙ୍କ ଦ୍ବାରା । ହେଲେ ସେମାନଙ୍କୁ ନିୟମିତ ଦରମା ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଜିଲ୍ଲା ସ୍ତରରୁ ସେମାନଙ୍କ ବିଲ ପାସ ହୋଇ ସାରିଛି । ତଥାପି ଏବେ ସେମାନେ ଆହୁରି ଗୋଟିଏ ମାସର ଦରମା ପାଇଁ ନାହାନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସତ୍ୱେ ଠିକାସଂସ୍ଥା ଦରମା ଦେଉ ନାହିଁ । ତେବେ ଏଭଳି ଘଟଣା ଆଜିର ନୁହଁ । ପୂର୍ବରୁ ମଧ୍ୟ ଅନେକ ଥର ସଠିକ ସମୟରେ ଦରମା ମିଳୁ ନଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ସବୁ ସ୍ୱାସ୍ଥ୍ୟ କର୍ମୀ । ସେହି ଆଉଟ୍‌ସୋରସିଂ କର୍ମଚାରୀଙ୍କ ଦରମାକୁ ଚାପି ରଖି ସୁଧ କାରବାର କରା ଯାଉଥିବା ଅଭିଯୋଗ ହେଉଛି । ମୋଟା ଅଙ୍କର ଦରମା ଟଙ୍କାକୁ ଅନ୍ୟତ୍ର ଲଗାଇ ଟଙ୍କା ରୋଜଗାର କରା ଯାଉଥିବା ବିଶ୍ବସ୍ତ ସୂତ୍ରରୁ ଜଣା ପଡ଼ିଛି । ଜିଲ୍ଲା କାର୍ଯ୍ୟାଳୟରୁ ବିଲ ପାସ ହୋଇ ଆସିବା ପରେ ମଧ୍ୟ ସମସ୍ତ ଦରମା ଦିଆ ଯାଉ ନଥିବା ଯୋଗୁଁ ଏହି ଅଭିଯୋଗରେ ସତ୍ୟତା ଥିବା ସନ୍ଦେହ କରାଯାଉଛି । ଯଦି ପ୍ରକୃତରେ ଏଭଳି କରା ଯାଉଥାଏ ତେବେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି ।

What’s your Reaction?
+1
0
+1
0
+1
0
+1
0
+1
3
+1
0
+1
0

Leave a Reply