କାମ ନ କରି ପୁଣି ଖାଇଗଲେ ଟଙ୍କା – ଜିଲ୍ଲା ପ୍ରଶାସନର ତଦନ୍ତ

ପାଲଲହଡା – ଅନଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଆଦିବାସୀ ଅଧ୍ୟୁଷିତ ସୀମାନ୍ତ ବରଡିହ ପଞ୍ଚାୟତର ଶିଲପଳା ଗାଁରେ ବିନା କାମରେ ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗ ଆସିଛି । ଅଭିଯୋଗ ଆସିବା ପରେ ପାଲଲହଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଘଟଣାର ତଦନ୍ତ କରି ସମ୍ପୃକ୍ତ ପଞ୍ଚାୟତରୁ କନିଷ୍ଠ ଯନ୍ତ୍ରୀଙ୍କୁ ଦାୟିତ୍ବରୁ ହଟାଇ ଦେଇଛନ୍ତି । ଏପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକ ଟିମ ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ କରିଛି । ଖୁବ ଶୀଘ୍ର ଏହି ଦୁର୍ନୀତିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣା ପଡିଛି ।

ସୂଚନା ଅନୁସାରେ ବରଡିହ ପଞ୍ଚାୟତ ଅନ୍ତର୍ଗତ ଶିଲପଳା ଗାଁ ରେ ପକ୍କା ସଡକ ନିର୍ମାଣ ପାଇଁ ରାସ୍ତା ଏବଂ ପୋଲ ମରାମତି ଓ ରକ୍ଷଣାବେକ୍ଷଣ ପାଣ୍ଠି ରୁ ୩ ଲକ୍ଷ ଟଙ୍କା ବ୍ୟୟ ରେ ପାଲଲହଡା ପଞ୍ଚାୟତ ସମିତିରୁ ୨୦୨୪-୨୫ ମସିହା କେସ ରେକର୍ଡ ନମ୍ବର ୧୪୧ର ରେକର୍ଡ ଖୋଲି କାମ ଶେଷ ହୋଇଥିବା ଦର୍ଶାଇ ଟଙ୍କା ଉଠାଇବାକୁ ବିଲ ପ୍ରସ୍ତୁତ କରାଯାଇ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ନିକଟକୁ ଆସିଥିଲା । ଏହି ରେକର୍ଡ ଅନୁସାରେ କନିଷ୍ଠ ଯନ୍ତ୍ରୀ ସଂଜୀବ କୁମାର ମହାନ୍ତଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ ଅନ୍ୟ ତମ କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ନିଖଣ୍ଡ ଏହାର ତଦାରଖ ଦାୟିତ୍ଵରେ ରହିଥିଲେ । ଗ୍ରାମବାସୀଙ୍କ ଠାରୁ ମିଳିଥିବା ଅଭିଯୋଗ ଆଧାରରେ ଅଧ୍ୟକ୍ଷା ସେହି ଗାଁ ଗସ୍ତରେ ଯିବା ପରେ ଶିଲପଳା ଗାଁ ରେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ରେ କୌଣସି ପକ୍କା ସଡକ ନିର୍ମାଣ ହୋଇ ନଥିବା ଦେଖିବାକୁ ପାଇଥିଲେ । ଏଣୁ ତୁରନ୍ତ ବିଲକୁ ସେ ବନ୍ଦ କରିଥିଲେ । ଏହାପରେ ଏ ନେଇ ସେ ବିଡିଓଙ୍କ ନିକଟରେ ଅଭିଯୋଗ କରିବା ପରେ ବିଡିଓ ଘଟଣାର ତଦନ୍ତ କରି ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ନିଖଣ୍ଡଙ୍କୁ ସେହି ପଞ୍ଚାୟତ ସମେତ ଦାୟିତ୍ଵରେ ଥିବା ଅନ୍ୟ ଦୁଇଟି ପଞ୍ଚାୟତରୁ ମଧ୍ୟ ଦାୟିତ୍ବରୁ ହଟାଇ ଦେଇଛନ୍ତି । ତେବେ ଏଭଳି ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ ଗ୍ରାମବାସୀ ଓ ବ୍ଲକ ଅଧ୍ୟକ୍ଷା ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ । ଅଭିଯୋଗ ପାଇବା ପରେ ଜିଲ୍ଲାପାଳଙ୍କ ନିର୍ଦେଶରେ ଆଜି ଏକ ଟିମ ଅନୁଗୁଳରୁ ଯାଇ ଘଟଣାର ତଦନ୍ତ କରିଛି । ତଦନ୍ତରେ ଦୁର୍ନୀତି ସ୍ପଷ୍ଟ ବାରି ହୋଇ ପଡିଥିବା ସୂଚନା ମିଳିଛି । ଏଣୁ ଖୁବଶୀଘ୍ର କନିଷ୍ଠଯନ୍ତ୍ରୀ ବିଜୟ କୁମାର ନିଖଣ୍ଡଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ମଧ୍ୟ ଏକ ବିଶେଷ ସୂତ୍ରରୁ ଖବର ମିଳିଛି । ତେବେ ପାଲଲହଡା ବ୍ଲକରେ କେବଳ ଏହି ଗୋଟିଏ ନୁହେଁ ଆହୁରି ଏଭଳି ଅନେକ ଦୁର୍ନୀତି ହୋଇଥିବା ମଧ୍ୟ ଅଭିଯୋଗ ହେଉଛି ।

Advertisement

Leave a Reply

Your email address will not be published. Required fields are marked *