ଅନୁଗୁଳ – ଅନୁଗୁଳ ଆଦର୍ଶ ଠାରେ ଥିବା କୋଭିଡ କେୟାର କେନ୍ଦ୍ରରୁ ଜଣେ କରୋନା ସଂକ୍ରମିତ କୁଆଡ଼େ ହଜିଯାଇଥିବା ଅଭିଯୋଗ ହୋଇଥିଲା । ୫ ଦିନ ହେଲା ତାଙ୍କ ପତ୍ତା ମିଳୁନଥିବା ଅଭିଯୋଗ କରି ଥାନାର ଦ୍ବାରସ୍ଥ ହୋଇଥିଲେ ତାଙ୍କ ପୁଅ । ଆଜି ତାଳଚେର କୋଭିଡ ହସ୍ପିଟାଲରେ ସେହି କୋଭିଡ ରୋଗୀକୁ ଉଦ୍ଧାର । ସୂଚନା ଅନୁସାରେ , ଛେଣ୍ଡିପଦା ବ୍ଳକ ପରା ଗ୍ରାମର ଗୋବିନ୍ଦ ପ୍ରଧାନ (୬୫)ଙ୍କ ଛାତି ଯନ୍ତ୍ରଣା ହେବାରୁ ଗତ ୩୦ ତାରିଖରେ ତାଙ୍କ ପୁଅ ଯୁଗଳ ପ୍ରଧାନ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରିଥିଲେ । ସେଠାରେ ପରୀକ୍ଷା କରିବା ପରେ ଜଣାପଡ଼ିଲା ଯେ ସେ କୋଭିଡ଼ ସଂକ୍ରମିତ ଅଛନ୍ତି । ଏଣୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ତୁରନ୍ତ ଆଦର୍ଶ କୋଭିଡ କେୟାର କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ବାପାଙ୍କୁ ସ୍ଥାନାନ୍ତର ପରେ ପୁଅ ଯୁଗଳ ଉକ୍ତ କେନ୍ଦ୍ରରେ ପହଞ୍ଚି ଜାଣିବାକୁ ପାଇଲେ ଯେ, ତାଙ୍କୁ ୧୫ ନମ୍ବର କକ୍ଷରେ ରଖାଯାଇଛି । ତହିଁ ପରଦିନ ଚପଲ ଓ ଏକ ମୋବାଇଲ ଫୋନ୍ ନେଇ ଯୁଗଳ ସେଠାରେ ବାପାଙ୍କୁ ଦେଖା କରିଥିଲେ । ପରଦିନ ଗୋବିନ୍ଦଙ୍କ ଝିଅ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବାକୁ ଫୋନ୍ କରିଥିଲେ । ସେତେବେଳେ ବାପା କହିଥିଲେ ଯେ ତାଙ୍କୁ ଅଲଗା କେଉଁ ଜାଗାକୁ ଆଣିଛନ୍ତି । ଏ ଜାଗା ସମ୍ପର୍କରେ ସେ କିଛି ଜାଣି ନ ଥିବା କହିଥିଲେ । ବାପାଙ୍କ ଠାରୁ ଏଭଳି ଖବର ପାଇବା ପରେ ଝିଅ ବ୍ୟତିବ୍ୟସ୍ତ ହୋଇ ତାଙ୍କ ଭାଇଙ୍କୁ ଏ ବିଷୟରେ ଜଣାଇଥିଲେ । ଏହାପରେ ଯୁଗଳ ଯେତେ ଫୋନ୍ କଲେ ମଧ୍ୟ ତାଙ୍କ ବାପା ଆଉ ଫୋନ୍ ଉଠାଇ ନଥିଲେ । ସୋମବାର ସେ ଆଦର୍ଶ କୋଭିଡ୍ କେୟାର କେନ୍ଦ୍ରରେ ପହଞ୍ଚି ବାପାଙ୍କ ବିଷୟରେ ପଚାରିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ପାଇଥିଲେ । ସେଠାରୁ ସେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଖୋଜାଖୋଜି କରିଥିଲେ ବି ବାପାଙ୍କୁ ପାଇ ନଥିଲେ । ବହୁ ଖୋଜାଖୋଜି ପରେ ଗୋବିନ୍ଦଙ୍କୁ ତାଳଚେର ବଳରାମପ୍ରସାଦରେ ଥିବା କୋଭିଡ ସେଣ୍ଟରକୁ ପଠାଯାଇଥିବା ସେଠାରେ କହିଥିଲେ । ବଳରାମପ୍ରସାଦରେ ପହଞ୍ଚି ଖୋଜାଖୋଜି କରିଥିଲେ ବି ସେଠାରେ ବାପାଙ୍କୁ ପାଇ ନ ଥିଲେ ଯୁଗଳ । ସେ ସମୟରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି କେନ୍ଦ୍ରକୁ ପରିଦର୍ଶନରେ ଯାଇଥିବାରୁ ଯୁଗଳ ଜିଲ୍ଲାପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ । ଜିଲ୍ଲାପାଳ ମଧ୍ୟ ସମସ୍ତ କୋଭିଡ ହସ୍ପିଟାଲକୁ ଫୋନରେ ଯୋଗାଯୋଗ କରିଥିଲେ ସୁଦ୍ଧା ନିଖୋଜ ଗୋବିନ୍ଦଙ୍କ ସଂପର୍କରେ କୌଣସି ପତ୍ତା ମିଳିନଥିଲା । ଏଥିନେଇ ସିଡିଏମ୍ଓଙ୍କ ସହିତ ଯୋଗଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । କିନ୍ତୁ ସିଡିଏମଙ୍କ ପାଖରୁ ମଧ୍ୟ କିଛି ସୂଚନା ମିଳି ନ ଥିଲା । ବିଭିନ୍ନ କୋଭିଡ୍ କେୟାର କେନ୍ଦ୍ର ଓ ଡାକ୍ତରଖାନାରୁ ନିରାଶରେ ଫେରିବା ପରେ ଏବେ ଚିନ୍ତାରେ ପରିବାର। ଶେଷରେ ଯୁଗଳ ଏଥିନେଇ ଅନୁଗୁଳ ସଦର ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ତାଙ୍କ ଫୋନ ଟ୍ରାକିଂ କରି ସେ ତାଳଚେର ସାଉଥ୍ ବଲଣ୍ଡାରେ ଥିବା ଜାଣିବାକୁ ପାଇଥିଲେ । ଆଜି ତାକୁ ଉଦ୍ଧାର କରାଯାଇ ତାଳଚେର କେନ୍ଦ୍ରୀୟ ଚିକିତ୍ସାଳୟର କୋଭିଡକେନ୍ଦ୍ରର ଶଯ୍ୟା ନମ୍ବର ୨୬ରେ ପଞ୍ଜିକୃତ କରାଯାଇ ଚିକିତ୍ସା ହେଉଥିବାର କଲିୟାରୀ ଥାନାଧିକାରୀ ସବ୍ୟସାଚୀ ରାଉତ ସୂଚନା ପ୍ରଦାନ କରିଛନ୍ତି ।
What’s your Reaction?
+1
+1
+1
+1
+1
+1
+1