ତାଳଚେର – ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା। ଯାହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏସବୁ ପରିସ୍ଥିତି ମଧ୍ୟରେ ଗୃହ ମନ୍ତ୍ରଣାଳୟ ଦ୍ଵାରା ଦେଶବ୍ୟାପୀ ନାଗରିକ ମାନଙ୍କ ସୁରକ୍ଷା ପାଇଁ ବୁଧବାର ଦିନ ମକ୍ ଡ୍ରିଲ୍ ଆରମ୍ଭ କରାଯାଇଛି।
ଏହି ମକ୍ ଡ୍ରିଲ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ୧୨ଟି ସ୍ଥାନରେ ହୋଇଥିଲା। ଏହା ମଧ୍ୟରୁ ତାଳଚେର ଅନ୍ୟତମ । ମକ୍ ଡ୍ରିଲ୍ ସମୟରେ, ବିଭିନ୍ନ ସ୍ଥାନରେ ଅଗ୍ନିଶମ ଗାଡ଼ି ଏବଂ ପିସିଆର୍ ଭ୍ୟାନ୍ ମୁତୟନ କରାଯିବା ସହ ସୁରକ୍ଷା କର୍ମୀ ଏବଂ ନାଗରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ମାନଙ୍କୁ ନିୟୋଜିତ କରାଯାଇଥିଲା । ଉପଜିଲ୍ଲାପାଳଙ୍କ ଅଫିସ ପରିସରରେ ଏହି ମକ ଡ୍ରିଲ ଅନୁଷ୍ଠିତ ହୋଇଥିଲା । ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲେ ନାଗରିକ ମାନଙ୍କ ଧନ ଜୀବନ ସହ ଆସବାବପତ୍ରର ସୁରକ୍ଷା କିପରି ହୋଇପାରିବ ବୋଲି ଜନସାଧାରଣଙ୍କୁ ସଚେତନ କରିବାସହ ଯୁଦ୍ଧ ବେଳେ ଆକାଶ ମାର୍ଗରୁ ବୋମା ଆକ୍ରମଣ ହେଲେ କିପରି ଜୀବନ ରକ୍ଷା କରିବାପାଇଁ ସମ୍ପୂର୍ଣ ପ୍ରସ୍ତୁତ ଥିବା ବେସାମରିକ ପ୍ରତିରକ୍ଷା ସଂଗଠନର ମୁଖ୍ୟ ସୂଚନା ଦେଇଛନ୍ତି ।
ବିପଦ ଆସିଲେ ସାଇରନ୍ ବାଜିବ । ଲୋକ ସତର୍କ ହେବେ । ନିଜକୁ ସୁରକ୍ଷିତ ରଖିବା ସହ ପରିବାରର ଜୀବନ ବଞ୍ଚାଇବେ । ଯୁଦ୍ଧ ହେଲେ ଏଭଳି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବ ପ୍ରଶାସନ । ସିଭିଲ ଡିଫେନ୍ସ ମକ ଡ୍ରିଲ ଦ୍ବାରା ଆଗୁଆ ଲୋକଙ୍କୁ ସଚେତନ କରା ଯାଇଛି । ଯୁଦ୍ଧ ପରିସ୍ଥିତି ମୁକାବିଲା ପାଇଁ ଏ ପ୍ରସ୍ତୁତି କରାଯାଉଛି । ପ୍ରଥମେ ୫ ମିନିଟ ଧରି ଲମ୍ବା ସାଇରନ୍ ବାଜିଲେ ଶତ୍ରୁ ପକ୍ଷରୁ ଆକ୍ରମଣ ଆରମ୍ଭ ହେଲା ବୋଲି ଧରି ନେବାକୁ ହେବ । ଲୋକେ କଙ୍କ୍ରିଟ ଘରକୁ ଚାଲିଯିବେ। ଖାଦ୍ୟ, ଜଳ, ସ୍ବାସ୍ଥ୍ୟ, ସିଭିଲ୍ ଡିଫେନ୍ସ ହାତକୁ ଚାଲିଯିବ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଯେଉଁ ସାମଗ୍ରୀ ଅଛି ତାକୁ ବି ଏଥିରେ ସାମିଲ କରାଯିବ ।